ଯିହିଜିକଲ 43 : 1 (ORV)
ଏଥି ଉତ୍ତାରେ ସେ ମୋତେ ଦ୍ଵାରକୁ, ଅର୍ଥାତ୍, ପୂର୍ବାଭିମୁଖ ଦ୍ଵାର ନିକଟକୁ ଆଣିଲେ;
ଯିହିଜିକଲ 43 : 2 (ORV)
ଆଉ ଦେଖ, ପୂର୍ବଦିଗସ୍ଥ ପଥରୁ ଇସ୍ରାଏଲର ପରମେଶ୍ଵରଙ୍କର ପ୍ରତାପ ଆସୁଅଛି; ତାହାଙ୍କର ଶଦ୍ଦ ଜଳରାଶିର ଶଦ୍ଦ ତୁଲ୍ୟ ଓ ତାହାଙ୍କର ପ୍ରତାପରେ ଭୂମି ଦୀପ୍ତିମୟ ହେଲା ।
ଯିହିଜିକଲ 43 : 3 (ORV)
ପୁଣି, ମୁଁ ଯେଉଁ ଦର୍ଶନ ଦେଖିଥିଲି, ଅର୍ଥାତ୍, ନଗର ବିନାଶାର୍ଥେ ଆସିବା ସମୟରେ ଯେଉଁ ଦର୍ଶନ ଦେଖିଥିଲି, ଏ ତଦ୍ରୂପ ଦର୍ଶନ ଓ ମୁଁ କବାର ନଦୀ ତୀରରେ ଯେଉଁ ଦର୍ଶନ ଦେଖିଥିଲି, ଏହିସବୁ ଦର୍ଶନ ତାହାର ତୁଲ୍ୟ; ତହୁଁ ମୁଁ ଉବୁଡ଼ ହୋଇ ପଡ଼ିଲି ।
ଯିହିଜିକଲ 43 : 4 (ORV)
ପୁଣି, ପୂର୍ବାଭିମୁଖ ଦ୍ଵାରର ପଥ ଦେଇ ସଦାପ୍ରଭୁଙ୍କର ପ୍ରତାପ ଗୃହ ମଧ୍ୟରେ ପ୍ରବେଶ କଲା ।
ଯିହିଜିକଲ 43 : 5 (ORV)
ଅନନ୍ତର ଆତ୍ମା ମୋତେ ଉଠାଇ ଭିତର ପ୍ରାଙ୍ଗଣକୁ ଆଣିଲେ; ଆଉ ଦେଖ, ସଦାପ୍ରଭୁଙ୍କ ପ୍ରତାପ ଗୃହକୁ ପରିପୂର୍ଣ୍ଣ କଲା ।
ଯିହିଜିକଲ 43 : 6 (ORV)
ପୁଣି, ଗୃହ ମଧ୍ୟରୁ ଏକଜଣ ମୋତେ କହିବାର ଶୁଣିଲି ଓ ଏକ ବ୍ୟକ୍ତି ମୋʼ ପାଖରେ ଠିଆ ହେଲେ ।
ଯିହିଜିକଲ 43 : 7 (ORV)
ଆଉ, ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ଏହା ଆମ୍ଭ ସିଂହାସନର ସ୍ଥାନ ଓ ଆମ୍ଭ ପାଦପୀଠର ସ୍ଥାନ, ଏହି ସ୍ଥାନରେ ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସଦାକାଳ ବାସ କରିବା; ଆଉ, ଇସ୍ରାଏଲ-ବଂଶ, ଅର୍ଥାତ୍, ସେମାନେ ଓ ସେମାନଙ୍କ ରାଜଗଣ ଆପଣାମାନଙ୍କର ବ୍ୟଭିଚାର ଓ ଉଚ୍ଚସ୍ଥଳୀରେ ଆପଣାମାନଙ୍କ ରାଜଗଣର ଶବ ଦ୍ଵାରା ଆମ୍ଭର ପବିତ୍ର ନାମ ଆଉ ଅଶୁଚି କରିବେ ନାହିଁ ।
ଯିହିଜିକଲ 43 : 8 (ORV)
ସେମାନେ ଆମ୍ଭର ଦ୍ଵାର ପ୍ରବେଶ-ସ୍ଥାନ ନିକଟରେ ଆପଣାମାନଙ୍କର ଦ୍ଵାର ପ୍ରବେଶ-ସ୍ଥାନ ଓ ଆମ୍ଭ ଦ୍ଵାରବନ୍ଧ ନିକଟରେ ଆପଣାମାନଙ୍କର ଦ୍ଵାରବନ୍ଧ ରଖିବାରୁ ଆମ୍ଭର ଓ ସେମାନଙ୍କ ମଧ୍ୟରେ କେବଳ ଏକ କାନ୍ଥ ଥିଲା, ପୁଣି ଆପଣାମାନଙ୍କର କୃତ ଘୃଣାଯୋଗ୍ୟ କ୍ରିୟା ଦ୍ଵାରା ଆମ୍ଭର ପବିତ୍ର ନାମ ସେମାନେ ଅପବିତ୍ର କରିଅଛନ୍ତି; ଏନିମନ୍ତେ ଆମ୍ଭେ ଆପଣାର କ୍ରୋଧରେ ସେମାନଙ୍କୁ ଗ୍ରାସ କରିଅଛୁ ।
ଯିହିଜିକଲ 43 : 9 (ORV)
ଏବେ ସେମାନେ ଆପଣାମାନଙ୍କର ବ୍ୟଭିଚାର କ୍ରିୟା ଓ ଆପଣାମାନଙ୍କର ରାଜଗଣର ଶବ ଆମ୍ଭ ନିକଟରୁ ଦୂର କରନ୍ତୁ, ତହିଁରେ ଆମ୍ଭେ ସଦାକାଳ ସେମାନଙ୍କ ମଧ୍ୟରେ ବାସ କରିବା ।
ଯିହିଜିକଲ 43 : 10 (ORV)
ହେ ମନୁଷ୍ୟ-ସନ୍ତାନ, ଇସ୍ରାଏଲ-ବଂଶ ଯେପରି ଆପଣା ଆପଣା ଅଧର୍ମ ହେତୁ ଲଜ୍ଜିତ ହେବେ, ଏଥିପାଇଁ ତୁମ୍ଭେ ସେମାନଙ୍କୁ ଏହି ଗୃହ ଦେଖାଅ; ଆଉ, ସେମାନେ ସେହି ଗୃହର ଆଦର୍ଶ ପରିମାଣ କରନ୍ତୁ ।
ଯିହିଜିକଲ 43 : 11 (ORV)
ପୁଣି, ସେମାନେ ଯେବେ ଆପଣାମାନଙ୍କ କୃତ ସମସ୍ତ କର୍ମ ହେତୁ ଲଜ୍ଜିତ ହୁଅନ୍ତି, ତେବେ ସେମାନେ ଯେପରି ଗୃହର ସକଳ ଆକୃତି ଓ ତହିଁର ସମସ୍ତ ବିଧି ରକ୍ଷା କରି ତଦନୁସାରେ କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଗୃହର ଆକାର, ତହିଁର ଗଠନ, ନିର୍ଗମନ-ସ୍ଥାନ ଓ ପ୍ରବେଶ-ସ୍ଥାନ, ସକଳ ଆକୃତି ଓ ତହିଁର ସମସ୍ତ ବିଧି, ସମସ୍ତ ଆକୃତି ଓ ତହିଁର ସକଳ ବ୍ୟବସ୍ଥା ସେମାନଙ୍କୁ ଜ୍ଞାତ କରାଅ, ଆଉ ସେମାନଙ୍କ ସାକ୍ଷାତରେ ତାହା ଲେଖ ।
ଯିହିଜିକଲ 43 : 12 (ORV)
ଗୃହର ବ୍ୟବସ୍ଥା ଏହି, ପର୍ବତ ଶୃଙ୍ଗର ଉପରିସ୍ଥ ଚତୁର୍ଦ୍ଦିଗର ସମୁଦାୟ ସୀମା ମହାପବିତ୍ର ହେବ । ଦେଖ, ଏହା ହିଁ ଗୃହର ବ୍ୟବସ୍ଥା ।
ଯିହିଜିକଲ 43 : 13 (ORV)
ପୁଣି, ହାତ ଅନୁସାରେ ଯଜ୍ଞବେଦିର ପରିମାଣ ଏହି; (ପ୍ରତି ହାତ ଏକ ହାତ ଚାରି ଅଙ୍ଗୁଳି ପରିମିତ) ବେଦିର ମୂଳ ଏକ ହାତ ଓ ପ୍ରସ୍ଥ ଏକ ହାତ, ଆଉ ଚତୁର୍ଦ୍ଦିଗରେ ତହିଁର ପ୍ରା; ଧାର ଏକ ଚାଖଣ୍ତ ପରିମିତ ହେବ; ଏହା ଯଜ୍ଞବେଦିର ତଳଭାଗ ।
ଯିହିଜିକଲ 43 : 14 (ORV)
ପୁଣି, ଭୂମିସ୍ଥ ମୂଳଠାରୁ ତଳ ଥାକ ପର୍ଯ୍ୟନ୍ତ ଦୁଇ ହାତ ଓ ପ୍ରସ୍ଥ ଏକ ହାତ ହେବ । ଆଉ, ସେହି କ୍ଷୁଦ୍ରତର ଥାକଠାରୁ ବଡ଼ ଥାକ ପର୍ଯ୍ୟନ୍ତ ଚାରି ହାତ ଓ ପ୍ରସ୍ଥ ଏକ ହାତ ହେବ ।
ଯିହିଜିକଲ 43 : 15 (ORV)
ପୁଣି, ଉପରିସ୍ଥ ଯଜ୍ଞବେଦି ଚାରି ହାତ ହେବ ଓ ଯଜ୍ଞବେଦିର ଅଗ୍ନିସ୍ଥାନଠାରୁ ଉପର ଆଡ଼କୁ ଚାରି ଶୃଙ୍ଗ ହେବ ।
ଯିହିଜିକଲ 43 : 16 (ORV)
ଯଜ୍ଞବେଦିର ଅଗ୍ନିସ୍ଥାନ ବାର ହାତ ଦୀର୍ଘ ଓ ବାର ହାତ ପ୍ରସ୍ଥ; ତହିଁର ଚାରି ଦିଗ ସମାନ ହେବ ।
ଯିହିଜିକଲ 43 : 17 (ORV)
ପୁଣି, ଥାକର ଚାରି ପାଖେ ଚଉଦ ହାତ ଦୀର୍ଘ, ପ୍ରସ୍ଥ ଚଉଦ ହାତ ହେବ, ଆଉ ତହିଁର ଧାର ଚାରି ଦିଗରେ ଅଧ ହାତ ଓ ତହିଁର ମୂଳ ଚାରିଆଡ଼େ ଏକ ହାତ ପରିମିତ ହେବ; ପୁଣି, ତହିଁର ପାବଚ୍ଛସବୁ ପୂର୍ବାଭିମୁଖ ହେବ ।
ଯିହିଜିକଲ 43 : 18 (ORV)
ଆଉ, ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ପୁଣି, ଯେଉଁ ସମୟରେ ତହିଁ ଉପରେ ସେମାନେ ହୋମ ବଳିଦାନ ଓ ରକ୍ତ ପ୍ରୋକ୍ଷଣ କରିବା ନିମନ୍ତେ ଯଜ୍ଞବେଦି ନିର୍ମାଣ କରିବେ, ସେହି ସମୟରେ ତହିଁ ସମ୍ଵନ୍ଧୀୟ ବିଧି ଏହି ।
ଯିହିଜିକଲ 43 : 19 (ORV)
ପ୍ରଭୁ ସଦାପ୍ରଭୁ କହନ୍ତି, ସାଦୋକ ବଂଶଜାତ ଯେଉଁ ଲେବୀୟ ଯାଜକଗଣ ଆମ୍ଭର ପରିଚର୍ଯ୍ୟା କରିବା ପାଇଁ ଆମ୍ଭର ନିକଟବର୍ତ୍ତୀ ଅଟନ୍ତି, ସେମାନଙ୍କୁ ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଗୋଟିଏ ଯୁବା ବୃଷ ଦେବ ।
ଯିହିଜିକଲ 43 : 20 (ORV)
ପୁଣି, ତୁମ୍ଭେ ତହିଁର ରକ୍ତ ନେଇ ଚାରି ଶୃଙ୍ଗ ଉପରେ ଓ ଥାକର ଚାରି କୋଣ ଉପରେ ଓ ଧାରର ଚାରିଆଡ଼େ ଦେବ, ଏହି ପ୍ରକାର ତୁମ୍ଭେ ବେଦିକି ଶୁଚି କରି ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ ।
ଯିହିଜିକଲ 43 : 21 (ORV)
ଆହୁରି, ତୁମ୍ଭେ ପାପାର୍ଥକ ବୃଷ ନେବ ଓ ସେ ପବିତ୍ର ସ୍ଥାନର ବାହାରେ ଗୃହର ନିରୂପିତ ସ୍ଥାନରେ ତାହା ଦଗ୍ଧ କରିବ ।
ଯିହିଜିକଲ 43 : 22 (ORV)
ପୁଣି, ତୁମ୍ଭେ ଦ୍ଵିତୀୟ ଦିନରେ ପାପାର୍ଥକ ବଳି ରୂପେ ଏକ ନିର୍ଦ୍ଦୋଷ ଛାଗ ଉତ୍ସର୍ଗ କରିବ; ଆଉ, ସେମାନେ ବୃଷ ନେଇ ଯେପରି କରିଥିଲେ, ସେପରି ଯଜ୍ଞବେଦିକି ଶୁଚି କରିବେ ।
ଯିହିଜିକଲ 43 : 23 (ORV)
ତୁମ୍ଭେ ତାହା ଶୁଚି କରିବାର ସମାପ୍ତ କଲା ଉତ୍ତାରେ ଗୋଟିଏ ନିର୍ଦ୍ଦୋଷ ଯୁବା ବୃଷ ଓ ପଲରୁ ଏକ ନିର୍ଦ୍ଦୋଷ ମେଷ ଉତ୍ସର୍ଗ କରିବ ।
ଯିହିଜିକଲ 43 : 24 (ORV)
ପୁଣି, ତୁମ୍ଭେ ସେସବୁକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ ଓ ଯାଜକମାନେ ସେସବୁର ଉପରେ ଲବଣ ପ୍ରକ୍ଷେପ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେସବୁକୁ ହୋମବଳି ରୂପେ ଉତ୍ସର୍ଗ କରିବେ ।
ଯିହିଜିକଲ 43 : 25 (ORV)
ସାତ ଦିନଯାଏ ପ୍ରତି ଦିନ ପାପାର୍ଥକ ବଳି ରୂପେ ତୁମ୍ଭେ ଏକ ଛାଗ ଉତ୍ସର୍ଗ କରିବ; ସେମାନେ ମଧ୍ୟ ନିର୍ଦ୍ଦୋଷ ଏକ ଯୁବା ବୃଷ ଓ ପଲରୁ ଏକ ନିର୍ଦ୍ଦୋଷ ମେଷ ଉତ୍ସର୍ଗ କରିବେ ।
ଯିହିଜିକଲ 43 : 26 (ORV)
ସାତ ଦିନଯାଏ ସେମାନେ ଯଜ୍ଞବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ତାହା ଶୁଚି କରିବେ, ଏହିରୂପେ ସେମାନେ ତାହା ପ୍ରତିଷ୍ଠା କରିବେ ।
ଯିହିଜିକଲ 43 : 27 (ORV)
ପୁଣି, ସେମାନେ ସେସକଳ ଦିନ ସମାପ୍ତ କଲା ଉତ୍ତାରେ ଅଷ୍ଟମ ଦିନଠାରୁ ଯାଜକମାନେ ଯଜ୍ଞବେଦି ଉପରେ ତୁମ୍ଭମାନଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ, ତହିଁରେ ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା, ଏହା ପ୍ରଭୁ ସଦାପ୍ରଭୁ କହନ୍ତି ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27

BG:

Opacity:

Color:


Size:


Font: