ଯିହିଜିକଲ 34 : 1 (ORV)
ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
ଯିହିଜିକଲ 34 : 2 (ORV)
ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲର ପାଳକମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର, ଭବିଷ୍ୟଦ୍ବାକ୍ୟ ପ୍ରଚାର କର ଓ ସେହି ପାଳକମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଇସ୍ରାଏଲର ଯେଉଁ ପାଳକମାନେ ଆପଣାମାନଙ୍କୁ ପାଳନ କରୁଅଛନ୍ତି, ସେମାନେ ସନ୍ତାପର ପାତ୍ର! ମେଷଗଣକୁ ପାଳନ କରିବାର କି ପାଳକମାନଙ୍କର କର୍ତ୍ତବ୍ୟ ନୁହେଁ?
ଯିହିଜିକଲ 34 : 3 (ORV)
ତୁମ୍ଭେମାନେ ମେଦ ଖାଉଅଛ ଓ ତୁମ୍ଭେମାନେ ମେଷ ଲୋମ ପରିଧାନ କରୁଅଛ, ତୁମ୍ଭେମାନେ ହୃଷ୍ଟପୁଷ୍ଟ ଜନ୍ତୁ ମାରୁଅଛ, ମାତ୍ର ତୁମ୍ଭେମାନେ ମେଷଗଣକୁ ପାଳନ କରୁ ନାହଁ ।
ଯିହିଜିକଲ 34 : 4 (ORV)
ତୁମ୍ଭେମାନେ ଅସୁସ୍ଥମାନଙ୍କୁ ସବଳ କରି ନାହଁ ଓ ପୀଡ଼ିତମାନଙ୍କର ଚିକିତ୍ସା କରି ନାହଁ ଓ ଭଗ୍ନାଙ୍ଗର କ୍ଷତ ବାନ୍ଧି ନାହଁ ଓ ଯେ ତାଡ଼ିତ ହେଲା, ତାହାକୁ ଫେରାଇ ଆଣି ନାହଁ, କିଅବା ଯେ ହଜିଗଲା, ତୁମ୍ଭେମାନେ ତାକୁ ଖୋଜି ନାହଁନ୍ତ ମାତ୍ର ତୁମ୍ଭେମାନେ ବଳରେ ଓ କଠୋରତାରେ ସେମାନଙ୍କ ଉପରେ ଶାସନ କରିଅଛ ।
ଯିହିଜିକଲ 34 : 5 (ORV)
ପୁଣି, କେହି ପାଳକ ନ ଥିବାରୁ ସେମାନେ ଛିନ୍ନଭିନ୍ନ ହୋଇଗଲେ ଓ କ୍ଷେତ୍ରସ୍ଥ ପଶୁଗଣର ଖାଦ୍ୟ ହୋଇ ଛିନ୍ନଭିନ୍ନ ହେଲେ ।
ଯିହିଜିକଲ 34 : 6 (ORV)
ଆମ୍ଭର ମେଷଗଣ ପର୍ବତସକଳରେ ଓ ପ୍ରତ୍ୟେକ ଉଚ୍ଚ ଗିରିରେ ଭ୍ରମଣ କଲେ; ହଁ, ଆମ୍ଭର ମେଷମାନେ ପୃଥିବୀର ସବୁଆଡ଼େ ଛିନ୍ନଭିନ୍ନ ହୋଇଗଲେ; ପୁଣି, ସେମାନଙ୍କୁ ଖୋଜିବାକୁ ଓ ସେମାନଙ୍କର ପଛେ ପଛେ ଅନୁସନ୍ଧାନ କରିବାକୁ କେହି ନ ଥିଲା ।
ଯିହିଜିକଲ 34 : 7 (ORV)
ଏହେତୁ ହେ ପାଳକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;
ଯିହିଜିକଲ 34 : 8 (ORV)
ପ୍ରଭୁ ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ, ନିଶ୍ଚୟ କେହି ପାଳକ ନ ଥିବାରୁ ଆମ୍ଭର ମେଷମାନେ ଲୁଟିତ ହେଲେ ଓ ଆମ୍ଭର ମେଷମାନେ କ୍ଷେତ୍ରସ୍ଥ ପଶୁସକଳର ଖାଦ୍ୟ ହେଲେ, ପୁଣି ଆମ୍ଭର ପାଳକଗଣ ଆମ୍ଭର ମେଷମାନଙ୍କୁ ଖୋଜିଲେ ନାହିଁ, ମାତ୍ର ପାଳକଗଣ ଆପଣାମାନଙ୍କୁ ପାଳନ କରି ଆମ୍ଭ ମେଷମାନଙ୍କୁ ପାଳନ କଲେ ନାହିଁ;
ଯିହିଜିକଲ 34 : 9 (ORV)
ଏଥିପାଇଁ ହେ ପାଳକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;
ଯିହିଜିକଲ 34 : 10 (ORV)
ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ପାଳକମାନଙ୍କର ପ୍ରତିକୂଳ ଅଟୁ; ଆମ୍ଭେ ସେମାନଙ୍କ ହସ୍ତରୁ ଆମ୍ଭ ମେଷଗଣକୁ ଆଦାୟ କରିବା, ଆଉ ସେମାନଙ୍କୁ ମେଷପାଳନ କର୍ମରୁ ଚ୍ୟୁତ କରିବା ଓ ସେହି ପାଳକମାନେ ଆଉ ଆପଣାମାନଙ୍କୁ ପାଳନ କରିବେ ନାହିଁ; ପୁଣି, ସେମାନଙ୍କ ମୁଖରୁ ଆମ୍ଭେ ଆମ୍ଭର ମେଷଗଣକୁ ଉଦ୍ଧାର କରିବା, ତହିଁରେ ସେମାନେ ସେମାନଙ୍କ ପାଇଁ ଭକ୍ଷ୍ୟ ହେବେ ନାହିଁ ।
ଯିହିଜିକଲ 34 : 11 (ORV)
କାରଣ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ନିଜେ, ଆମ୍ଭେ ହିଁ ନିଜ ମେଷଗଣର ଅନ୍ଵେଷଣ କରି ସେମାନଙ୍କର ତତ୍ତ୍ଵାନୁସନ୍ଧାନ କରିବା ।
ଯିହିଜିକଲ 34 : 12 (ORV)
କୌଣସି ପାଳକ ଆପଣା ଛିନ୍ନଭିନ୍ନ ମେଷଗଣର ମଧ୍ୟରେ ଥିବା ଦିନ ଯେପରି ଆପଣା ପଲର ତତ୍ତ୍ଵାନୁସନ୍ଧାନ କରେ, ସେପରି ଆମ୍ଭେ ଆପଣା ମେଷଗଣର ତତ୍ତ୍ଵାନୁସନ୍ଧାନ କରିବା; ଆଉ, ମେଘାଚ୍ଛନ୍ନ ଓ ଅନ୍ଧକାର ଦିନରେ ସେମାନେ ଯେ ଯେ ସ୍ଥାନରେ ଛିନ୍ନଭିନ୍ନ ହୋଇଅଛନ୍ତି, ସେସକଳ ସ୍ଥାନରୁ ସେମାନଙ୍କୁ ଉଦ୍ଧାର କରିବା ।
ଯିହିଜିକଲ 34 : 13 (ORV)
ଆଉ, ଆମ୍ଭେ ନାନା ଗୋଷ୍ଠୀୟମାନଙ୍କ ମଧ୍ୟରୁ ସେମାନଙ୍କୁ ବାହାର କରି ଆଣିବା ଓ ନାନା ଦେଶରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କୁ ନିଜ ଦେଶକୁ ଆଣିବା, ପୁଣି ଆମ୍ଭେ ସେମାନଙ୍କୁ ଇସ୍ରାଏଲର ପର୍ବତସକଳରେ, ଜଳପ୍ରବାହର ନିକଟରେ ଓ ଦେଶର ସକଳ ବସତି-ସ୍ଥାନରେ ଚରାଇବା ।
ଯିହିଜିକଲ 34 : 14 (ORV)
ଆମ୍ଭେ ଉତ୍ତମ ଚରାଣୀ ସ୍ଥାନରେ ସେମାନଙ୍କୁ ଚରାଇବା, ପୁଣି ଇସ୍ରାଏଲର ଉଚ୍ଚସ୍ଥଳୀର ପର୍ବତଗଣର ଉପରେ ସେମାନଙ୍କର ଖୁଆଡ଼ ହେବ; ସେହି ସ୍ଥାନରେ ସେମାନେ ଉତ୍ତମ ଖୁଆଡ଼ ମଧ୍ୟରେ ଶୟନ କରିବେ ଓ ଇସ୍ରାଏଲର ପର୍ବତମାନର ଉପରେ ପୁଷ୍ଟିକର ଚରାଣୀ ସ୍ଥାନରେ ସେମାନେ ଚରିବେ ।
ଯିହିଜିକଲ 34 : 15 (ORV)
ପ୍ରଭୁ ସଦାପ୍ରଭୁ କହନ୍ତି, ଆମ୍ଭେ ନିଜେ ଆପଣା ମେଷଗଣକୁ ଚରାଇବା ଓ ଆମ୍ଭେ ସେମାନଙ୍କୁ ଶୟନ କରାଇବା ।
ଯିହିଜିକଲ 34 : 16 (ORV)
ଯେ ହଜିଥିଲା, ଆମ୍ଭେ ତାହାର ଅନ୍ଵେଷଣ କରିବା ଓ ଯେ ତାଡ଼ିତ ହୋଇଥିଲା, ତାହାକୁ ପୁନର୍ବାର ଆଣିବା, ପୁଣି ଭଗ୍ନାଙ୍ଗର କ୍ଷତ ବାନ୍ଧିବା ଓ ପୀଡ଼ିତକୁ ସବଳ କରିବା, ଆଉ ହୃଷ୍ଟପୁଷ୍ଟ ଓ ବଳବାନକୁ ସଂହାର କରିବା; ଆମ୍ଭେ ନ୍ୟାୟମତେ ସେମାନଙ୍କୁ ପାଳନ କରିବା ।
ଯିହିଜିକଲ 34 : 17 (ORV)
ପୁଣି, ହେ ଆମ୍ଭର ପଲ, ତୁମ୍ଭମାନଙ୍କ ବିଷୟରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ପଶୁ ଓ ପଶୁର ମଧ୍ୟରେ, ମେଷ ଓ ଛାଗଗଣର ମଧ୍ୟରେ ବିଚାର କରୁ ।
ଯିହିଜିକଲ 34 : 18 (ORV)
ଉତ୍ତମ ଚରାଣୀ ସ୍ଥାନରେ ଚରିବାର, ମାତ୍ର ଚରାଣୀର ଅବଶିଷ୍ଟାଂଶ ପଦତଳେ ଦଳିବାର ଓ ନିର୍ମଳ ଜଳ ପାନ କରିବାର, ମାତ୍ର ତହିଁର ଅବଶିଷ୍ଟାଂଶ ଆପଣା ପଦରେ ଗୋଳିଆ କରିବାର, ଏହା କି ତୁମ୍ଭମାନଙ୍କୁ କ୍ଷୁଦ୍ର ବିଷୟ ଦିଶୁଅଛି?
ଯିହିଜିକଲ 34 : 19 (ORV)
ମାତ୍ର ତୁମ୍ଭେମାନେ ଯାହା ପଦରେ ଦଳିଅଛ, ଆମ୍ଭର ମେଷଗଣ ତାହା ଭୋଜନ କରନ୍ତି ଓ ଯାହା ତୁମ୍ଭେମାନେ ପଦରେ ଗୋଳିଆ କରିଅଛ, ତାହା ସେମାନେ ପାନ କରନ୍ତି ।
ଯିହିଜିକଲ 34 : 20 (ORV)
ଏହେତୁ ସେମାନଙ୍କୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଆମ୍ଭେ, ଆମ୍ଭେ ହିଁ ହୃଷ୍ଟପୁଷ୍ଟ ପଶୁ ଓ କ୍ଷୀଣ ପଶୁ ମଧ୍ୟରେ ବିଚାର କରିବା ।
ଯିହିଜିକଲ 34 : 21 (ORV)
ତୁମ୍ଭେମାନେ ପାର୍ଶ୍ଵରେ ଓ ସ୍କନ୍ଧରେ ପୀଡ଼ିତମାନଙ୍କୁ ଠେଲି ଦେଉଅଛ ଓ ବାହାରେ ସେମାନଙ୍କୁ ଭିନ୍ନଭିନ୍ନ ନ କରିବା ପର୍ଯ୍ୟନ୍ତ ସେସମସ୍ତଙ୍କୁ ଆପଣା ଶୃଙ୍ଗରେ ପେଲି ଦେଉଅଛ;
ଯିହିଜିକଲ 34 : 22 (ORV)
ଏଥିପାଇଁ ଆମ୍ଭେ ଆପଣା ପଲକୁ ରକ୍ଷା କରିବା, ତହିଁରେ ସେମାନେ ଆଉ ଲୁଟିତ ହେବେ ନାହିଁ; ପୁଣି, ଆମ୍ଭେ ପଶୁର ଓ ପଶୁର ମଧ୍ୟରେ ବିଚାର କରିବା ।
ଯିହିଜିକଲ 34 : 23 (ORV)
ଆଉ, ଆମ୍ଭେ ସେମାନଙ୍କ ଉପରେ ଏକ ପାଳକ, ଅର୍ଥାତ୍, ଆମ୍ଭର ଦାସ ଦାଉଦକୁ ନିଯୁକ୍ତ କରିବା, ତହିଁରେ ସେ ସେମାନଙ୍କୁ ଚରାଇବ ଓ ସେ ସେମାନଙ୍କର ପାଳକ ହେବ ।
ଯିହିଜିକଲ 34 : 24 (ORV)
ପୁଣି, ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ଵର ହେବା ଓ ଆମ୍ଭର ଦାସ ଦାଉଦ ସେମାନଙ୍କ ମଧ୍ୟରେ ଅଧିପତି ହେବ; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ।
ଯିହିଜିକଲ 34 : 25 (ORV)
ଆଉ, ଆମ୍ଭେ ସେମାନଙ୍କ ପକ୍ଷରେ ଶାନ୍ତିର ନିୟମ ସ୍ଥିର କରିବା ଓ ହିଂସ୍ରକ ପଶୁଗଣକୁ ଦେଶରୁ ଶେଷ କରିବା; ତହିଁରେ ସେମାନେ ନିରାପଦରେ ପ୍ରାନ୍ତରରେ ବାସ କରିବେ ଓ ବନରେ ଶୟନ କରିବେ ।
ଯିହିଜିକଲ 34 : 26 (ORV)
ପୁଣି, ଆମ୍ଭେ ସେମାନଙ୍କୁ ଓ ଆମ୍ଭ ପର୍ବତର ଚତୁର୍ଦ୍ଦିଗସ୍ଥିତ ସ୍ଥାନକୁ ଆଶୀର୍ବାଦ ସ୍ଵରୂପ କରିବା; ଆଉ, ଆମ୍ଭେ ଯଥା ସମୟରେ ଜଳଧାରା ବର୍ଷାଇବା; ତାହା ଆଶୀର୍ବାଦର ଜଳଧାରା ହେବ ।
ଯିହିଜିକଲ 34 : 27 (ORV)
ଆଉ, କ୍ଷେତ୍ରସ୍ଥ ବୃକ୍ଷ ଆପଣାର ଫଳ ଉତ୍ପନ୍ନ କରିବ ଓ ଭୂମି ଆପଣାର ଶସ୍ୟ ଉତ୍ପନ୍ନ କରିବ, ପୁଣି ସେମାନେ ଆପଣାମାନଙ୍କ ଦେଶରେ ନିରାପଦରେ ରହିବେ; ଆଉ, ଆମ୍ଭେ ସେମାନଙ୍କ ଯୁଆଳିର ଖିଲ ଭାଙ୍ଗିଲେ ଓ ସେମାନଙ୍କୁ ଦାସତ୍ଵ କରାଇବା ଲୋକମାନଙ୍କ ହସ୍ତରୁ ଉଦ୍ଧାର କଲେ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ ।
ଯିହିଜିକଲ 34 : 28 (ORV)
ପୁଣି, ସେମାନେ ଆଉ ଅନ୍ୟ ଦେଶୀୟମାନଙ୍କର ଲୁଟ ସ୍ଵରୂପ ହେବେ ନାହିଁ, କିଅବା ପୃଥିବୀସ୍ଥ ପଶୁମାନେ ସେମାନଙ୍କୁ ଗ୍ରାସ କରିବେ ନାହିଁ; ମାତ୍ର ସେମାନେ ନିରାପଦରେ ବାସ କରିବେ ଓ କେହି ସେମାନଙ୍କୁ ଭୟ ଦେଖାଇବେ ନାହିଁ ।
ଯିହିଜିକଲ 34 : 29 (ORV)
ପୁଣି, ଆମ୍ଭେ ସେମାନଙ୍କର ସୁଖ୍ୟାତି ନିମନ୍ତେ ଏକ ଉଦ୍ୟାନ କରିବା, ତହିଁରେ ସେମାନେ ଦେଶରେ ଦୁର୍ଭିକ୍ଷ ସକାଶୁ ଆଉ କ୍ଷୟ ପାଇବେ ନାହିଁ, କିଅବା ଅନ୍ୟ ଦେଶୀୟମାନଙ୍କର ଅପମାନ ଆଉ ଭୋଗ କରିବେ ନାହିଁ ।
ଯିହିଜିକଲ 34 : 30 (ORV)
ତହିଁରେ ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ଵର ଯେ ସେମାନଙ୍କର ସହବର୍ତ୍ତୀ ଅଟୁ ଓ ସେମାନେ, ଅର୍ଥାତ୍, ଇସ୍ରାଏଲ-ବଂଶ ଯେ ଆମ୍ଭର ଲୋକ ଅଟନ୍ତି, ଏହା ସେମାନେ ଜାଣିବେ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି ।
ଯିହିଜିକଲ 34 : 31 (ORV)
ପୁଣି, ଆମ୍ଭର ମେଷ, ଆମ୍ଭର ଚରାଣୀ ସ୍ଥାନର ମେଷ ଯେ ତୁମ୍ଭେମାନେ, ତୁମ୍ଭେମାନେ ମନୁଷ୍ୟ ଅଟ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ଵର ଅଟୁ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31

BG:

Opacity:

Color:


Size:


Font: