ଯିହିଜିକଲ 31 : 1 (ORV)
ଅନନ୍ତର ଏକାଦଶ ବର୍ଷର ତୃତୀୟ ମାସ, ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
ଯିହିଜିକଲ 31 : 2 (ORV)
ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ରାଜା ଫାରୋକୁ ଓ ତାହାର ଲୋକାରଣ୍ୟକୁ କୁହ; ତୁମ୍ଭେ ଆପଣା ମହତ୍ତ୍ଵରେ କାହାର ତୁଲ୍ୟ?
ଯିହିଜିକଲ 31 : 3 (ORV)
ଦେଖ, ଅଶୂର ଲିବାନୋନସ୍ଥ ଏରସ ବୃକ୍ଷ ସ୍ଵରୂପ ଥିଲା, ତାହାର ସୁନ୍ଦର ଘନଚ୍ଛାୟାଦାୟକ ଓ ଉଚ୍ଚାକୃତି ଶାଖାମାନ ଥିଲା ଓ ତାହାର ଶିଖର ଗହଳିଆ ଡାଳ ମଧ୍ୟରେ ଥିଲା ।
ଯିହିଜିକଲ 31 : 4 (ORV)
ଅପାର ଜଳ ତାହାକୁ ପୁଷ୍ଟ କଲା, ଜଳଧି ତାହାକୁ ବର୍ଦ୍ଧିତ କଲା; ତାହାର ସ୍ରୋତସମୂହ ତାହାର ରୋପଣ ସ୍ଥାନର ଚତୁର୍ଦ୍ଦିଗରେ ବହିଲା ଓ ସେ କ୍ଷେତ୍ରସ୍ଥ ବୃକ୍ଷସକଳର ନିକଟକୁ ଆପଣା ଜଳପ୍ରଣାଳୀ ପଠାଇଲା ।
ଯିହିଜିକଲ 31 : 5 (ORV)
ଏ ସକାଶୁ କ୍ଷେତ୍ରସ୍ଥ ବୃକ୍ଷସକଳ ଅପେକ୍ଷା ସେ ଉଚ୍ଚୀକୃତ ହେଲା ଓ ତାହାର ଡାଳସବୁ ବହୁସଂଖ୍ୟକ ହେଲା; ଆଉ ସେ ଆପଣା ଶାଖା ମେଲିବା ବେଳେ ଅପାର ଜଳ ହେତୁ ସେସବୁ ଦୀର୍ଘ ହେଲା ।
ଯିହିଜିକଲ 31 : 6 (ORV)
ତାହାର ଡାଳରେ ଆକାଶର ପକ୍ଷୀସକଳ ବସା କଲେ ଓ ତାହାର ଶାଖା ତଳେ କ୍ଷେତ୍ରସ୍ଥ ପଶୁସକଳ ପ୍ରସବ କଲେ, ପୁଣି ତାହାର ଛାୟା ତଳେ ମହାଗୋଷ୍ଠୀସବୁ ବାସ କଲେ ।
ଯିହିଜିକଲ 31 : 7 (ORV)
ଏହି ପ୍ରକାରେ ସେ ଆପଣା ମହତ୍ତ୍ଵରେ, ତାହାର ଶାଖାସକଳର ଦୀର୍ଘତାରେ ମନୋହର ହେଲା; କାରଣ ପ୍ରଚୁର ଜଳ ନିକଟରେ ତାହାର ମୂଳ ଥିଲା ।
ଯିହିଜିକଲ 31 : 8 (ORV)
ପରମେଶ୍ଵରଙ୍କ ଉଦ୍ୟାନସ୍ଥ ଏରସ ବୃକ୍ଷସବୁ ତାହାକୁ ଲୁଚାଇ ପାରିଲେ ନାହିଁ; ଦେବଦାରୁ ବୃକ୍ଷସବୁ ତାହାର ଡାଳ ପରି ଓ ଅର୍ମୋନ୍ ବୃକ୍ଷସବୁ ତାହାର ଶାଖା ପରି ନ ଥିଲେ, ଅଥବା ପରମେଶ୍ଵରଙ୍କ ଉଦ୍ୟାନସ୍ଥିତ କୌଣସି ବୃକ୍ଷ ସୌନ୍ଦର୍ଯ୍ୟରେ ତାହା ପରି ନ ଥିଲା ।
ଯିହିଜିକଲ 31 : 9 (ORV)
ଆମ୍ଭେ ବହୁସଂଖ୍ୟକ ଶାଖା ଦ୍ଵାରା ତାକୁ ମନୋହର କଲୁ; ଏଥିପାଇଁ ପରମେଶ୍ଵରଙ୍କ ଉଦ୍ୟାନସ୍ଥିତ ଏଦନର ସକଳ ବୃକ୍ଷ ତାହାକୁ ଈର୍ଷା କଲେ ।
ଯିହିଜିକଲ 31 : 10 (ORV)
ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ସେ ବୃକ୍ଷ ଦୀର୍ଘତାରେ ଉଚ୍ଚୀକୃତ ହୋଇଅଛି ଓ ଗହଳିଆ ଡାଳସମୂହ ମଧ୍ୟରେ ସେ ଆପଣା ଶିଖର ରଖିଅଛି, ଆଉ ଆପଣାର ଉଚ୍ଚତାରେ ତାହାର ଅନ୍ତଃକରଣ ଗର୍ବିତ ହୋଇଅଛି,
ଯିହିଜିକଲ 31 : 11 (ORV)
ଏଥିପାଇଁ ଆମ୍ଭେ ତାହାକୁ ନାନା ଗୋଷ୍ଠୀ ମଧ୍ୟରେ ବଳବାନର ହସ୍ତରେ ସମର୍ପଣ କରିବା, ସେ ନିଶ୍ଚୟ ତାହା ସହିତ ଉଚିତ ବ୍ୟବହାର କରିବ, ଆମ୍ଭେ ତାହାର ଦୁଷ୍ଟତା ସକାଶୁ ତାହାକୁ ତଡ଼ି ଦେଇଅଛୁ ।
ଯିହିଜିକଲ 31 : 12 (ORV)
ପୁଣି, ଗୋଷ୍ଠୀୟମାନଙ୍କ ମଧ୍ୟରେ ଭୟଙ୍କର ବିଦେଶୀମାନେ ତାହାକୁ କାଟି ପକାଇ ଛାଡ଼ି ଯାଇଅଛନ୍ତି; ପର୍ବତମାନଙ୍କ ଉପରେ ଓ ସକଳ ଉପତ୍ୟକାରେ ତାହାର ଶାଖାସବୁ ପଡ଼ିଅଛି, ଆଉ ଦେଶର ସକଳ ଜଳ-ପ୍ରବାହର ନିକଟରେ ତାହାର ଡାଳସବୁ ଭଙ୍ଗା ଯାଇଅଛି; ପୁଣି, ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ତାହାର ଛାୟା ତଳୁ ଯାଇଅଛନ୍ତି ଓ ତାହାକୁ ତ୍ୟାଗ କରିଅଛନ୍ତି ।
ଯିହିଜିକଲ 31 : 13 (ORV)
ଜଳରାଶିର ନିକଟବର୍ତ୍ତୀ ସକଳ ବୃକ୍ଷ ମଧ୍ୟରୁ କୌଣସି ବୃକ୍ଷ ଯେପରି ଆପଣା ଦୀର୍ଘତାରେ ଦର୍ପ ନ କରେ, କିଅବା ଗହଳିଆ ଡାଳମାନଙ୍କ ମଧ୍ୟରେ ଆପଣା ଶିଖର ନ ରଖେ, ଅଥବା ଜଳପାୟୀ ବିକ୍ରମୀସକଳ ଯେପରି ଆପଣା ଆପଣା ଉଚ୍ଚତାରେ ଠିଆ ନ ହୁଅନ୍ତି;
ଯିହିଜିକଲ 31 : 14 (ORV)
ଏହି ଅଭିପ୍ରାୟରେ ତାହାର ଭଗ୍ନାବଶିଷ୍ଟାଂଶ ଉପରେ ଆକାଶର ପକ୍ଷୀସକଳ ବାସ କରିବେ ଓ କ୍ଷେତ୍ରସ୍ଥ ପଶୁସକଳ ତାହାର ଶାଖାମାନଙ୍କ ଉପରେ ରହିବେ; କାରଣ ମନୁଷ୍ୟ-ସନ୍ତାନଗଣ ମଧ୍ୟରେ ଗର୍ତ୍ତଗାମୀମାନଙ୍କ ସହିତ ସେସମସ୍ତେ ମୃତ୍ୟୁରେ ଅଧୋଭୁବନରେ ସମର୍ପିତ ହୋଇଅଛନ୍ତି ।
ଯିହିଜିକଲ 31 : 15 (ORV)
ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ସେ ପାତାଳକୁ ଓହ୍ଲାଇ ଯିବା ଦିନ ଆମ୍ଭେ ଶୋକ ନିରୂପଣ କଲୁ, ଆମ୍ଭେ ତାହା ସକାଶୁ ଜଳଧିକୁ ଆଚ୍ଛାଦିତ କଲୁ ଓ ଆମ୍ଭେ ତହିଁର ସ୍ରୋତସମୂହକୁ ନିବୃତ୍ତ କଲୁ, ତହିଁରେ ମହାଜଳରାଶି ରୁଦ୍ଧ ହେଲା; ପୁଣି, ଆମ୍ଭେ ତାହା ନିମନ୍ତେ ଲିବାନୋନକୁ ଶୋକ କରାଇଲୁ ଓ କ୍ଷେତ୍ରସ୍ଥ ବୃକ୍ଷସକଳ ତାହା ଲାଗି ମ୍ଳାନ ହେଲେ ।
ଯିହିଜିକଲ 31 : 16 (ORV)
ଆମ୍ଭେ ତାହାକୁ ଗର୍ତ୍ତ ଅବରୋହଣକାରୀମାନଙ୍କ ସହିତ ପାତାଳକୁ ପକାଇ ଦେବା ବେଳେ, ତାହାର ପତନ ଶଦ୍ଦରେ ଗୋଷ୍ଠୀୟମାନଙ୍କୁ କମ୍ପିତ କରାଇଲୁ; ପୁଣି ଏଦନର, ଅର୍ଥାତ୍, ଲିବାନୋନର ମନୋନୀତ ଓ ସର୍ବୋତ୍ତମ ଜଳପାୟୀ ବୃକ୍ଷସକଳ ଅଧୋଭୁବନରେ ସାନ୍ତ୍ଵନା ପାଇଲେ ।
ଯିହିଜିକଲ 31 : 17 (ORV)
ସେମାନେ ହିଁ ତାହା ସହିତ ପାତାଳକୁ, ଖଡ଼୍‍ଗରେ ହତ ଲୋକମାନଙ୍କ ନିକଟକୁ ଓହ୍ଲାଇ ଗଲେ; ହଁ, ସେମାନେ ତାହାର ବାହୁ ସ୍ଵରୂପ ହୋଇ ତାହାର ଛାୟା ତଳେ ଗୋଷ୍ଠୀୟମାନଙ୍କ ମଧ୍ୟରେ ବାସ କରିଥିଲେ ।
ଯିହିଜିକଲ 31 : 18 (ORV)
ଏହିରୂପେ ତୁମ୍ଭେ ଐଶ୍ଵର୍ଯ୍ୟରେକ୍ ଓ ମହତ୍ତ୍ଵରେ ଏଦନସ୍ଥ ବୃକ୍ଷସମୂହର ମଧ୍ୟରେ କାହାର ତୁଲ୍ୟ? ତଥାପି ତୁମ୍ଭେ ଏଦନସ୍ଥ ବୃକ୍ଷଗଣର ସହିତ ଅଧୋଭୁବନକୁ ଅଣାଯିବ; ତୁମ୍ଭେ ଅସୁନ୍ନତ ଲୋକମାନଙ୍କ ମଧ୍ୟରେ ଖଡ଼୍‍ଗହତ ଲୋକମାନଙ୍କ ସହିତ ଶୟନ କରିବ । ଏହି ଫାରୋ ଓ ତାହାର ସମସ୍ତ ଲୋକାରଣ୍ୟ ଏପରି ଅଟନ୍ତି, ଏହା ପ୍ରଭୁ ସଦାପ୍ରଭୁ କହନ୍ତି ।

1 2 3 4 5 6 7 8 9 10 11 12 13 14 15 16 17 18

BG:

Opacity:

Color:


Size:


Font: