ଯିହିଜିକଲ 10 : 1 (ORV)
ସେତେବେଳେ ମୁଁ ଅନାଇଲି, ଆଉ ଦେଖ, କିରୂବମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ୟମଣ୍ତଳରେ ନୀଳକାନ୍ତମଣି ସଦୃଶ ଏକ ସିଂହାସନର ତୁଲ୍ୟ ଆକୃତି ସେମାନଙ୍କ ଉପରେ ଦେଖାଗଲା ।
ଯିହିଜିକଲ 10 : 2 (ORV)
ପୁଣି, ସେ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ କହିଲେ, ତୁମ୍ଭେ ସେହି ଘୂର୍ଣ୍ଣାୟମାନ ଚକ୍ରମାନର ମଧ୍ୟ-ସ୍ଥାନକୁ, ଅର୍ଥାତ୍, କିରୂବର ତଳକୁ ଯାଇ, କିରୂବମାନର ମଧ୍ୟ-ସ୍ଥାନରୁ ଏକ ଅଞ୍ଜଳିପୂର୍ଣ୍ଣ ଜ୍ଵଳ; ଅଙ୍ଗାର ନେଇ ନଗର ଉପରେ ବିଞ୍ଚି ଦିଅ । ତହିଁରେ ସେ ବ୍ୟକ୍ତି ମୋʼ ସାକ୍ଷାତରେ ଗଲେ ।
ଯିହିଜିକଲ 10 : 3 (ORV)
ସେ ପୁରୁଷ ଯିବା ବେଳେ କିରୂବମାନେ ଗୃହର ଦକ୍ଷିଣ ପାର୍ଶ୍ଵରେ ଠିଆ ହୋଇଥିଲେ ଓ ମେଘ ଭିତର ପ୍ରାଙ୍ଗଣକୁ ପରିପୂର୍ଣ୍ଣ କଲା ।
ଯିହିଜିକଲ 10 : 4 (ORV)
ପୁଣି, ସଦାପ୍ରଭୁଙ୍କର ପ୍ରତାପ କିରୂବର ଉପରରୁ ଉଠି ଗୃହର ଏରୁଣ୍ତିର ଉପରେ ଠିଆ ହେଲା; ତହିଁରେ ଗୃହ ମେଘରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ସଦାପ୍ରଭୁଙ୍କ ପ୍ରତାପର ତେଜରେ ପରିପୂର୍ଣ୍ଣ ହେଲା ।
ଯିହିଜିକଲ 10 : 5 (ORV)
ଆଉ, ସର୍ବଶକ୍ତିମାନ ପରମେଶ୍ଵରଙ୍କର କଥା କହିବା ସମୟର ରବ ତୁଲ୍ୟ କିରୂବମାନଙ୍କ ପକ୍ଷର ଶଦ୍ଦ ବାହାର ପ୍ରାଙ୍ଗଣ ପର୍ଯ୍ୟନ୍ତ ଶୁଣାଗଲା ।
ଯିହିଜିକଲ 10 : 6 (ORV)
ପୁଣି, ତୁମ୍ଭେ ଘୂର୍ଣ୍ଣାୟମାନ ଚକ୍ର ମଧ୍ୟରୁ, ଅର୍ଥାତ୍, କିରୂବଗଣର ମଧ୍ୟ-ସ୍ଥାନରୁ ଅଗ୍ନି ନିଅ, ଏହି କଥା କହି ସେ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ ଆଜ୍ଞା କଲା ବେଳେ ସେ ପୁରୁଷ ଯାଇ ଗୋଟିଏ ଚକ୍ର ପାର୍ଶ୍ଵରେ ଠିଆ ହେଲେ ।
ଯିହିଜିକଲ 10 : 7 (ORV)
ତହିଁରେ ସେହି କିରୂବ, କିରୂବମାନଙ୍କ ମଧ୍ୟରୁ, କିରୂବମାନଙ୍କର ମଧ୍ୟସ୍ଥିତ ଅଗ୍ନିକୁ ଆପଣା ହସ୍ତ ବଢ଼ାଇ ତହିଁରୁ କିଛି ନେଇ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷଙ୍କ ହସ୍ତରେ ଦେଲେ ଓ ସେ ତାହା ନେଇ ବାହାରକୁ ଗଲେ ।
ଯିହିଜିକଲ 10 : 8 (ORV)
ଆଉ, କିରୂବମାନଙ୍କ ମଧ୍ୟରେ ସେମାନଙ୍କ ପକ୍ଷ ତଳେ ମାନବ ହସ୍ତର ଏକ ଆକୃତି ଦେଖାଗଲା ।
ଯିହିଜିକଲ 10 : 9 (ORV)
ପୁଣି, ମୁଁ ଅନାଇଲି, ଆଉ ଦେଖ, ଏକ କିରୂବର ପାର୍ଶ୍ଵରେ ଏକ ଚକ୍ର ଓ ଅନ୍ୟ କିରୂବର ପାର୍ଶ୍ଵରେ ଅନ୍ୟ ଚକ୍ର, ଏହିରୂପ କିରୂବମାନଙ୍କ ପାର୍ଶ୍ଵରେ ଚାରି ଚକ୍ର ଥିଲା; ଆଉ, ସେହି ଚକ୍ରମାନର ଆଭା ବୈଦୁର୍ଯ୍ୟ ମଣିର ଆଭା ତୁଲ୍ୟ ଥିଲା ।
ଯିହିଜିକଲ 10 : 10 (ORV)
ସେମାନଙ୍କର ଆକୃତି ଏହି, ଚକ୍ର ମଧ୍ୟରେ ଚକ୍ର ଥିଲା ପରି ସେହି ଚାରିର ଏକ ଆକୃତି ଥିଲା ।
ଯିହିଜିକଲ 10 : 11 (ORV)
ଗମନ କରିବା ବେଳେ ସେମାନେ ଆପଣା-ମାନଙ୍କର ଚାରି ପାର୍ଶ୍ଵରେ ଗମନ କଲେ; ଗମନ କଲା ବେଳେ ସେମାନେ ଫେରିଲେ ନାହିଁ, ମାତ୍ର ମସ୍ତକର ସମ୍ମୁଖ ସ୍ଥାନକୁ ତାହାର ପଶ୍ଚାତ୍ରେ ଗମନ କଲେ; ଗମନ କଲା ବେଳେ ସେମାନେ ଫେରିଲେ ନାହିଁ ।
ଯିହିଜିକଲ 10 : 12 (ORV)
ପୁଣି, ସେମାନଙ୍କର ସମୁଦାୟ ଗାତ୍ର ଓ ସେମାନଙ୍କର ପୃଷ୍ଠ, ହସ୍ତ ଓ ପକ୍ଷ, ଆଉ ଚକ୍ରସବୁ, ଅର୍ଥାତ୍, ସେହି ଚାରି ଚକ୍ର ଚାରିଆଡ଼େ ଚକ୍ଷୁରେ ପୂର୍ଣ୍ଣ ଥିଲା ।
ଯିହିଜିକଲ 10 : 13 (ORV)
ଆଉ, ମୋʼ କର୍ଣ୍ଣଗୋଚରରେ ସେହି ଚକ୍ରମାନଙ୍କୁ ଘୂର୍ଣ୍ଣାୟମାନ ଚକ୍ର ବୋଲି କୁହାଗଲା ।
ଯିହିଜିକଲ 10 : 14 (ORV)
ପୁଣି, ପ୍ରତ୍ୟେକର ଚାରି ମୁଖ ଥିଲା; ପ୍ରଥମ ମୁଖ କିରୂବର ମୁଖ, ଦ୍ଵିତୀୟର ମୁଖ ମନୁଷ୍ୟର ମୁଖ, ତୃତୀୟ ସିଂହର ମୁଖ ଓ ଚତୁର୍ଥ ଉତ୍ତ୍କ୍ରୋଶ ପକ୍ଷୀର ମୁଖ ।
ଯିହିଜିକଲ 10 : 15 (ORV)
ଆଉ, କିରୂବଗଣ ଊର୍ଦ୍ଧ୍ଵକୁ ଉଠିଲେ । ମୁଁ କବାର ନଦୀ ତୀରରେ ଯେଉଁ ଜୀବିତ ପ୍ରାଣୀକୁ ଦେଖିଥିଲି, ସେ ଏହି ।
ଯିହିଜିକଲ 10 : 16 (ORV)
କିରୂବମାନେ ଗମନ କରିବା ବେଳେ ଚକ୍ରସବୁ ସେମାନଙ୍କର ପାର୍ଶ୍ଵରେ ଗମନ କଲେ: ପୁଣି, କିରୂବମାନେ ଭୂମିରୁ ଊର୍ଦ୍ଧ୍ଵକୁ ଯିବା ପାଇଁ ଯେତେବେଳେ ଆପଣା ଆପଣା ପକ୍ଷ ଉଠାଇଲେ, ସେତେବେଳେ ଚକ୍ରସବୁ ହିଁ ସେମାନଙ୍କ ପାର୍ଶ୍ଵ ଛାଡ଼ିଲେ ନାହିଁ ।
ଯିହିଜିକଲ 10 : 17 (ORV)
ସେମାନେ ଠିଆ ହେବା ବେଳେ ଏମାନେ ଠିଆ ହେଲେ; ପୁଣି, ସେମାନେ ଉପରକୁ ଉଠିବା ବେଳେ ଏମାନେ ସେମାନଙ୍କର ସଙ୍ଗେ ସଙ୍ଗେ ଉପରକୁ ଉଠିଲେ; କାରଣ ସେହି ଜୀବିତ ପ୍ରାଣୀର ଆତ୍ମା ସେହି ଚକ୍ରସବୁରେ ଥିଲା ।
ଯିହିଜିକଲ 10 : 18 (ORV)
ଅନନ୍ତର ସଦାପ୍ରଭୁଙ୍କ ପ୍ରତାପ ଗୃହର ଏରୁଣ୍ତିର ଊର୍ଦ୍ଧ୍ଵରୁ ପ୍ରସ୍ଥାନ କରି କିରୂବମାନଙ୍କ ଉପରେ ଅଧିଷ୍ଠାନ କଲା ।
ଯିହିଜିକଲ 10 : 19 (ORV)
ତହିଁରେ କିରୂବମାନେ ଆପଣା ଆପଣା ପକ୍ଷ ଉଠାଇଲେ, ଆଉ ମୋʼ ସାକ୍ଷାତରେ ଭୂମିରୁ ଊର୍ଦ୍ଧ୍ଵକୁ ଗମନ କଲା ବେଳେ ଚକ୍ରସବୁ ସେମାନଙ୍କ ପାର୍ଶ୍ଵରେ ଗମନ କଲେ; ପୁଣି, ସଦାପ୍ରଭୁଙ୍କ ଗୃହର ପୂର୍ବ-ଦ୍ଵାରର ପ୍ରବେଶ-ସ୍ଥାନରେ ସେମାନେ ଠିଆ ହେଲେ; ସେସମୟରେ ଇସ୍ରାଏଲର ପରମେଶ୍ଵରଙ୍କର ପ୍ରତାପ ସେମାନଙ୍କ ଉପରେ ବିଦ୍ୟମାନ ଥିଲା ।
ଯିହିଜିକଲ 10 : 20 (ORV)
ମୁଁ କବାର ନଦୀ ନିକଟରେ ଇସ୍ରାଏଲର ପରମେଶ୍ଵରଙ୍କର ବାହନ ଏହି ଜୀବିତ ପ୍ରାଣୀକୁ ଦେଖିଥିଲି; ଆଉ, ସେମାନେ କିରୂବ ବୋଲି ମୁଁ ଜାଣିଲି ।
ଯିହିଜିକଲ 10 : 21 (ORV)
ସେମାନଙ୍କର ପ୍ରତ୍ୟେକର ଚାରି ଚାରି ମୁଖ ଓ ଚାରି ଚାରି ପକ୍ଷ ଥିଲା; ଆଉ, ସେମାନଙ୍କ ପକ୍ଷ ତଳେ ମାନବ ହସ୍ତର ଆକୃତି ଥିଲା ।
ଯିହିଜିକଲ 10 : 22 (ORV)
ପୁଣି, ମୁଁ କବାର ନଦୀ ନିକଟରେ ଯେଉଁ ଯେଉଁ ମୁଖ ଦେଖିଥିଲି, ସେମାନଙ୍କର ଓ ଏମାନଙ୍କର ମୁଖର ଆକୃତି ଏକ, ସେମାନଙ୍କର ଆକୃତି ଓ ସେମାନେ ଏକ ଅଟନ୍ତି; ସେମାନେ ପ୍ରତ୍ୟେକେ ସମ୍ମୁଖ ଆଡ଼େ ଗମନ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22

BG:

Opacity:

Color:


Size:


Font: