ଯିରିମିୟ 7 : 1 (ORV)
ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
ଯିରିମିୟ 7 : 2 (ORV)
ତୁମ୍ଭେ ସଦାପ୍ରଭୁଙ୍କ ଗୃହର ଦ୍ଵାରରେ ଠିଆ ହୋଇ ସେଠାରେ ଏହି କଥା ପ୍ରଚାର କରି କୁହ, ହେ ଯିହୁଦାର ଲୋକ ସମସ୍ତେ, ସଦାପ୍ରଭୁଙ୍କର ଭଜନା କରିବା ନିମନ୍ତେ ଏହିସବୁ ଦ୍ଵାରରେ ପ୍ରବେଶ କରିଥାଅ ଯେ ତୁମ୍ଭେମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ ।
ଯିରିମିୟ 7 : 3 (ORV)
ଇସ୍ରାଏଲର ପରମେଶ୍ଵର ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆପଣା ଆପଣା ଆଚାର ବ୍ୟବହାର ଶୁଧୁରାଅ, ତହିଁରେ ଆମ୍ଭେ ଏହି ସ୍ଥାନରେ ତୁମ୍ଭମାନଙ୍କୁ ବାସ କରାଇବା ।
ଯିରିମିୟ 7 : 4 (ORV)
ଏହିସବୁ ସଦାପ୍ରଭୁଙ୍କର ମନ୍ଦିର, ସଦାପ୍ରଭୁଙ୍କର ମନ୍ଦିର, ସଦାପ୍ରଭୁଙ୍କର ମନ୍ଦିର, ଏହି ମିଥ୍ୟା କଥାରେ ବିଶ୍ଵାସ କର ନାହିଁ ।
ଯିରିମିୟ 7 : 5 (ORV)
କାରଣ ଯେବେ ତୁମ୍ଭେମାନେ ଆପଣା ଆପଣା ଆଚାର ବ୍ୟବହାର ସମ୍ପୂର୍ଣ୍ଣ ରୂପେ ଶୁଧୁରାଅ; ଯେବେ ତୁମ୍ଭେମାନେ ମନୁଷ୍ୟ ଓ ତାହାର ପ୍ରତିବାସୀ ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ବିଚାର ନିଷ୍ପତ୍ତି କର;
ଯିରିମିୟ 7 : 6 (ORV)
ଯେବେ ତୁମ୍ଭେମାନେ ବିଦେଶୀ, ପିତୃହୀନ ଓ ବିଧବା ପ୍ରତି ଉପଦ୍ରବ ନ କର ଓ ଏହି ସ୍ଥାନରେ ନିର୍ଦ୍ଦୋଷର ରକ୍ତପାତ ନ କର, କିଅବା ଆପଣା ଆପଣାର କ୍ଷତି ନିମନ୍ତେ ଅନ୍ୟ ଦେବଗଣର ପଶ୍ଚାଦ୍ଗାମୀ ନ ହୁଅ;
ଯିରିମିୟ 7 : 7 (ORV)
ତେବେ ଆମ୍ଭେ ତୁମ୍ଭମାନଙ୍କୁ ଏହି ସ୍ଥାନରେ, ପୁରାତନ କାଳରୁ ଅନ; କାଳ ପର୍ଯ୍ୟନ୍ତ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭର ଦତ୍ତ ଏହି ଦେଶରେ ବାସ କରାଇବା ।
ଯିରିମିୟ 7 : 8 (ORV)
ଦେଖ, ଯଦ୍ଦ୍ଵାରା ଉପକାର ହୋଇ ନ ପାରେ, ଏପରି ମିଥ୍ୟା କଥାରେ ତୁମ୍ଭେମାନେ ବିଶ୍ଵାସ କରୁଅଛ ।
ଯିରିମିୟ 7 : 9 (ORV)
ତୁମ୍ଭେମାନେ କି ଚୋରି, ନରହତ୍ୟା ଓ ବ୍ୟଭିଚାର ଓ ମିଥ୍ୟା ଶପଥ ଓ ବାଲ୍ଦେବ ଉଦ୍ଦେଶ୍ୟରେ ଧୂପଦାହ ଓ ତୁମ୍ଭମାନଙ୍କର ଅଜ୍ଞାତ ଅନ୍ୟ ଦେବଗଣର ପଶ୍ଚାଦ୍ଗମନ କରିବ,
ଯିରିମିୟ 7 : 10 (ORV)
ତହୁଁ ଆମ୍ଭ ନାମରେ ଖ୍ୟାତ ଏହି ଗୃହ ମଧ୍ୟକୁ ଆସି ଆମ୍ଭ ସମ୍ମୁଖରେ ଠିଆ ହେବ, ଆଉ କହିବ, ଆମ୍ଭେମାନେ ଉଦ୍ଧାର ପାଇଲୁ; ଯେପରି ଏହିସବୁ ଘୃଣାଯୋଗ୍ୟ କର୍ମ କରିପାରୁ?
ଯିରିମିୟ 7 : 11 (ORV)
ଆମ୍ଭ ନାମରେ ଖ୍ୟାତ ଏହି ଗୃହ ତୁମ୍ଭମାନଙ୍କ ଦୃଷ୍ଟିରେ କି ଚୋରମାନଙ୍କର ଗହ୍ଵର ହୋଇଅଛି? ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ, ଆମ୍ଭେ ହିଁ ତାହା ଦେଖିଅଛୁ ।
ଯିରିମିୟ 7 : 12 (ORV)
ମାତ୍ର ଶୀଲୋସ୍ଥିତ ଯେଉଁ ସ୍ଥାନରେ ଆମ୍ଭେ ପୂର୍ବେ ଆପଣା ନାମ ବାସ କରାଇଥିଲୁ, ଏବେ ତୁମ୍ଭେମାନେ ଆମ୍ଭର ସେହି ସ୍ଥାନକୁ ଯାଅ, ଆଉ ଆମ୍ଭର ଇସ୍ରାଏଲ ଲୋକଙ୍କ ଦୁଷ୍ଟତା ସକାଶୁ ଆମ୍ଭେ ତହିଁ ପ୍ରତି ଯାହା କରିଅଛୁ, ତାହା ଦେଖ ।
ଯିରିମିୟ 7 : 13 (ORV)
ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଏହିସବୁ କର୍ମ କରିଅଛ ଓ ଆମ୍ଭେ ପ୍ରତ୍ୟୁଷରେ ଉଠି କଥା କହିଲେ ହେଁ ତୁମ୍ଭେମାନେ ଶୁଣିଲ ନାହିଁ ଓ ଆମ୍ଭେ ଡାକିଲେ ହେଁ ତୁମ୍ଭେମାନେ ଉତ୍ତର ଦେଲ ନାହିଁ;
ଯିରିମିୟ 7 : 14 (ORV)
ଏହେତୁ ଆମ୍ଭେ ଶୀଲୋ ପ୍ରତି ଯେରୂପ କରିଅଛୁ, ଆମ୍ଭ ନାମରେ ଖ୍ୟାତ ଏହି ଯେଉଁ ଗୃହରେ ତୁମ୍ଭେମାନେ ବିଶ୍ଵାସ କରୁଅଛ, ତହିଁ ପ୍ରତି; ପୁଣି ତୁମ୍ଭମାନଙ୍କ ଓ ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ଆମ୍ଭର ଦତ୍ତ ଏହି ସ୍ଥାନ ପ୍ରତି ଆମ୍ଭେ ତଦ୍ରୂପ କରିବା!
ଯିରିମିୟ 7 : 15 (ORV)
ଆଉ, ଆମ୍ଭେ ତୁମ୍ଭମାନଙ୍କର ଭ୍ରାତୃସମୂହକୁ, ଅର୍ଥାତ୍, ଇଫ୍ରୟିମର ସମୁଦାୟ ବଂଶକୁ ଯେପରି ଦୂର କରିଅଛୁ, ସେପରି ତୁମ୍ଭମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କରିବା ।
ଯିରିମିୟ 7 : 16 (ORV)
ଏଣୁକରି ତୁମ୍ଭେ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ, କିଅବା ସେମାନଙ୍କ ନିମନ୍ତେ କାତରୋକ୍ତି ଅବା ପ୍ରାର୍ଥନା ଉତ୍ସର୍ଗ କର ନାହିଁ, ଆମ୍ଭ ନିକଟରେ ନିବେଦନ କର ନାହିଁ; କାରଣ ଆମ୍ଭେ ତୁମ୍ଭ କଥା ଶୁଣିବା ନାହିଁ ।
ଯିରିମିୟ 7 : 17 (ORV)
ସେମାନେ ଯିହୁଦାର ନଗର ଓ ଯିରୂଶାଲମର ସଡ଼କସବୁରେ ଯାହା କରୁଅଛନ୍ତି, ତାହା କି ତୁମ୍ଭେ ଦେଖୁ ନାହଁ?
ଯିରିମିୟ 7 : 18 (ORV)
ଆମ୍ଭକୁ ବିରକ୍ତ କରିବା ପାଇଁ ଚନ୍ଦ୍ରମାର ଉଦ୍ଦେଶ୍ୟରେ ପିଷ୍ଟକ ପାକ ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ବାଳକମାନେ କାଠ ସାଉଣ୍ଟନ୍ତି, ପିତୃଗଣ ଅଗ୍ନି ଜ୍ଵଳାନ୍ତି, ସ୍ତ୍ରୀମାନେ ମଇଦା ଚକଟନ୍ତି ।
ଯିରିମିୟ 7 : 19 (ORV)
ସଦାପ୍ରଭୁ କହନ୍ତି, ସେମାନେ କʼଣ ଆମ୍ଭକୁ ବିରକ୍ତ କରନ୍ତି? ବରଞ୍ଚ ଆପଣାମାନଙ୍କ ମୁଖର ବିବର୍ଣ୍ଣତା ନିମନ୍ତେ କʼଣ ଆପଣାମାନଙ୍କୁ ବିରକ୍ତ ନ କରନ୍ତି?
ଯିରିମିୟ 7 : 20 (ORV)
ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଏହି ସ୍ଥାନ ଉପରେ ମନୁଷ୍ୟ ଓ ପଶୁ ଓ କ୍ଷେତ୍ରସ୍ଥିତ ବୃକ୍ଷ ଓ ଭୂମିର ଫଳ, ଏହିସବୁର ଉପରେ ଆମ୍ଭର କ୍ରୋଧ ଓ କୋପ ଢଳାଯିବ; ତାହା ଦଗ୍ଧ କରିବ ଓ ନିର୍ବାଣ ନୋହିବ ।
ଯିରିମିୟ 7 : 21 (ORV)
ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ତୁମ୍ଭେମାନେ ଆପଣାମାନଙ୍କର ଅନ୍ୟାନ୍ୟ ବଳି ସହିତ ତୁମ୍ଭମାନଙ୍କର ହୋମବଳି ଯୋଗ କରି ମାଂସ ଭୋଜନ କର ।
ଯିରିମିୟ 7 : 22 (ORV)
କାରଣ ଯେଉଁ ଦିନ ଆମ୍ଭେ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲୁ, ସେହି ଦିନ ଆମ୍ଭେ ହୋମ କିଅବା ବଳିଦାନ ବିଷୟରେ କହିଲୁ ନାହିଁ କି ଆଜ୍ଞା ଦେଲୁ ନାହିଁ
ଯିରିମିୟ 7 : 23 (ORV)
ମାତ୍ର ଆମ୍ଭେ ଆଜ୍ଞା ଦେଇ ସେମାନଙ୍କୁ ଏହି କଥା କହିଲୁ, ତୁମ୍ଭେମାନେ ଆମ୍ଭ ରବରେ ଅବଧାନ କର, ତହିଁରେ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ଵର ହେବା ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ; ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଯେ ଯେ ପଥରେ ଚାଲିବାକୁ ଆଜ୍ଞା କରୁ, ସେସବୁ ପଥରେ ତୁମ୍ଭେମାନେ ଚାଲ, ତହିଁରେ ତୁମ୍ଭମାନଙ୍କର ମଙ୍ଗଳ ହେବ ।
ଯିରିମିୟ 7 : 24 (ORV)
ମାତ୍ର ସେମାନେ ଶୁଣିଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ, ମାତ୍ର ସେମାନେ ଆପଣା ଆପଣା ମନ୍ତ୍ରଣାରେ ଓ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତାନୁସାରେ ଗମନ କରି ପଶ୍ଚାଦ୍ବର୍ତ୍ତୀ ହେଲେ, ଅଗ୍ରବର୍ତ୍ତୀ ହେଲେ ନାହିଁ ।
ଯିରିମିୟ 7 : 25 (ORV)
ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ମିସର ଦେଶରୁ ବାହାର ହୋଇ ଆସିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭେ ଆପଣାର ସମସ୍ତ ଦାସ ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇବା ନିମନ୍ତେ ନିତ୍ୟ ନିତ୍ୟ ପ୍ରତ୍ୟୁଷରେ ଉଠି ତୁମ୍ଭମାନଙ୍କ ନିକଟକୁ ସେମାନଙ୍କୁ ପଠାଇଅଛୁ;
ଯିରିମିୟ 7 : 26 (ORV)
ତଥାପି ସେମାନେ ଆମ୍ଭ କଥା ଶୁଣିଲେ ନାହିଁ, କିଅବା ତହିଁରେ କର୍ଣ୍ଣପାତ କଲେ ନାହିଁ, ମାତ୍ର ଆପଣା ଆପଣା ଗ୍ରୀବା ଶକ୍ତ କଲେ; ସେମାନେ ଆପଣା-ମାନଙ୍କର ପୂର୍ବପୁରୁଷଗଣ ଅପେକ୍ଷା ଅଧିକ ଦୁରାଚାର କଲେ ।
ଯିରିମିୟ 7 : 27 (ORV)
ଆଉ, ତୁମ୍ଭେ ଏହିସବୁ କଥା ସେମାନଙ୍କୁ କହିବ; ମାତ୍ର ସେମାନେ ତୁମ୍ଭ କଥା ଶୁଣିବେ ନାହିଁ; ତୁମ୍ଭେ ସେମାନଙ୍କୁ ଡାକିବ; ମାତ୍ର ସେମାନେ ତୁମ୍ଭକୁ ଉତ୍ତର ଦେବେ ନାହିଁ ।
ଯିରିମିୟ 7 : 28 (ORV)
ତହିଁରେ ତୁମ୍ଭେ ସେମାନଙ୍କୁ କହିବ, ଯେଉଁମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କ ରବରେ ଅବଧାନ ଓ ଶିକ୍ଷା ଗ୍ରହଣ କରି ନାହାନ୍ତି, ସେମାନେ ଏହି ଗୋଷ୍ଠୀ; ସତ୍ୟତା ଲୁପ୍ତ ଓ ତାହା ସେମାନଙ୍କ ମୁଖରୁ ଉଚ୍ଛିନ୍ନ ହୋଇଅଛି ।
ଯିରିମିୟ 7 : 29 (ORV)
ହେ ଯିରୂଶାଲମ, ଆପଣା ମସ୍ତକର କେଶ କାଟି ପକାଇଦିଅ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରେ ବିଳାପ କର; କାରଣ ସଦାପ୍ରଭୁ ଆପଣାର କ୍ରୋଧପାତ୍ର ଏହି ବଂଶକୁ ଅଗ୍ରାହ୍ୟ ଓ ପରିତ୍ୟାଗ କରିଅଛନ୍ତି ।
ଯିରିମିୟ 7 : 30 (ORV)
ଯେହେତୁ ସଦାପ୍ରଭୁ କହନ୍ତି, ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ ଯିହୁଦାର ସନ୍ତାନଗଣ କରିଅଛନ୍ତି; ସେମାନେ ଆମ୍ଭ ନାମରେ ଖ୍ୟାତ ଏହି ଗୃହକୁ ଅଶୁଚି କରିବା ନିମନ୍ତେ ସେମାନଙ୍କର ଘୃଣାଯୋଗ୍ୟ ବସ୍ତୁ ତହିଁ ମଧ୍ୟରେ ରଖିଅଛନ୍ତି ।
ଯିରିମିୟ 7 : 31 (ORV)
ସେମାନେ ଆପଣା ଆପଣା ପୁତ୍ରକନ୍ୟାଗଣକୁ ଅଗ୍ନିରେ ଦଗ୍ଧ କରିବା ପାଇଁ ହିନ୍ନୋମ ପୁତ୍ରର ଉପତ୍ୟକାରେ ତୋଫତ୍ର ଉଚ୍ଚସ୍ଥଳୀମାନ ପ୍ରସ୍ତୁତ କରିଅଛନ୍ତି; ଏହା ଆମ୍ଭେ ଆଜ୍ଞା କରି ନାହୁଁ, କିଅବା ଆମ୍ଭ ମନରେ ଏହା ଉଦୟ ହୋଇ ନାହିଁ ।
ଯିରିମିୟ 7 : 32 (ORV)
ଏନିମନ୍ତେ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ତାହା ତୋଫତ୍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ନାମରେ ଆଉ ଖ୍ୟାତ ନ ହୋଇ ହତ୍ୟା-ଉପତ୍ୟକା ବୋଲି ଖ୍ୟାତ ହେବ, ଏପରି ସମୟ ଆସୁଅଛି; କାରଣ ଆଉ ସ୍ଥାନ ନ ଥିବାଯାଏ ଲୋକମାନେ ତୋଫତରେ କବର ଦେବେ ।
ଯିରିମିୟ 7 : 33 (ORV)
ତହିଁରେ ଏହି ଲୋକମାନଙ୍କର ଶବ ଆକାଶ ପକ୍ଷୀଗଣର ଓ ଭୂଚର ପଶୁଗଣର ଖାଦ୍ୟ ହେବ; ଆଉ, ସେମାନଙ୍କୁ କେହି ତଡ଼ି ଦେବ ନାହିଁ ।
ଯିରିମିୟ 7 : 34 (ORV)
ସେସମୟରେ ଆମ୍ଭେ ଯିହୁଦାର ନଗରସବୁରେ ଓ ଯିରୂଶାଲମର ସଡ଼କସବୁରେ, ଆମୋଦର ଧ୍ଵନି ଓ ଆନନ୍ଦର ଧ୍ଵନି ଓ ବରକନ୍ୟାର ଧ୍ଵନି ନିବୃତ୍ତ କରାଇବା; କାରଣ ଦେଶ ଧ୍ଵଂସସ୍ଥାନ ହେବ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34

BG:

Opacity:

Color:


Size:


Font: