ଯିରିମିୟ 49 : 1 (ORV)
ଅମ୍ମୋନ-ସନ୍ତାନଗଣର ବିଷୟ । ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲର କି ପୁତ୍ର ନାହିଁ? ତାହାର ଉତ୍ତରାଧିକାରୀ କି କେହି ନାହିଁ? ତେବେ ମିଲ୍‍କମ୍ କାହିଁକି ଗାଦର ଭୂମି ଅଧିକାର କରୁଅଛି ଓ ତାହାର ଲୋକମାନେ ତହିଁର ନଗରସମୂହରେ ବାସ କରୁଅଛନ୍ତି?
ଯିରିମିୟ 49 : 2 (ORV)
ଏହେତୁ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଅମ୍ମୋନ-ସନ୍ତାନଗଣର ରବ୍ବା ନଗର ବିରୁଦ୍ଧରେ ଯୁଦ୍ଧର ଭୟ-ଧ୍ଵନି ଶୁଣାଇବା, ଏପରି ସମୟ ଆସୁଅଛି; ଆଉ, ତାହା ନରଶୂନ୍ୟ ଢିପି ହେବ ଓ ତାହାର କନ୍ୟାଗଣ ଅଗ୍ନିରେ ଦଗ୍ଧ କରାଯିବେ; ତହିଁରେ ଯେଉଁମାନେ ଇସ୍ରାଏଲ ଉପରେ ଅଧିକାର କରିଥିଲେ, ସେ ସେମାନଙ୍କ ଉପରେ ଅଧିକାର କରିବ, ଏହା ସଦାପ୍ରଭୁ କହନ୍ତି ।
ଯିରିମିୟ 49 : 3 (ORV)
ହେ ହିଶ୍ବୋନ୍, ହାହାକାର କର, କାରଣ ଅୟ ଉଚ୍ଛିନ୍ନ ହେଲା! ହେ ରବ୍ବାର କନ୍ୟାଗଣ, କ୍ରନ୍ଦନ କର, ଚଟବସ୍ତ୍ର ପରିଧାନ କର; ବିଳାପ କର, ପ୍ରାଚୀର ମଧ୍ୟରେ ଏଣେତେଣେ ଦୌଡ଼; କାରଣ ମିଲ୍‍କମ୍, ତାହାର ଯାଜକଗଣ ଓ ଅଧିପତିଗଣ ଏକତ୍ର ବନ୍ଦୀ ହୋଇଯିବେ ।
ଯିରିମିୟ 49 : 4 (ORV)
ଗୋ ବିପଥଗାମିନୀ କନ୍ୟେ, ତୁମ୍ଭେ କାହିଁକି ତଳଭୂମି ସବୁରେ, ଆପଣା ପ୍ରବାହଶୀଳ ତଳଭୂମିରେ ଦର୍ପ କରୁଅଛ? ତୁମ୍ଭେ ଆପଣା ଧନ ସମ୍ପତ୍ତିରେ ନିର୍ଭର କରି କହୁଅଛ, ମୋʼ ନିକଟକୁ କିଏ ଆସିବ?
ଯିରିମିୟ 49 : 5 (ORV)
ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ଚତୁର୍ଦ୍ଦିଗସ୍ଥିତ ସବୁରୁ ତୁମ୍ଭ ପ୍ରତି ଭୟ ଘଟାଇବା; ତହିଁରେ ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥରେ ତାଡ଼ିତ ହେବ, ପୁଣି ଯେଉଁ ଜନ ପଥ ହୁଡ଼େ, ତାହାକୁ ସଂଗ୍ରହ କରିବା ପାଇଁ କେହି ନ ଥିବ ।
ଯିରିମିୟ 49 : 6 (ORV)
ତଥାପି ସଦାପ୍ରଭୁ କହନ୍ତି, ଏଥି ଉତ୍ତାରେ ଆମ୍ଭେ ଅମ୍ମୋନ-ସନ୍ତାନଗଣକୁ ବନ୍ଦୀତ୍ଵାବସ୍ଥାରୁ ପୁନର୍ବାର ଫେରାଇ ଆଣିବା ।
ଯିରିମିୟ 49 : 7 (ORV)
ଇଦୋମର ବିଷୟ । ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୈମନରେ କି ଆଉ ଜ୍ଞାନ ନାହିଁ? ବୁଦ୍ଧିମାନମାନଙ୍କଠାରୁ କି ପରାମର୍ଶ ଲୁପ୍ତ ହୋଇଅଛି? ସେମାନଙ୍କର ଜ୍ଞାନ କି ଅନ୍ତର୍ହିତ ହୋଇଅଛି?
ଯିରିମିୟ 49 : 8 (ORV)
ହେ ଦଦାନ୍ ନିବାସୀଗଣ, ତୁମ୍ଭେମାନେ ପଳାଅ, ମୁଖ ଫେରାଅ, ଗଭୀର ସ୍ଥାନରେ ବାସ କର; କାରଣ ଆମ୍ଭେ ତାହା ଉପରେ ଏଷୌର ବିପଦ, ତାହାକୁ ପ୍ରତିଫଳ ଦେବାର ସମୟ ଆଣିବା ।
ଯିରିମିୟ 49 : 9 (ORV)
ଦ୍ରାକ୍ଷାଫଳ ସଂଗ୍ରହକାରୀମାନେ ତୁମ୍ଭ ନିକଟକୁ ଆସିଲେ, ସେମାନେ କି ସାଉଣ୍ଟିବା ପାଇଁ କିଛି ଫଳ ଛାଡ଼ିବେ ନାହିଁ? ଯେବେ ଚୋରମାନେ ରାତ୍ରିରେ ଆସିବେ, ତେବେ ସେମାନେ ଯଥେଷ୍ଟ ପାଇବା ପର୍ଯ୍ୟନ୍ତ କି କ୍ଷତି କରିବେ ନାହିଁ?
ଯିରିମିୟ 49 : 10 (ORV)
ମାତ୍ର ଆମ୍ଭେ ଏଷୌକୁ ଶୂନ୍ୟ କରିଅଛୁ, ତାହାର ଗୁପ୍ତସ୍ଥାନସବୁ ଅନାବୃତ କରିଅଛୁ ଓ ସେ ଆପଣାକୁ ଲୁଚାଇ ପାରିବ ନାହିଁ; ତାହାର ବଂଶ, ତାହାର ଭ୍ରାତୃଗଣ ଓ ତାହାର ପ୍ରତିବାସୀଗଣ ବିନଷ୍ଟ ହୋଇଅଛନ୍ତି ଓ ସେ ନାହିଁ ।
ଯିରିମିୟ 49 : 11 (ORV)
ତୁମ୍ଭେ ଆପଣା ପିତୃହୀନ ସନ୍ତାନଗଣକୁ ଛାଡ଼, ଆମ୍ଭେ ସେମାନଙ୍କୁ ଜୀବନରେ ରକ୍ଷା କରିବା ଓ ତୁମ୍ଭର ବିଧବାମାନେ ଆମ୍ଭଠାରେ ବିଶ୍ଵାସ କରନ୍ତୁ ।
ଯିରିମିୟ 49 : 12 (ORV)
କାରଣ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଯେଉଁମାନଙ୍କର ସେହି ପାତ୍ରରେ ପାନ କରିବାର ସମ୍ପର୍କ ନାହିଁ, ସେମାନେ ନିତା; ତହିଁରେ ପାନ କରିବେ, ତେବେ ତୁମ୍ଭେ କି ସର୍ବତୋଭାବେ ଅଦଣ୍ତିତ ହେବ? ତୁମ୍ଭେ ଅଦଣ୍ତିତ ହେବ ନାହିଁ, ମାତ୍ର ନିଶ୍ଚୟ ପାନ କରିବ ।
ଯିରିମିୟ 49 : 13 (ORV)
କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ନିଜ ନାମରେ ଶପଥ କରିଅଛୁ ଯେ, ବସ୍ରା ବିସ୍ମୟର, ନିନ୍ଦାର, ଉତ୍ସନ୍ନତାର ଓ ଅଭିଶାପର ପାତ୍ର ହେବ ଓ ତହିଁର ନଗରସବୁ ଚିରକାଳ ଉତ୍ସନ୍ନସ୍ଥାନ ହେବ ।
ଯିରିମିୟ 49 : 14 (ORV)
ମୁଁ ସଦାପ୍ରଭୁଙ୍କଠାରୁ ସମ୍ଵାଦ ଶୁଣିଅଛି, ପୁଣି ଗୋଷ୍ଠୀଗଣ ମଧ୍ୟରେ ଏହି କଥା କହିବା ପାଇଁ ଜଣେ ଦୂତ ପ୍ରେରିତ ହୋଇଅଛି, ଯଥା, ତୁମ୍ଭେମାନେ ଏକତ୍ରିତ ହୋଇ ତାହା ବିରୁଦ୍ଧରେ ଆସ ଓ ଯୁଦ୍ଧ କରିବାକୁ ଉଠ ।
ଯିରିମିୟ 49 : 15 (ORV)
କାରଣ ଦେଖ, ଆମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭକୁ କ୍ଷୁଦ୍ର ଓ ମନୁଷ୍ୟମାନଙ୍କ ମଧ୍ୟରେ ଅବଜ୍ଞାତ କରିଅଛୁ ।
ଯିରିମିୟ 49 : 16 (ORV)
ଗୋ ଶୈଳଛିଦ୍ରନିବାସିନୀ, ହେ ପର୍ବତ ଶୃଙ୍ଗ ଅବଲମ୍ଵିନୀ, ତୁମ୍ଭର ଭୟଙ୍କରତା ବିଷୟରେ, ତୁମ୍ଭ ଅନ୍ତଃକରଣର ଅହଙ୍କାର ତୁମ୍ଭକୁ ବଞ୍ଚନା କରିଅଛି; ଯଦ୍ୟପି ତୁମ୍ଭେ ଉତ୍କୋଶ ପକ୍ଷୀ ପରି ଉଚ୍ଚ ସ୍ଥାନରେ ବସା କରିବ, ତଥାପି ଆମ୍ଭେ ତୁମ୍ଭକୁ ସେଠାରୁ ଓହ୍ଳାଇ ଆଣିବା, ଏହା ସଦାପ୍ରଭୁ କହନ୍ତି ।
ଯିରିମିୟ 49 : 17 (ORV)
ପୁଣି, ଇଦୋମ ବିସ୍ମୟର ବିଷୟ ହେବ; ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ବିସ୍ମିତ ହେବେ ଓ ତହିଁର ସକଳ ଦଣ୍ତ ସକାଶୁ ଶୀସ୍ ଶଦ୍ଦ କରିବେ ।
ଯିରିମିୟ 49 : 18 (ORV)
ସଦାପ୍ରଭୁ କହନ୍ତି, ସଦୋମ ଓ ହମୋରାର ଓ ତନ୍ନିକଟବର୍ତ୍ତୀ ନଗରସମୂହର ନ୍ୟାୟ ତାହାର ଉତ୍ପାଟନ ହେବ, କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ; କିଅବା କୌଣସି ମନୁଷ୍ୟସନ୍ତାନ ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ ।
ଯିରିମିୟ 49 : 19 (ORV)
ଦେଖ, ସେ ଦୃଢ଼ ନିବାସ-ସ୍ଥାନ ବିରୁଦ୍ଧରେ ସିଂହ ପରି ଯର୍ଦ୍ଦନର ଦର୍ପ-ସ୍ଥାନରୁ ଉଠି ଆସିବ; ମାତ୍ର ଆମ୍ଭେ ହଠାତ ତାହା ନିକଟରୁ ତାହାକୁ ଦୂର କରିଦେବା; ଆଉ, ମନୋନୀତ ଯେଉଁ ଲୋକ, ତାହା ଉପରେ ଆମ୍ଭେ ତାହାକୁ ନିଯୁକ୍ତ କରିବା; କାରଣ ଆମ୍ଭ ପରି କିଏ ଅଛି? ଆମ୍ଭ ପାଇଁ କିଏ ସମୟ ନିରୂପଣ କରିବ? ଓ ଆମ୍ଭ ସମ୍ମୁଖରେ ଯେ ଠିଆ ହୋଇପାରେ, ଏପରି ପାଳକ କିଏ ଅଛି?
ଯିରିମିୟ 49 : 20 (ORV)
ଏହେତୁ ସଦାପ୍ରଭୁ ଇଦୋମର ବିରୁଦ୍ଧରେ ଯେଉଁ ମନ୍ତ୍ରଣା ଓ ତୈମନ ନିବାସୀମାନଙ୍କ ବିରୁଦ୍ଧରେ ଯେଉଁ ସଙ୍କଳ୍ପ କରିଅଛନ୍ତି, ତାହା ଶୁଣ: ଲୋକମାନେ ନିଶ୍ଚୟ ସେମାନଙ୍କୁ, ପଲର ଛୁଆମାନଙ୍କୁ ହିଁ ଟାଣି ନେଇଯିବେ; ସେ ନିଶ୍ଚୟ ସେମାନଙ୍କ ନିବାସ-ସ୍ଥାନ ସହିତ ସେମାନଙ୍କୁ ଉତ୍ସନ୍ନ କରିବ ।
ଯିରିମିୟ 49 : 21 (ORV)
ସେମାନଙ୍କର ପତନ ଶଦ୍ଦରେ ପୃଥିବୀ କମ୍ପୁଅଛି, ସୂଫ ସାଗର ପର୍ଯ୍ୟନ୍ତ କ୍ରନ୍ଦନର ଶଦ୍ଦ ଶୁଣାଯାଉଅଛି ।
ଯିରିମିୟ 49 : 22 (ORV)
ଦେଖ, ସେ ଉତ୍କୋଶ ପକ୍ଷୀ ପରି ଉଠି ଉଡ଼ି ଆସିବ ଓ ବସ୍ରା ଉପରେ ଆପଣା ପକ୍ଷ ବିସ୍ତାର କରିବ; ପୁଣି, ସେସମୟରେ ଇଦୋମର ବୀର ପୁରୁଷମାନଙ୍କ ଅନ୍ତଃକରଣ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀର ଅନ୍ତଃକରଣର ସମାନ ହେବ ।
ଯିରିମିୟ 49 : 23 (ORV)
ଦାମାସ୍କସ୍ର ବିଷୟ । ହମାତ୍ ଓ ଅର୍ପଦ ଲଜ୍ଜିତ ହେଉଅଛନ୍ତି, କାରଣ ସେମାନେ ଅମଙ୍ଗଳର ବାର୍ତ୍ତା ଶୁଣିଅଛନ୍ତି, ସେମାନେ ତରଳି ଯାଇଅଛନ୍ତି; ସମୁଦ୍ରରେ ଉଦ୍ବେଗ ଦେଖା ଯାଉଅଛି, ତାହା ସୁସ୍ଥିର ହୋଇ ନ ପାରେ ।
ଯିରିମିୟ 49 : 24 (ORV)
ଦାମାସ୍କସ୍ କ୍ଷୀଣବଳ ହୋଇଅଛି, ସେ ପଳାଇବା ପାଇଁ ଫେରୁଅଛି, କମ୍ପନ ତାହାକୁ ଆକ୍ରା; କରିଅଛି; ଯେପରି ପ୍ରସବ କାଳରେ ସ୍ତ୍ରୀଲୋକକୁ, ସେପରି ତାହାକୁ ଯନ୍ତ୍ରଣା ଓ ଦୁଃଖ ଧରିଅଛି ।
ଯିରିମିୟ 49 : 25 (ORV)
ଏହି ପ୍ରଶଂସିତ ନଗର ଓ ଆମ୍ଭର ଆନନ୍ଦଜନକ ନଗର କିପାଁ ପରିତ୍ୟକ୍ତ ହୋଇ ନାହିଁ?
ଯିରିମିୟ 49 : 26 (ORV)
ଏହେତୁ ସଦାପ୍ରଭୁ କହନ୍ତି, ସେଦିନରେ ତାହାର ଯୁବକଗଣ ତାହାର ରାଜଦାଣ୍ତରେ ପତିତ ହେବେ ଓ ସମସ୍ତ ଯୋଦ୍ଧା ନିସ୍ତବ୍ଧ କରାଯିବେ ।
ଯିରିମିୟ 49 : 27 (ORV)
ପୁଣି, ଆମ୍ଭେ ଦାମାସ୍କସ୍ର ପ୍ରାଚୀରରେ ଅଗ୍ନି ଲଗାଇବା, ତହିଁରେ ତାହା ବିନ୍ହଦଦର ଅଟ୍ଟାଳିକାସବୁ ଗ୍ରାସ କରିବ ।
ଯିରିମିୟ 49 : 28 (ORV)
ବାବିଲର ରାଜା ନବୂଖଦ୍ନିତ୍ସର ଦ୍ଵାରା ପରାଜିତ କେଦରର ଓ ହାତ୍ସୋର ରାଜ୍ୟସମୂହର ବିଷୟ । ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଉଠି କେଦରକୁ ଯାଅ ଓ ପୂର୍ବଦେଶୀୟ ସନ୍ତାନଗଣର ସର୍ବସ୍ଵ ହରଣ କର ।
ଯିରିମିୟ 49 : 29 (ORV)
ଲୋକମାନେ ସେମାନଙ୍କର ତମ୍ଵୁ ଓ ପଶୁପଲସବୁ ନେଇଯିବେ; ସେମାନଙ୍କର ଯବନିକା ଓ ସେମାନଙ୍କର ଯାବତୀୟ ପାତ୍ର ଓ ଉଷ୍ଟ୍ରଗଣକୁ ସେମାନେ ଆପଣାମାନଙ୍କ ନିମନ୍ତେ ନେଇଯିବେ, ଆଉ ଚତୁର୍ଦ୍ଦିଗରେ ଆଶଙ୍କା ବୋଲି ଉଚ୍ଚ ସ୍ଵରରେ ସେମାନଙ୍କୁ କହିବେ ।
ଯିରିମିୟ 49 : 30 (ORV)
ସଦାପ୍ରଭୁ କହନ୍ତି, ହେ ହାତ୍ସୋର ନିବାସୀମାନେ, ପଳାୟନ କର, ଦୂରରେ ଭ୍ରମଣ କର, ଗଭୀର ସ୍ଥାନରେ ବାସ କର; କାରଣ ବାବିଲର ରାଜା ନବୂଖଦ୍ନିତ୍ସର ତୁମ୍ଭମାନଙ୍କ ବିରୁଦ୍ଧରେ ମନ୍ତ୍ରଣା କରିଅଛି ଓ ତୁମ୍ଭମାନଙ୍କ ବିରୁଦ୍ଧରେ ଗୋଟିଏ ସଙ୍କଳ୍ପ ସ୍ଥିର କରିଅଛି ।
ଯିରିମିୟ 49 : 31 (ORV)
ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଉଠ, ଯେଉଁ ଗୋଷ୍ଠୀ କବାଟ ଓ ହୁଡ଼ୁକାବିହୀନ ହୋଇ ନିରାପଦରେ ଓ ନିଶ୍ଚିନ୍ତରେ ଏକଲା ବାସ କରୁଅଛନ୍ତି, ସେମାନଙ୍କ ବିରୁଦ୍ଧରେ ଯାତ୍ରା କର ।
ଯିରିମିୟ 49 : 32 (ORV)
ସେମାନଙ୍କର ଉଷ୍ଟ୍ରଗଣ ଲୁଟବସ୍ତୁ ହେବେ ଓ ସେମାନଙ୍କର ଅନେକ ଅନେକ ପଶୁ ଲୁଟିତ ହେବେ; ପୁଣି, ଯେଉଁ ଲୋକମାନେ ଆପଣା ଆପଣା କେଶର କୋଣ କାଟନ୍ତି, ସେମାନଙ୍କୁ ଆମ୍ଭେ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ କରିବା ଓ ସେମାନଙ୍କ ଚାରିଆଡ଼ରୁ ସେମାନଙ୍କର ବିପଦ ଆଣିବା, ଏହା ସଦାପ୍ରଭୁ କହନ୍ତି ।
ଯିରିମିୟ 49 : 33 (ORV)
ପୁଣି, ହାତ୍ସୋର ଶୃଗାଳମାନଙ୍କର ବସତି ଓ ସଦାକାଳ ଉତ୍ସନ୍ନ-ସ୍ଥାନ ହେବ; କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ, କିଅବା କୌଣସି ମନୁଷ୍ୟସନ୍ତାନ ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ ।
ଯିରିମିୟ 49 : 34 (ORV)
ଯିହୁଦାର ରାଜା ସିଦିକୀୟର ଅଧିକାରର ଆରମ୍ଭ ସମୟରେ ଏଲମ ବିଷୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
ଯିରିମିୟ 49 : 35 (ORV)
ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏଲମର ଧନୁ, ଅର୍ଥାତ୍, ସେମାନଙ୍କ ବଳର ଅଗ୍ରିମାଂଶ ଭାଙ୍ଗି ପକାଇବା ।
ଯିରିମିୟ 49 : 36 (ORV)
ପୁଣି, ଆମ୍ଭେ ଆକାଶର ଚତୁର୍ଦ୍ଦିଗରୁ ଚାରି ବାୟୁ ଏଲମ ଉପରେ ବହାଇବା ଓ ସେହିସବୁ ବାୟୁଆଡ଼େ ସେମାନଙ୍କୁ ଛିନ୍ନଭିନ୍ନ କରିବା; ଆଉ, ଏଲମର ଦୂରୀକୃତ ଲୋକମାନେ ଯେଉଁଠାକୁ ନ ଯିବେ, ଏପରି ଦେଶ ନ ଥିବ ।
ଯିରିମିୟ 49 : 37 (ORV)
ପୁଣି, ଆମ୍ଭେ ଏଲମର ଲୋକମାନଙ୍କୁ ସେମାନଙ୍କ ଶତ୍ରୁଗଣ ସମ୍ମୁଖରେ ଓ ସେମାନଙ୍କ ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ସମ୍ମୁଖରେ ବିସ୍ମିତ କରାଇବା; ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍, ଆମ୍ଭର ପ୍ରଚଣ୍ତ କ୍ରୋଧ ଘଟାଇବା ଓ ସେମାନଙ୍କୁ ସଂହାର ନ କରିବା ପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ପଛେ ପଛେ ଖଡ଼୍‍ଗ ପଠାଇବା ।
ଯିରିମିୟ 49 : 38 (ORV)
ପୁଣି, ସଦାପ୍ରଭୁ କହନ୍ତି, ଆମ୍ଭେ ଏଲମରେ ଆପଣା ସିଂହାସନ ସ୍ଥାପନ କରିବା ଓ ସେସ୍ଥାନରୁ ରାଜାକୁ ଓ ଅଧିପତିଗଣକୁ ଉଚ୍ଛିନ୍ନ କରିବା ।
ଯିରିମିୟ 49 : 39 (ORV)
ମାତ୍ର ଶେଷ କାଳରେ ଆମ୍ଭେ ଏଲମକୁ ବନ୍ଦୀତ୍ଵାବସ୍ଥାରୁ ଫେରାଇ ଆଣିବା, ଏହା ସଦାପ୍ରଭୁ କହନ୍ତି ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39

BG:

Opacity:

Color:


Size:


Font: