ଯିରିମିୟ 38 : 1 (ORV)
ଅନନ୍ତର ମତ୍ତନର ପୁତ୍ର ଶଫଟୀୟ, ପଶହୂର ପୁତ୍ର ଗଦଲୀୟ, ଶେଲିମୀୟର ପୁତ୍ର ଯିହଖଲ ଓ ମଲ୍‍କୀୟର ପୁତ୍ର ପଶହୂର, ସମସ୍ତ ଲୋକଙ୍କ ନିକଟରେ ଯିରିମୀୟଙ୍କର କଥିତ ଏହି ବାକ୍ୟ ଶୁଣିଲେ, ଯଥା,
ଯିରିମିୟ 38 : 2 (ORV)
ସଦାପ୍ରଭୁ ଏହି କଥା କହନ୍ତି, ଯେକେହି ଏହି ନଗରରେ ରହିବ, ସେ ଖଡ଼୍‍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ; ମାତ୍ର ଯେକେହି ବାହାର ହୋଇ କଲ୍ଦୀୟମାନଙ୍କ ନିକଟକୁ ଯିବ, ସେ ବଞ୍ଚିବ, ତାହାର ପ୍ରାଣ ତାହା ପ୍ରତି ଲୁଟଦ୍ରବ୍ୟ ତୁଲ୍ୟ ହେବ ଓ ସେ ବଞ୍ଚିବ ।
ଯିରିମିୟ 38 : 3 (ORV)
ସଦାପ୍ରଭୁ ଏହି କଥା କହନ୍ତି,ଏହି ନଗର ବାବିଲ ରାଜାର ସୈନ୍ୟ ହସ୍ତରେ ନିଶ୍ଚୟ ସମର୍ପିତ ହେବ ଓ ସେ ତାହା ହସ୍ତଗତ କରିବ ।
ଯିରିମିୟ 38 : 4 (ORV)
ତହିଁରେ ଅଧିପତିମାନେ ରାଜାକୁ କହିଲେ, ଆମ୍ଭେମାନେ ବିନୟ କରୁଅଛୁ, ଏହି ଲୋକର ପ୍ରାଣଦଣ୍ତର ଆଜ୍ଞା ହେଉ; କାରଣ ସେ ଏହି ପ୍ରକାର କଥା କହି ଏହି ନଗରରେ ଥିବା ଅବଶିଷ୍ଟ ଯୋଦ୍ଧାମାନଙ୍କ ହସ୍ତ ଓ ସକଳ ଲୋକଙ୍କ ହସ୍ତ ଦୁର୍ବଳ କରୁଅଛି; ପୁଣି, ଏ ବ୍ୟକ୍ତି ଏହି ଲୋକମାନଙ୍କର ମଙ୍ଗଳ ନୁହେଁ, କେବଳ ଅମଙ୍ଗଳର ଚେଷ୍ଟା କରୁଅଛି ।
ଯିରିମିୟ 38 : 5 (ORV)
ଏଥିରେ ସିଦିକୀୟ ରାଜା କହିଲା, ଦେଖ, ସେ ତୁମ୍ଭମାନଙ୍କ ହସ୍ତରେ ଅଛି; କାରଣ ରାଜା ତୁମ୍ଭମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ କରିବା ଲୋକ ନୁହନ୍ତି ।
ଯିରିମିୟ 38 : 6 (ORV)
ତହିଁରେ ସେମାନେ ଯିରିମୀୟଙ୍କୁ ଧରି ପ୍ରହରୀ-ପ୍ରାଙ୍ଗଣସ୍ଥିତ, ମଲ୍‍କୀୟ ରାଜପୁତ୍ରର କୂପରେ ପକାଇ ଦେଲେ; ଅର୍ଥାତ୍, ସେମାନେ ରଜ୍ଜୁ ଦ୍ଵାରା ଯିରିମୀୟଙ୍କୁ ଓହ୍ଳାଇ ଦେଲେ । ପୁଣି, ସେହି କୂପରେ ଜଳ ନ ଥିଲା, କେବଳ ପଙ୍କ ଥିଲା । ଆଉ, ଯିରିମୀୟ ସେହି ପଙ୍କରେ ମଗ୍ନପ୍ରାୟ ହେଲେ ।
ଯିରିମିୟ 38 : 7 (ORV)
ଏଥି ମଧ୍ୟରେ ସେମାନେ ଯିରିମୀୟଙ୍କୁ କୂପରେ ପକାଇ ଦେଇଅଛନ୍ତି ବୋଲି, ରାଜଗୃହସ୍ଥିତ ଏବଦ୍-ମେଲକ୍ ନାମକ ଜଣେ କୁଶୀୟ ନପୁଂସକ ଲୋକ ଶୁଣିଲା; ସେସମୟରେ ରାଜା ବିନ୍ୟାମୀନ ଦ୍ଵାରରେ ଉପବିଷ୍ଟ ଥିଲା ।
ଯିରିମିୟ 38 : 8 (ORV)
ଏବଦ୍-ମେଲକ୍ ରାଜା ଗୃହରୁ ବାହାରି ରାଜାକୁ କହିଲା,
ଯିରିମିୟ 38 : 9 (ORV)
ହେ ଆମ୍ଭର ପ୍ରଭୁ ମହାରାଜ, ଏହି ଲୋକମାନେ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ପ୍ରତି ନିତା; ମନ୍ଦ ବ୍ୟବହାର କରିଅଛନ୍ତି, ସେମାନେ ତାଙ୍କୁ କୂପରେ ପକାଇଅଛନ୍ତି; ସେ ଯେଉଁଠାରେ ଅଛନ୍ତି, ଦୁର୍ଭିକ୍ଷ ସକାଶୁ ସେଠାରେ ସେ ମଲା ପରି ଅଛନ୍ତି, କାରଣ ନଗରରେ ଆଉ ରୁଟି ନାହିଁ ।
ଯିରିମିୟ 38 : 10 (ORV)
ସେତେବେଳେ ରାଜା କୁଶୀୟ ଏବଦ୍-ମେଲକ୍କୁ ଆଜ୍ଞା କଲା, ତୁମ୍ଭେ ଏଠାରୁ ତିରିଶ ଜଣ ଲୋକ ଆପଣା ସଙ୍ଗରେ ନେଇ ଯିରିମୀୟ ଭବିଷ୍ୟଦ୍ବକ୍ତା ମରିବା ପୂର୍ବରୁ ତାଙ୍କୁ କୂପରୁ ବାହାର କରି ଆଣ ।
ଯିରିମିୟ 38 : 11 (ORV)
ତହିଁରେ ଏବଦ୍-ମେଲ୍‍କ ଆପଣା ସଙ୍ଗେ ସେହି ଲୋକମାନଙ୍କୁ ନେଇ ରାଜଗୃହକୁ ଯାଇ ଭଣ୍ତାରର ତଳରୁ କେତେଗୁଡ଼ିଏ ପୁରୁଣା ତ୍ୟକ୍ତ ବସ୍ତ୍ର ଓ ଚିରାକନା ନେଲା, ଆଉ ରଜ୍ଜୁ ଦ୍ଵାରା ସେସବୁ କୂପରେ ଯିରିମୀୟଙ୍କୁ ଦେଲା ।
ଯିରିମିୟ 38 : 12 (ORV)
ପୁଣି, କୁଶୀୟ ଏବଦ୍-ମେଲକ୍ ଯିରିମୀୟଙ୍କୁ କହିଲା, ସେହି ପୁରୁଣା ତ୍ୟକ୍ତ ବସ୍ତ୍ର ଓ ଚିରାକନା ଆପଣା କକ୍ଷମୂଳରେ ରଜ୍ଜୁ ତଳେ ଦିଅ ।
ଯିରିମିୟ 38 : 13 (ORV)
ତହିଁରେ ଯିରିମୀୟ ସେପରି କଲେ । ତହୁଁ ସେମାନେ ରଜ୍ଜୁ ଧରି ଟାଣି ଯିରିମୀୟଙ୍କୁ କୂପରୁ ବାହାର କରି ଆଣିଲେ । ପୁଣି, ଯିରିମୀୟ ପ୍ରହରୀ-ପ୍ରାଙ୍ଗଣରେ ରହିଲେ ।
ଯିରିମିୟ 38 : 14 (ORV)
ଏଥି ଉତ୍ତାରେ ସିଦିକୀୟ ରାଜା ଲୋକ ପଠାଇ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ସଦାପ୍ରଭୁଙ୍କ ଗୃହର ତୃତୀୟ ପ୍ରବେଶ ସ୍ଥାନରେ ଆପଣା ନିକଟକୁ ଅଣାଇଲା । ଆଉ, ରାଜା ଯିରିମୀୟଙ୍କୁ କହିଲା, ମୁଁ ତୁମ୍ଭକୁ ଗୋଟିଏ କଥା ପଚାରିବି; ତୁମ୍ଭେ ମୋʼଠାରୁ କିଛି ଗୋପନ କରିବ ନାହିଁ ।
ଯିରିମିୟ 38 : 15 (ORV)
ତେବେ ଯିରିମୀୟ ସିଦିକୀୟକୁ କହିଲେ, ମୁଁ ଯେବେ ଆପଣଙ୍କୁ ତାହା ଜଣାଇବି, ତେବେ ଆପଣ କି ମୋତେ ନିଶ୍ଚୟ ବଧ କରିବେ ନାହିଁ? ଆଉ, ମୁଁ ଯେବେ ଆପଣଙ୍କୁ ପରାମର୍ଶ ଦେବି, ତେବେ ଆପଣ ମୋʼ କଥା ଶୁଣିବେ ନାହିଁ ।
ଯିରିମିୟ 38 : 16 (ORV)
ତହିଁରେ ସିଦିକୀୟ ରାଜା ଗୋପନରେ ଯିରିମୀୟଙ୍କ ନିକଟରେ ଶପଥ କରି କହିଲା, ଆମ୍ଭମାନଙ୍କର ଏହି ଜୀବାତ୍ମାର ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କର ଶପଥ, ମୁଁ ତୁମ୍ଭକୁ ବଧ କରିବି ନାହିଁ, କିଅବା ତୁମ୍ଭ ପ୍ରାଣନାଶର ଚେଷ୍ଟାକାରୀ ଏହି ଲୋକମାନଙ୍କ ହସ୍ତରେ ସମର୍ପଣ କରିବି ନାହିଁ ।
ଯିରିମିୟ 38 : 17 (ORV)
ସେତେବେଳେ ଯିରିମୀୟ ସିଦିକୀୟକୁ କହିଲେ, ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ଵର, ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି; ଯେବେ ତୁମ୍ଭେ ବାହାର ହୋଇ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଯିବ, ତେବେ ତୁମ୍ଭର ପ୍ରାଣ ବଞ୍ଚିବ ଓ ଏହି ନଗର ଅଗ୍ନିରେ ଦଗ୍ଧ ହେବ ନାହିଁ; ପୁଣି, ତୁମ୍ଭେ ଓ ତୁମ୍ଭ ପରିବାର ବଞ୍ଚିବ ।
ଯିରିମିୟ 38 : 18 (ORV)
ମାତ୍ର ଯେବେ ତୁମ୍ଭେ ବାହାର ହୋଇ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଯିବ ନାହିଁ, ତେବେ ଏହି ନଗର କଲ୍ଦୀୟମାନଙ୍କ ହସ୍ତରେ ସମର୍ପିତ ହେବ ଓ ସେମାନେ ଅଗ୍ନିରେ ତାହା ଦଗ୍ଧ କରିବେ, ଆଉ ତୁମ୍ଭେ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ ।
ଯିରିମିୟ 38 : 19 (ORV)
ଏଥିରେ ସିଦିକୀୟ ରାଜା ଯିରିମୀୟଙ୍କୁ କହିଲା, ଯେଉଁ ଯିହୁଦୀ ଲୋକମାନେ କଲ୍ଦୀୟମାନଙ୍କ ପକ୍ଷକୁ ଯାଇଅଛନ୍ତି, ସେମାନଙ୍କୁ ମୁଁ ଭୟ କରୁଅଛି, କେଜାଣି ଲୋକେ ମୋତେ ସେମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ସେମାନେ ମୋତେ ପରିହାସ କରିବେ ।
ଯିରିମିୟ 38 : 20 (ORV)
ମାତ୍ର ଯିରିମୀୟ କହିଲେ, ସେମାନେ ଆପଣଙ୍କୁ ସମର୍ପଣ କରିବେ ନାହିଁ । ବିନୟ କରୁଅଛି, ମୋʼ ଦ୍ଵାରା କଥିତ ସଦାପ୍ରଭୁଙ୍କର ବାକ୍ୟ ଆପଣ ମାନନ୍ତୁ: ତହିଁରେ ଆପଣଙ୍କର ମଙ୍ଗଳ ହେବ ଓ ଆପଣଙ୍କ ପ୍ରାଣ ବଞ୍ଚିବ ।
ଯିରିମିୟ 38 : 21 (ORV)
ମାତ୍ର ଯେବେ ଆପଣ ବାହାରି ଯିବା ପାଇଁ ଅସମ୍ମତ ହୁଅନ୍ତି, ତେବେ ସଦାପ୍ରଭୁ ଯେଉଁ କଥା ମୋତେ ଜଣାଇ ଅଛନ୍ତି, ତାହା ଏହି:
ଯିରିମିୟ 38 : 22 (ORV)
ଦେଖନ୍ତୁ, ଯେତେ ସ୍ତ୍ରୀଲୋକ ଯିହୁଦାର ରାଜଗୃହରେ ଅବଶିଷ୍ଟ ଅଛନ୍ତି, ସେସମସ୍ତେ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଅଣାଯିବେ, ଆଉ ସେହି ସ୍ତ୍ରୀମାନେ କହିବେ, ତୁମ୍ଭର ସୁହୃଦ୍ମାନେ ତୁମ୍ଭକୁ ପ୍ରବର୍ତ୍ତାଇ ତୁମ୍ଭକୁ ପରାସ୍ତ କରିଅଛନ୍ତି; ଆଉ, ଏବେ ତୁମ୍ଭର ପାଦ ପଙ୍କରେ ମଗ୍ନ ହେବାରୁ ସେମାନେ ତୁମ୍ଭଠାରୁ ବିମୁଖ ହୋଇଅଛନ୍ତି ।
ଯିରିମିୟ 38 : 23 (ORV)
ପୁଣି, ଲୋକମାନେ ଆପଣଙ୍କ ଭାର୍ଯ୍ୟା ଓ ସନ୍ତାନ ସମସ୍ତଙ୍କୁ ବାହାର କରି କଲ୍ଦୀୟମାନଙ୍କ ନିକଟକୁ ଆଣିବେ; ଆଉ, ଆପଣ ସେମାନଙ୍କ ହସ୍ତରୁ ରକ୍ଷା ପାଇବେ ନାହିଁ, ମାତ୍ର ବାବିଲ ରାଜାର ହସ୍ତରେ ଧରାଯିବେ ଓ ଆପଣ ଏହି ନଗରକୁ ଅଗ୍ନିରେ ଦଗ୍ଧ କରାଇବେ ।
ଯିରିମିୟ 38 : 24 (ORV)
ଏଥିରେ ସିଦିକୀୟ ଯିରିମୀୟଙ୍କୁ କହିଲା, ଏସବୁ କଥା କେହି ନ ଜାଣୁ, ତହିଁରେ ତୁମ୍ଭେ ମରିବ ନାହିଁ ।
ଯିରିମିୟ 38 : 25 (ORV)
ମାତ୍ର ମୁଁ ତୁମ୍ଭ ସଙ୍ଗେ କଥାବାର୍ତ୍ତା କରିଅଛି ବୋଲି ଯେବେ ଅଧିପତିମାନେ ଶୁଣନ୍ତି ଓ ତୁମ୍ଭ ନିକଟକୁ ଆସି କହନ୍ତି, ତୁମ୍ଭେ ରାଜାଙ୍କୁ କି କି କଥା କହିଅଛ, ତାହା ଆମ୍ଭମାନଙ୍କୁ ଜଣାଅ; ସେ କଥା, ମଧ୍ୟ ରାଜା ତୁମ୍ଭକୁ ଯାହା କହିଅଛନ୍ତି, ତାହା, ଆମ୍ଭମାନଙ୍କଠାରୁ ଗୋପନ ନ କର, ତହିଁରେ ଆମ୍ଭେମାନେ ତୁମ୍ଭକୁ ବଧ କରିବୁ ନାହିଁ;
ଯିରିମିୟ 38 : 26 (ORV)
ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ମୋତେ ଯୋନାଥନ ଗୃହରେ ମରିବା ପାଇଁ ରାଜା ଯେପରି ଫେରି ନ ପଠାନ୍ତି, ଏଥିପାଇଁ ମୁଁ ତାଙ୍କ ଛାମୁରେ ନିବେଦନ କଲି ।
ଯିରିମିୟ 38 : 27 (ORV)
ଏଉତ୍ତାରେ ଅଧିପତି ସମସ୍ତେ ଯିରିମୀୟଙ୍କ ନିକଟକୁ ଆସି ତାଙ୍କୁ ପଚାରିଲେ; ତହିଁରେ ସେ ରାଜାଙ୍କ ଆଜ୍ଞାନୁସାରେ ଏହିସବୁ କଥା ସେମାନଙ୍କୁ ଜଣାଇଲେ । ତହୁଁ ସେମାନେ ତାଙ୍କ ସଙ୍ଗେ କଥା କହିବାର ତ୍ୟାଗ କଲେ; କାରଣ କଥା ପ୍ରକାଶ ପାଇଲା ନାହିଁ ।
ଯିରିମିୟ 38 : 28 (ORV)
ତହିଁରେ ଯିରୂଶାଲମର ପରାଜୟ-ଦିନ ପର୍ଯ୍ୟନ୍ତ ଯିରିମୀୟ ପ୍ରହରୀ-ପ୍ରାଙ୍ଗଣରେ ରହିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28

BG:

Opacity:

Color:


Size:


Font: