ଯିରିମିୟ 23 : 1 (ORV)
ସଦାପ୍ରଭୁ କହନ୍ତି, ଯେଉଁ ପାଳକମାନେ ଆମ୍ଭ ଚରା-ସ୍ଥାନର ମେଷମାନଙ୍କୁ ନଷ୍ଟ ଓ ଛିନ୍ନଭିନ୍ନ କରନ୍ତି, ସେମାନେ ସନ୍ତାପର ପାତ୍ର!
ଯିରିମିୟ 23 : 2 (ORV)
ଏନିମନ୍ତେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଆପଣା ଲୋକମାନଙ୍କର ପାଳନକାରୀ ପାଳକମାନଙ୍କ ବିରୁଦ୍ଧରେ ଏହି କଥା କହନ୍ତି; ତୁମ୍ଭେମାନେ ଆମ୍ଭର ପଲକୁ ଛିନ୍ନଭିନ୍ନ କରି ଦୂରକୁ ତଡ଼ି ଦେଇଅଛ ଓ ସେମାନଙ୍କର ତତ୍ତ୍ଵାନୁସନ୍ଧାନ କରି ନାହଁ; ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ଦୁଷ୍କର୍ମର ପ୍ରତିଫଳ ଦେବା ।
ଯିରିମିୟ 23 : 3 (ORV)
ପୁଣି, ଆମ୍ଭେ ଯେଉଁ ଯେଉଁ ଦେଶକୁ ଆପଣା ପଲକୁ ତଡ଼ି ଦେଇଅଛୁ, ସେହିସବୁ ଦେଶରୁ ସେମାନଙ୍କର ଅବଶିଷ୍ଟାଂଶ ସଂଗ୍ରହ କରିବା, ଆଉ ପୁନର୍ବାର ସେମାନଙ୍କୁ ସେମାନଙ୍କ ଖୁଆଡ଼କୁ ଆଣିବା; ତହିଁରେ ସେମାନେ ପ୍ରଜାବ; ଓ ବହୁସଂଖ୍ୟକ ହେବେ ।
ଯିରିମିୟ 23 : 4 (ORV)
ଆଉ, ଆମ୍ଭେ ସେମାନଙ୍କ ଉପରେ ପାଳକଗଣ ନିଯୁକ୍ତ କରିବା, ସେମାନେ ସେମାନଙ୍କୁ ଚରାଇବେ; ପୁଣି, ସେମାନେ ଆଉ ଭୀତ କି ନିରାଶ ନୋହିବେ, କିଅବା ସେମାନଙ୍କର କେହି ଅନୁପସ୍ଥିତ ନୋହିବ, ଏହା ସଦାପ୍ରଭୁ କହନ୍ତି ।
ଯିରିମିୟ 23 : 5 (ORV)
ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଦାଉଦ-ବଂଶରେ ଏକ ଧାର୍ମିକ ଶାଖା ଉତ୍ପନ୍ନ କରିବା, ଏପରି ସମୟ ଆସୁଅଛି, ତହିଁରେ ସେ ରାଜା ହୋଇ ରାଜତ୍ଵ କରିବେ ଓ ଜ୍ଞାନରେ ବ୍ୟବହାର କରିବେ, ପୁଣି ଦେଶରେ ସୁବିଚାର ଓ ନ୍ୟାୟ ପ୍ରଚଳିତ କରିବେ ।
ଯିରିମିୟ 23 : 6 (ORV)
ତାହାଙ୍କ ସମୟରେ ଯିହୁଦା ପରିତ୍ରାଣ ପାଇବ ଓ ଇସ୍ରାଏଲ ନିରାପଦରେ ବାସ କରିବ; ପୁଣି, ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମରେ ସେ ବିଖ୍ୟାତ ହେବେ ।
ଯିରିମିୟ 23 : 7 (ORV)
ଏଣୁକରି ସଦାପ୍ରଭୁ କହନ୍ତି, ଦେଖ, ଇସ୍ରାଏଲ-ସନ୍ତାନଗଣକୁ ଯେ ମିସର ଦେଶରୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ, ଯେଉଁ ସମୟରେ ଲୋକମାନେ ଏହି କଥା କହିବେ ନାହିଁ;
ଯିରିମିୟ 23 : 8 (ORV)
ମାତ୍ର ଇସ୍ରାଏଲ କୁଳଜାତ ବଂଶକୁ ଉତ୍ତର ଦେଶରୁ ଓ ଯେଉଁ ଯେଉଁ ସ୍ଥାନରେ ଆମ୍ଭେ ସେମାନଙ୍କୁ ତଡ଼ି ଦେଇଥିଲୁ, ସେହିସବୁ ଦେଶରୁ ଯେ ସେମାନଙ୍କୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ ବୋଲି କହିବେ, ଏପରି ସମୟ ଆସୁଅଛି; ଆଉ, ସେମାନେ ଆପଣାମାନଙ୍କ ଦେଶରେ ବାସ କରିବେ ।
ଯିରିମିୟ 23 : 9 (ORV)
ଭବିଷ୍ୟଦ୍ବକ୍ତାମାନଙ୍କ ବିଷୟ । ମୋର ଅନ୍ତରସ୍ଥ ହୃଦୟ ଭଗ୍ନ ହୋଇଅଛି, ମୋର ଅସ୍ଥିସବୁ କମ୍ପୁଅଛି; ସଦାପ୍ରଭୁଙ୍କର ଓ ତାହାଙ୍କ ପବିତ୍ର ବାକ୍ୟ ହେତୁରୁ ମୁଁ ମତ୍ତଲୋକ ତୁଲ୍ୟ ଓ ଦ୍ରାକ୍ଷାରସରେ ପରାଜିତ ଲୋକ ତୁଲ୍ୟ ଅଛି ।
ଯିରିମିୟ 23 : 10 (ORV)
କାରଣ ଦେଖ, ବ୍ୟଭିଚାରୀଗଣରେ ପରିପୂର୍ଣ୍ଣ ଓ ଅଭିଶାପ ସକାଶୁ ଦେଶ ଶୋକ କରୁଅଛି; ପ୍ରାନ୍ତରସ୍ଥ ଚରାସ୍ଥାନସବୁ ଶୁଷ୍କ ହୋଇଅଛି ଓ ଲୋକମାନଙ୍କର ବ୍ୟବହାର ମନ୍ଦ, ଆଉ ସେମାନଙ୍କର ପରାକ୍ରମ ନ୍ୟାୟ-ସଙ୍ଗତ ନୁହେଁ ।
ଯିରିମିୟ 23 : 11 (ORV)
କାରଣ ଭବିଷ୍ୟଦ୍ବକ୍ତା ଓ ଯାଜକ ଉଭୟ ପାଷାଣ୍ତ; ହଁ, ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ଗୃହ ମଧ୍ୟରେ ସେମାନଙ୍କର ଦୁଷ୍କ୍ରିୟା ଦେଖିଅଛୁ ।
ଯିରିମିୟ 23 : 12 (ORV)
ଏଣୁକରି ସେମାନଙ୍କର ପଥ ଅନ୍ଧକାରାବୃତ ଖସଡ଼ା ସ୍ଥାନ ହେବ; ସେମାନେ ତାଡ଼ିତ ହୋଇ ତହିଁରେ ପଡ଼ିବେ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍, ସେମାନଙ୍କୁ ପ୍ରତିଫଳ ଦେବାର ବର୍ଷ ଆଣିବା ।
ଯିରିମିୟ 23 : 13 (ORV)
ଆହୁରି, ଆମ୍ଭେ ଶମରୀୟାର ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଅଜ୍ଞାନତା ଦେଖିଅଛୁ; ସେମାନେ ବାଲ୍ଦେବ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି ଆମ୍ଭର ଇସ୍ରାଏଲ ଲୋକମାନଙ୍କୁ ଭ୍ରାନ୍ତ କରାଇଲେ ।
ଯିରିମିୟ 23 : 14 (ORV)
ଯିରୂଶାଲମର ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ହିଁ ଆମ୍ଭେ ରୋମାଞ୍ଚଜନକ ବିଷୟ ଦେଖିଅଛୁ; ସେମାନେ ପରଦାର ଗମନ କରନ୍ତି, ମିଥ୍ୟାଚରଣ କରନ୍ତି ଓ ଦୁଷ୍କର୍ମକାରୀମାନଙ୍କର ହସ୍ତ ଏପରି ସବଳ କରନ୍ତି ଯେ, ସେମାନଙ୍କର କେହି ଆପଣା ଆପଣା ଦୁଷ୍ଟତାରୁ ଫେରନ୍ତି ନାହିଁ; ସେ ସମସ୍ତେ ଆମ୍ଭ ପ୍ରତି ସଦୋମର ତୁଲ୍ୟ ଓ ତହିଁର ନିବାସୀମାନେ ହମୋରା ସମାନ ଅଟନ୍ତି ।
ଯିରିମିୟ 23 : 15 (ORV)
ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଭବିଷ୍ୟଦ୍-ବକ୍ତାମାନଙ୍କ ବିଷୟରେ ଏହି କଥା କହନ୍ତି; ଦେଖ, ଆମ୍ଭେ ସେମାନଙ୍କୁ ନାଗଦଅଣା ଭୋଜନ କରାଇବା ଓ ବିଷ-ବୃକ୍ଷର ରସ ପାନ କରାଇବା; କାରଣ ଯିରୂଶାଲମର ଭବିଷ୍ୟଦ୍-ବକ୍ତାଗଣଠାରୁ ଦେଶଯାକରେ ପାଷାଣ୍ତତା ବ୍ୟାପି ଅଛି ।
ଯିରିମିୟ 23 : 16 (ORV)
ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଯେଉଁ ଭବିଷ୍ୟଦ୍ବକ୍ତାମାନେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍-ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କର ବାକ୍ୟ ତୁମ୍ଭେମାନେ ଶୁଣ ନାହିଁ; ସେମାନେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି; ସେମାନେ ଆପଣା ହୃଦୟର ଦର୍ଶନ କଥା କହନ୍ତି ଓ ସେମାନେ ସଦାପ୍ରଭୁଙ୍କ ମୁଖର କଥା କହନ୍ତି ନାହିଁ ।
ଯିରିମିୟ 23 : 17 (ORV)
ସେମାନେ ଆମ୍ଭର ଅବଜ୍ଞାକାରୀମାନଙ୍କୁ ଅନୁକ୍ଷଣେ କହନ୍ତି, ସଦାପ୍ରଭୁ କହିଅଛନ୍ତି, ତୁମ୍ଭମାନଙ୍କର ଶାନ୍ତି ହେବ; ପୁଣି, ଯେଉଁମାନେ ଆପଣା ଆପଣା ହୃଦୟର ଅବାଧ୍ୟତାନୁସାରେ ଆଚରଣ କରନ୍ତି, ସେହି ପ୍ରତ୍ୟେକ ଲୋକଙ୍କୁ ସେମାନେ କହନ୍ତି, ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ଘଟିବ ନାହିଁ ।
ଯିରିମିୟ 23 : 18 (ORV)
ମାତ୍ର ସଦାପ୍ରଭୁଙ୍କର ବାକ୍ୟ ପ୍ରତ୍ୟକ୍ଷରେ ଶୁଣିବା ପାଇଁ କିଏ ତାହାଙ୍କ ଆଗରେ ଠିଆ ହୋଇ ଅଛି? କିଏ ଆମ୍ଭର ବାକ୍ୟ ମନ ଦେଇ ଶୁଣିଅଛି?
ଯିରିମିୟ 23 : 19 (ORV)
ଦେଖ, ସଦାପ୍ରଭୁଙ୍କର ତୋଫାନ, ତାହାଙ୍କର ପ୍ରଚଣ୍ତ କ୍ରୋଧ, ହଁ, ଘୂର୍ଣ୍ଣାୟମାନ ତୋଫାନ ବାହାର ହୋଇଅଛି; ତାହା ଦୁଷ୍ଟମାନଙ୍କ ମସ୍ତକରେ ଲାଗିବ ।
ଯିରିମିୟ 23 : 20 (ORV)
ଯେପର୍ଯ୍ୟନ୍ତ ସଦାପ୍ରଭୁ ଆପଣା ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ କରନ୍ତି, ସେପର୍ଯ୍ୟନ୍ତ ତାହାଙ୍କ କ୍ରୋଧ ଫେରିବ ନାହିଁ ତୁମ୍ଭେମାନେ ଶେଷ କାଳରେ ତାହା ସମ୍ପୂର୍ଣ୍ଣ ରୂପେ ବୁଝିବ ।
ଯିରିମିୟ 23 : 21 (ORV)
ଆମ୍ଭେ ଏହି ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇଲୁ ନାହିଁ, ତଥାପି ସେମାନେ ଦୌଡ଼ିଲେ; ଆମ୍ଭେ ସେମାନଙ୍କୁ କଥା କହିଲୁ ନାହିଁ, ତଥାପି ସେମାନେ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ ।
ଯିରିମିୟ 23 : 22 (ORV)
ମାତ୍ର ଯେବେ ସେମାନେ ଆମ୍ଭ ସଭାରେ ଠିଆ ହୋଇଥାʼନ୍ତେ, ତେବେ ଆମ୍ଭ ଲୋକମାନଙ୍କୁ ଆମ୍ଭର ବାକ୍ୟ ଶୁଣାଇଥାʼନ୍ତେ ଓ ସେମାନଙ୍କ କୁପଥରୁ, ସେମାନଙ୍କ କୁକ୍ରିୟାରୁ ସେମାନଙ୍କୁ ଫେରାଇଥାʼନ୍ତେ ।
ଯିରିମିୟ 23 : 23 (ORV)
ସଦାପ୍ରଭୁ କହନ୍ତି, ଆମ୍ଭେ କି ନିକଟରେ ପରମେଶ୍ଵର ଅଟୁ ଓ ଦୂରରେ ପରମେଶ୍ଵର ନୋହୁଁ?
ଯିରିମିୟ 23 : 24 (ORV)
ସଦାପ୍ରଭୁ କହନ୍ତି, ଆମ୍ଭେ ଯେଉଁ ସ୍ଥାନରେ ଦେଖି ନ ପାରିବୁ, ଏପରି ଗୁପ୍ତ ସ୍ଥାନରେ କି କେହି ଆପଣାକୁ ଲୁଚାଇ ପାରେ? ସଦାପ୍ରଭୁ କହନ୍ତି, ଆମ୍ଭେ କି ସ୍ଵର୍ଗ ଓ ମର୍ତ୍ତ୍ୟ ବ୍ୟାପି ନ ଥାଉ?
ଯିରିମିୟ 23 : 25 (ORV)
ଆମ୍ଭେ ସ୍ଵପ୍ନ ଦେଖିଅଛୁ, ଆମ୍ଭେ ସ୍ଵପ୍ନ ଦେଖିଅଛୁ ବୋଲି କହି ଯେଉଁ ଭବିଷ୍ୟଦ୍ବକ୍ତାମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କର କଥା ଆମ୍ଭେ ଶୁଣିଅଛୁ ।
ଯିରିମିୟ 23 : 26 (ORV)
ଯେଉଁ ଭବିଷ୍ୟଦ୍ବକ୍ତାମାନେ ମିଥ୍ୟା ଭବିଷ୍ୟଦ୍-ବାକ୍ୟ ପ୍ରଚାର କରନ୍ତି, ଅର୍ଥାତ୍, ଯେଉଁମାନେ ନିଜ ଅନ୍ତଃକରଣର କାପଟ୍ୟର ଭବିଷ୍ୟଦ୍ବକ୍ତା ଅଟନ୍ତି, ସେମାନଙ୍କ ଅନ୍ତଃକରଣରେ ଏହା କେତେକାଳ ଥିବ?
ଯିରିମିୟ 23 : 27 (ORV)
ସେମାନଙ୍କର ପିତୃପୁରୁଷମାନେ ଯେପରି ବାଲ୍ଦେବ ସକାଶେ ଆମ୍ଭ ନାମ ପାସୋରି ପକାଇଲେ, ସେପରି ସେମାନେ ଆପଣା ଆପଣା ପ୍ରତିବାସୀ ନିକଟରେ ନିଜ ସ୍ଵପ୍ନ କଥା କହି ଆମ୍ଭ ଲୋକମାନଙ୍କୁ ଆମ୍ଭର ନାମ ବିସ୍ମୃତ କରାଇବାକୁ ବିଚାର କରନ୍ତି ।
ଯିରିମିୟ 23 : 28 (ORV)
ଯେଉଁ ଭବିଷ୍ୟଦ୍ବକ୍ତା ସ୍ଵପ୍ନ ଦେଖିଅଛି, ସେ ସ୍ଵପ୍ନ କଥା ପ୍ରକାଶ କରୁ, ପୁଣି ଯେ ଆମ୍ଭର ବାକ୍ୟ ପାଇଅଛି, ସେ ବିଶ୍ଵସ୍ତ ରୂପେ ଆମ୍ଭର ବାକ୍ୟ କହୁ । ସଦାପ୍ରଭୁ କହନ୍ତି, ଶସ୍ୟ ନିକଟରେ ପାଳ କଅଣ?
ଯିରିମିୟ 23 : 29 (ORV)
ସଦାପ୍ରଭୁ କହନ୍ତି, ଆମ୍ଭର ବାକ୍ୟ କି ଅଗ୍ନି ସ୍ଵରୂପ ନୁହେଁ? ଓ ପାଷାଣ ଖଣ୍ତବିଖଣ୍ତକାରୀ ହାତୁଡ଼ି ତୁଲ୍ୟ ନୁହେଁ?
ଯିରିମିୟ 23 : 30 (ORV)
ଏଥିପାଇଁ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ଭବିଷ୍ୟଦ୍ବକ୍ତାମାନେ, ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀଠାରୁ ଆମ୍ଭର ବାକ୍ୟ ହରଣ କରନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ ।
ଯିରିମିୟ 23 : 31 (ORV)
ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ଭବିଷ୍ୟଦ୍ବକ୍ତାମାନେ ଆପଣା ଆପଣା ଜିହ୍ଵା ବ୍ୟବହାର କରି, “ସେ କହନ୍ତି” ବୋଲି କହନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ ।
ଯିରିମିୟ 23 : 32 (ORV)
ସଦାପ୍ରଭୁ କହନ୍ତି, ଦେଖ,ଯେଉଁମାନେ ମିଥ୍ୟା ସ୍ଵପ୍ନର ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି ଓ ତାହା ଜଣାଇ, ଆପଣାମାନଙ୍କର ମିଥ୍ୟା କଥା ଓ ଅସାର ଦାମ୍ଭିକତା ଦ୍ଵାରା ଆମ୍ଭ ଲୋକମାନଙ୍କୁ ଭ୍ରାନ୍ତ କରାନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ; ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ, କିଅବା ସେମାନଙ୍କୁ ଆଜ୍ଞା ଦେଇ ନାହୁଁ; ଅଥଚ ସେମାନେ ଏହି ଲୋକମାନଙ୍କର କିଛିମାତ୍ର ଉପକାର କରି ପାରିବେ ନାହିଁ ।
ଯିରିମିୟ 23 : 33 (ORV)
ପୁଣି, ଯେତେବେଳେ ଏହି ଲୋକମାନେ, ଅବା ଭବିଷ୍ୟଦ୍ବକ୍ତା, ଅବା କୌଣସି ଯାଜକ ତୁମ୍ଭକୁ ପଚାରିବେ, ସଦାପ୍ରଭୁଙ୍କର ଭାରୋକ୍ତି କଅଣ? ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ଭାରୋକ୍ତି କଅଣ! ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବା, ଏହା ସଦାପ୍ରଭୁଙ୍କର ଉକ୍ତି ।
ଯିରିମିୟ 23 : 34 (ORV)
ଆଉ, ସଦାପ୍ରଭୁଙ୍କର ଭାରୋକ୍ତି, ଏହି କଥା ଭବିଷ୍ୟଦ୍ବକ୍ତା ଓ ଯାଜକ ଓ ଲୋକମାନେ କହିଲେ, ଆମ୍ଭେ ସେ ଲୋକକୁ ଓ ତାହାର ବଂଶକୁ ଶାସ୍ତି ଦେବା ।
ଯିରିମିୟ 23 : 35 (ORV)
ତୁମ୍ଭେମାନେ ପ୍ରତ୍ୟେକ ଲୋକ ଆପଣା ଆପଣା ପ୍ରତିବାସୀକି ଓ ଆପଣା ଭ୍ରାତାକୁ ଏହି କଥା କହିବ, ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି? ଓ ସଦାପ୍ରଭୁ କି କଥା କହିଅଛନ୍ତି?
ଯିରିମିୟ 23 : 36 (ORV)
ପୁଣି, ସଦାପ୍ରଭୁଙ୍କର ଭାରୋକ୍ତି ବୋଲି ଆଉ ଉଚ୍ଚାରଣ କରିବ ନାହିଁ; କାରଣ ପ୍ରତ୍ୟେକ ମନୁଷ୍ୟର ନିଜ କଥା ତାହାର ଭାରୋକ୍ତି ହେବ; ଯେହେତୁ ତୁମ୍ଭେମାନେ ଜୀବିତ ପରମେଶ୍ଵରଙ୍କର, ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କର ବାକ୍ୟସକଳ ବିପରୀତ କରିଅଛ ।
ଯିରିମିୟ 23 : 37 (ORV)
ତୁମ୍ଭେ ଭବିଷ୍ୟଦ୍ବକ୍ତାକୁ ଏହି କଥା କହିବ, ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି? ଓ ସଦାପ୍ରଭୁ କି କଥା କହିଅଛନ୍ତି?
ଯିରିମିୟ 23 : 38 (ORV)
ମାତ୍ର ସଦାପ୍ରଭୁଙ୍କର ଭାରୋକ୍ତି, ଏହି କଥା ଯେବେ ତୁମ୍ଭେମାନେ କୁହ, ତେବେ ତହିଁ ସକାଶୁ ସଦାପ୍ରଭୁ କହନ୍ତିଣ: ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଲୋକ ପଠାଇ, ସଦାପ୍ରଭୁଙ୍କର ଭାରୋକ୍ତି ବୋଲି କହିବାକୁ ନିଷେଧ କରିଅଛୁ, ତଥାପି ତୁମ୍ଭେମାନେ ସଦାପ୍ରଭୁଙ୍କର ଭାରୋକ୍ତି ବୋଲି କହୁଅଛ ।
ଯିରିମିୟ 23 : 39 (ORV)
ଏଣୁକରି ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ନିତା; ପାସୋରିବା, ପୁଣି, ତୁମ୍ଭମାନଙ୍କୁ ଓ ଯେଉଁ ନଗର ଆମ୍ଭେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଅଛୁ, ତାହାକୁ ଆମ୍ଭ ଛାମୁରୁ ଦୂର କରିବା;
ଯିରିମିୟ 23 : 40 (ORV)
ଆଉ, ଯାହା ବିସ୍ମୃତ ନୋହିବ, ଏପରି ନିତ୍ୟସ୍ଥାୟୀ ଦୁର୍ନାମ ଓ ଚିରସ୍ଥାୟୀ ଲଜ୍ଜା ଆମ୍ଭେ ତୁମ୍ଭମାନଙ୍କୁ ଭୋଗ କରାଇବା ।
❮
❯