ଯିଶାଇୟ 38 : 1 (ORV)
ସେସମୟରେ ହିଜକୀୟର ସାଂଘାତିକ ପୀଡ଼ା ହୋଇଥିଲା । ତହିଁରେ ଆମୋସଙ୍କ ପୁତ୍ର ଯିଶାଇୟ ଭବିଷ୍ୟଦ୍ବକ୍ତା ତାହା ନିକଟକୁ ଆସି କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଆପଣା ଗୃହ ବିଷୟ ସଜାଡ଼; କାରଣ ତୁମ୍ଭେ ମରିବ, ବଞ୍ଚିବ ନାହିଁ ।
ଯିଶାଇୟ 38 : 2 (ORV)
ଏଥିରେ ହିଜକୀୟ କାନ୍ଥଆଡ଼େ ମୁଖ ଫେରାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲା,
ଯିଶାଇୟ 38 : 3 (ORV)
ହେ ସଦାପ୍ରଭୋ, ମୁଁ ବିନୟ କରୁଅଛି, ମୁଁ କିପରି ସତ୍ୟତାରେ ଓ ସିଦ୍ଧ ଅନ୍ତଃକରଣରେ ତୁମ୍ଭ ସମ୍ମୁଖରେ ଗମନାଗମନ କରିଅଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମ କରିଅଛି, ଏହା ଏବେ ସ୍ମରଣ କର । ଆଉ, ହିଜକୀୟ ଅତିଶୟ ରୋଦନ କଲା ।
ଯିଶାଇୟ 38 : 4 (ORV)
ସେତେବେଳେ ଯିଶାଇୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା ।
ଯିଶାଇୟ 38 : 5 (ORV)
ତୁମ୍ଭେ ଯାଇ ହିଜକୀୟକୁ କୁହ, ସଦାପ୍ରଭୁ, ତୁମ୍ଭ ପୂର୍ବ-ପୁରୁଷ ଦାଉଦଙ୍କ ପରମେଶ୍ଵର ଏହି କଥା କହନ୍ତି, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ, ତୁମ୍ଭର ଲୋତକ ଦେଖିଅଛୁ, ଦେଖ, ଆମ୍ଭେ ତୁମ୍ଭର ଆୟୁ ପନ୍ଦର ବର୍ଷ ବୃଦ୍ଧି କରିବା ।
ଯିଶାଇୟ 38 : 6 (ORV)
ପୁଣି, ଆମ୍ଭେ ତୁମ୍ଭକୁ ଓ ଏହି ନଗରକୁ ଅଶୂରୀୟ ରାଜା ହସ୍ତରୁ ରକ୍ଷା କରିବା ଓ ଆମ୍ଭେ ଏହି ନଗରର ସପକ୍ଷ ହେବା ।
ଯିଶାଇୟ 38 : 7 (ORV)
ଆଉ, ସଦାପ୍ରଭୁ ଆପଣା ଉକ୍ତ ବାକ୍ୟ ଯେ ସଫଳ କରିବେ, ତୁମ୍ଭ ପ୍ରତି ସଦାପ୍ରଭୁଙ୍କଠାରୁ ଏହି ଚିହ୍ନ ହେବ;
ଯିଶାଇୟ 38 : 8 (ORV)
ଦେଖ, ଆମ୍ଭେ ଆହସର ସୂର୍ଯ୍ୟ ଘଟିକାରେ ସୂର୍ଯ୍ୟର ଛାୟା ଯେତେ ଆଗକୁ ଯାଇଅଛି, ତାହା ଦଶ ପାହୁଣ୍ତ ପଛକୁ ଫେରାଇ ଆଣିବା । ତହୁଁ ଘଟିକାରେ ସୂର୍ଯ୍ୟ ଯେଉଁ ଦଶ ପାହୁଣ୍ତ ଆଗକୁ ଯାଇଥିଲା, ପଛକୁ ସେତିକି ଫେରି ଆସିଲା ।
ଯିଶାଇୟ 38 : 9 (ORV)
ଯିହୁଦାର ରାଜା ହିଜକୀୟ ପୀଡ଼ିତ ହୋଇ ଆପଣା ପୀଡ଼ାରୁ ସୁସ୍ଥ ହେଲା ଉତ୍ତାରେ ଏହା ଲେଖିଲା, ଯଥା,
ଯିଶାଇୟ 38 : 10 (ORV)
ମୁଁ କହିଲି, ମୁଁ ଆପଣା ଆୟୁର ମଧ୍ୟାହ୍ନ ସମୟରେ ପାତାଳର ପୁରଦ୍ଵାରରେ ପ୍ରବେଶ କରିବି; ମୁଁ ଆପଣା ବର୍ଷସମୂହର ଅବଶିଷ୍ଟାଂଶ ପ୍ରାପ୍ତିରୁ ବଞ୍ଚିତ ହେଲି ।
ଯିଶାଇୟ 38 : 11 (ORV)
ମୁଁ କହିଲି ମୁଁ ସଦାପ୍ରଭୁଙ୍କୁ, ଜୀବିତମାନଙ୍କ ଦେଶରେ ସଦାପ୍ରଭୁଙ୍କୁ ଦେଖିବି ନାହିଁ; ମୁଁ ଜଗନ୍ନିବାସୀମାନଙ୍କ ସହିତ ମନୁଷ୍ୟକୁ ଆଉ ଦେଖିବି ନାହିଁ ।
ଯିଶାଇୟ 38 : 12 (ORV)
ମୋହର ଆୟୁ ଦୂରୀକୃତ ହୋଇଅଛି ଓ ମେଷ-ପାଳକର ତମ୍ଵୁ ପରି ମୋʼଠାରୁ ସ୍ଥାନାନ୍ତରିତ ହୋଇଅଛି; ମୁଁ ତନ୍ତୀ ପରି ଆପଣା ଜୀବନ ଗୁଡ଼ାଇଅଛି; ସେ ମୋତେ ତନ୍ତରୁ କାଟି ପକାଇବେ; ଏକ ଦିବାରାତ୍ର ମଧ୍ୟରେ ସେ ମୋତେ ଶେଷ କରିବେ ।
ଯିଶାଇୟ 38 : 13 (ORV)
ମୁଁ ପ୍ରଭାତ ପର୍ଯ୍ୟନ୍ତ ଆପଣାକୁ ସୁସ୍ଥିର କଲି; ଯେପରି ସିଂହ ସେପରି ସେ ମୋହର ଅସ୍ଥିସବୁ ଚୂର୍ଣ୍ଣ କରୁଅଛନ୍ତି; ଏକ ଦିବାରାତ୍ର ମଧ୍ୟରେ ତୁମ୍ଭେ ମୋତେ ଶେଷ କରିବ ।
ଯିଶାଇୟ 38 : 14 (ORV)
ଯେପରି ତାଳଚୋଞ୍ଚ ଅବା ସାରସ ପକ୍ଷୀ ଶଦ୍ଦ କରନ୍ତି, ସେପରି ମୁଁ ଚିଁ ଚିଁ ଶଦ୍ଦ କଲି; ମୁଁ କପୋତ ପରି ଶୋକ କଲି; ଉପରକୁ ଅନାଇ ଅନାଇ ମୋହର ଚକ୍ଷୁ କ୍ଷୀଣ ହେଉଅଛି; ହେ ସଦାପ୍ରଭୋ, ମୁଁ ଉପଦ୍ରବଗ୍ରସ୍ତ, ତୁମ୍ଭେ ମୋହର ଲଗା ହୁଅ ।
ଯିଶାଇୟ 38 : 15 (ORV)
ମୁଁ କଅଣ କହିବି? ସେ ତ ମୋତେ କହିଅଛନ୍ତି, ମଧ୍ୟ ଆପେ ତାହା ସାଧନ କରିଅଛନ୍ତି; ମୁଁ ଆପଣା ପ୍ରାଣର ତିକ୍ତତା ସକାଶୁ ଆପଣାର ସବୁ ବର୍ଷଯାକ ଧୀରେ ଧୀରେ ଗମନ କରିବି ।
ଯିଶାଇୟ 38 : 16 (ORV)
ହେ ପ୍ରଭୋ, ଏହିସବୁ ଦ୍ଵାରା ଲୋକେ ବଞ୍ଚନ୍ତି, ଆଉ ତହିଁରେ ହିଁ ସମ୍ପୂର୍ଣ୍ଣ ରୂପେ ମୋʼ ଆତ୍ମାର ଜୀବନ ଅଛି, ଏହେତୁ ତୁମ୍ଭେ ମୋତେ ସୁସ୍ଥ କରି ସଜୀବ କର ।
ଯିଶାଇୟ 38 : 17 (ORV)
ଦେଖ, ମୁଁ ଆପଣାର ଶାନ୍ତି ନିମନ୍ତେ ବଡ଼ ଦୁଃଖ ପାଇଲି; ମାତ୍ର ତୁମ୍ଭେ ମୋʼ ପ୍ରାଣ ପ୍ରତି ପ୍ରେମ କରି ବିନାଶକୂପରୁ ତାହାକୁ ଉଦ୍ଧାର କଲ; କାରଣ ତୁମ୍ଭେ ଆପଣା ପଛଆଡ଼େ ମୋହର ପାପସବୁ ପକାଇ ଦେଇଅଛ ।
ଯିଶାଇୟ 38 : 18 (ORV)
ଯେହେତୁ ପାତାଳ ତୁମ୍ଭର ପ୍ରଶଂସା କରି ନ ପାରେ, ମୃତ୍ୟୁ ତୁମ୍ଭର ଗୁଣ କୀର୍ତ୍ତନ କରି ନ ପାରେନ୍ତ ଗର୍ତ୍ତଗାମୀମାନେ ତୁମ୍ଭର ସତ୍ୟତା ପାଇଁ ପ୍ରତ୍ୟାଶା କରି ନ ପାରନ୍ତି ।
ଯିଶାଇୟ 38 : 19 (ORV)
ଯେପରି ଆଜି ମୁଁ କରୁଅଛି, ସେପରି ଜୀବିତ ଲୋକ, କେବଳ ଜୀବିତ ଲୋକ ତୁମ୍ଭର ପ୍ରଶଂସା କରିବ; ପିତା ସନ୍ତାନଗଣକୁ ତୁମ୍ଭର ସତ୍ୟତା ଜ୍ଞାତ କରାଇବ ।
ଯିଶାଇୟ 38 : 20 (ORV)
ସଦାପ୍ରଭୁ ମୋହର ପରିତ୍ରାଣ କରିବାକୁ ଉଦ୍ୟତ; ଏହେତୁ ଆମ୍ଭେମାନେ ଜୀବନ ଯାଏ ସଦାପ୍ରଭୁଙ୍କ ଗୃହରେ ତାରଯୁକ୍ତ ଯନ୍ତ୍ର ସହିତ ମୋହର ସଙ୍ଗୀତ ଗାନ କରିବୁ ।
ଯିଶାଇୟ 38 : 21 (ORV)
ଯିଶାଇୟ କହିଥିଲେ, ସେମାନେ ଡିମିରି ଚକ୍ତି ନେଇ ସ୍ଫୋଟକ ଉପରେ ଦେଉନ୍ତୁ, ତହିଁରେ ସେ ସୁସ୍ଥ ହେବ ।
ଯିଶାଇୟ 38 : 22 (ORV)
ହିଜକୀୟ ମଧ୍ୟ କହିଥିଲା, ମୁଁ ଯେ ସଦାପ୍ରଭୁଙ୍କ ଗୃହକୁ ଯିବି, ଏଥିର ଚିହ୍ନ କଅଣ?

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22

BG:

Opacity:

Color:


Size:


Font: