ଯିଶାଇୟ 32 : 1 (ORV)
ଦେଖ, ଏକ ରାଜା ଧର୍ମାନୁସାରେ ରାଜତ୍ଵ କରିବେ ଓ ଅଧିପତିମାନେ ନ୍ୟାୟାନୁସାରେ ଶାସନ କରିବେ ।
ଯିଶାଇୟ 32 : 2 (ORV)
ପୁଣି, ପ୍ରତ୍ୟେକ ମନୁଷ୍ୟ ବତାସରୁ ଆଶ୍ରୟ ସ୍ଥାନ ଓ ଝଡ଼ରୁ ଆଶ୍ରୟ, ଶୁଷ୍କ ସ୍ଥାନରେ ଜଳସ୍ରୋତ, ଶ୍ରାନ୍ତିଜନକ ଭୂମିରେ ବୃହତ୍ ଶୈଳର ଛାୟା ସ୍ଵରୂପ ହେବେ ।
ଯିଶାଇୟ 32 : 3 (ORV)
ପୁଣି, ଦର୍ଶକମାନଙ୍କ ଚକ୍ଷୁ ଧନ୍ଦଳା ନୋହିବ ଓ ଶ୍ରୋତାମାନଙ୍କର କର୍ଣ୍ଣ ମନୋଯୋଗ କରିବ ।
ଯିଶାଇୟ 32 : 4 (ORV)
ଆହୁରି, ଅବିବେଚକର ଚିତ୍ତ ଜ୍ଞାନ ପାଇବ ଓ ତୋତଲାମାନଙ୍କର ଜିହ୍ଵା ସହଜରେ ସ୍ପଷ୍ଟ କଥା କହିବ ।
ଯିଶାଇୟ 32 : 5 (ORV)
ମୂଢ଼ ଲୋକ ମହାତ୍ମା ବୋଲି ଓ ଖଳ ଲୋକ ଉଦାର ବୋଲି ଆଉ ବିଖ୍ୟାତ ନୋହିବ ।
ଯିଶାଇୟ 32 : 6 (ORV)
କାରଣ ପାଷାଣ୍ତତା ବ୍ୟବହାର କରିବା ପାଇଁ ଓ ସଦାପ୍ରଭୁଙ୍କ ପ୍ରତିକୂଳରେ ଭ୍ରାନ୍ତିର କଥା କହିବା ପାଇଁ, କ୍ଷୁଧିତର ପ୍ରାଣ ଶୂନ୍ୟ କରିବା ପାଇଁ ଓ ତୃଷିତର ଜଳ ବାରଣ କରିବା ପାଇଁ ମୂଢ଼ ଲୋକ ଦୁଷ୍ଟତାର କଥା କହିବ ଓ ତାହାର ହୃଦୟ ଅଧର୍ମ କଳ୍ପନା କରିବ ।
ଯିଶାଇୟ 32 : 7 (ORV)
ଆହୁରି, ଖଳ ଲୋକର ଉପାୟସବୁ ମନ୍ଦ; ସେ ନମ୍ର ଲୋକକୁ, ଅର୍ଥାତ୍, ଯଥାର୍ଥ କଥା କହିବା ବେଳେ ଦୀନହୀନକୁ ମିଥ୍ୟା କଥା ଦ୍ଵାରା ନାଶ କରିବା ପାଇଁ କୁସଂକଳ୍ପ କଳ୍ପନା କରେ ।
ଯିଶାଇୟ 32 : 8 (ORV)
ମାତ୍ର ମହାତ୍ମା ମାହାତ୍ମ୍ୟର ମନ୍ତ୍ରଣା କରେ ଓ ସେ ମାହାତ୍ମ୍ୟର ଚେଷ୍ଟାରେ ସ୍ଥିର ରହିବ ।
ଯିଶାଇୟ 32 : 9 (ORV)
ହେ ସୁଖିନୀ ନାରୀଗଣ, ତୁମ୍ଭେମାନେ ଉଠି ମୋହର ରବ ଶୁଣ, ହେ ନିଶ୍ଚିନ୍ତା କନ୍ୟାଗଣ, ମୋʼ ବାକ୍ୟରେ କର୍ଣ୍ଣପାତ କର ।
ଯିଶାଇୟ 32 : 10 (ORV)
ହେ ନିଶ୍ଚିନ୍ତା ନାରୀଗଣ, ତୁମ୍ଭେମାନେ ଏକ ବର୍ଷର ଉପରେ କେତେକ ଦିନ ଉଦ୍ବିଗ୍ନା ହେବ; କାରଣ ଦ୍ରାକ୍ଷାଫଳର ଅଭାବ ହେବ, ଫଳ ଅମଳର ସମୟ ଆସିବ ନାହିଁ ।
ଯିଶାଇୟ 32 : 11 (ORV)
ହେ ସୁଖିନୀ ନାରୀଗଣ, ତୁମ୍ଭେମାନେ କମ୍ପିତା ହୁଅ; ହେ ନିଶ୍ଚିନ୍ତାମାନେ, ଉଦ୍ବିଗ୍ନା ହୁଅ; ବସ୍ତ୍ର କାଢ଼ି ବିବସ୍ତ୍ରା ହୁଅ ଓ ତୁମ୍ଭମାନଙ୍କ କଟିଦେଶରେ ଚଟ ବାନ୍ଧ ।
ଯିଶାଇୟ 32 : 12 (ORV)
ସେମାନେ ମନୋରମ କ୍ଷେତ୍ର ଓ ଫଳବତୀ ଦ୍ରାକ୍ଷାଲତା ନିମନ୍ତେ ଛାତିରେ ମାରିହେବେ ।
ଯିଶାଇୟ 32 : 13 (ORV)
ମୋʼ ଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳି ବୃକ୍ଷମୟ ହେବ; ହଁ, ଉଲ୍ଲାସପ୍ରିୟ ନଗରର ଯାବତୀୟ ଆନନ୍ଦ-ଗୃହ ତାହା ହିଁ ହେବ;
ଯିଶାଇୟ 32 : 14 (ORV)
କାରଣ, ରାଜପୁରୀ ପରିତ୍ୟକ୍ତ ହେବ ଓ ଜନପୂର୍ଣ୍ଣ ନଗର ଜନଶୂନ୍ୟ ହେବ; ଗିରି ଓ ପ୍ରହରୀ-ଦୁର୍ଗ ଚିରକାଳ ଗୁହାମୟ, ବନଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହେବନ୍ତ
ଯିଶାଇୟ 32 : 15 (ORV)
ଶେଷରେ ଊର୍ଦ୍ଧ୍ଵରୁ ଆମ୍ଭମାନଙ୍କ ଉପରେ ଆତ୍ମା ଢଳା ଗଲେ ପ୍ରାନ୍ତର ଉର୍ବରା କ୍ଷେତ୍ର ହେବ ଓ ଉର୍ବରା କ୍ଷେତ୍ର ଅରଣ୍ୟ ବୋଲି ଗଣାଯିବ ।
ଯିଶାଇୟ 32 : 16 (ORV)
ସେତେବେଳେ ପ୍ରାନ୍ତରରେ ନ୍ୟାୟ ବିଚାର ବାସ କରିବ ଓ ଉର୍ବରା କ୍ଷେତ୍ରରେ ଧାର୍ମିକତା ବସତି କରିବ ।
ଯିଶାଇୟ 32 : 17 (ORV)
ପୁଣି, ଧାର୍ମିକତାର କାର୍ଯ୍ୟ ଶାନ୍ତିମୟ ହେବନ୍ତ ଆଉ, ଧାର୍ମିକତାର ଫଳ ନିତ୍ୟ ସୁସ୍ଥିରତା ଓ ନିର୍ଭୟତା ହେବ ।
ଯିଶାଇୟ 32 : 18 (ORV)
ପୁଣି, ମୋହର ଲୋକମାନେ ଶାନ୍ତିମୟ ବସତି ସ୍ଥାନରେ, ଦୃଢ଼ ଆବାସରେ ଓ ସୁସ୍ଥିର ବିଶ୍ରାମ ସ୍ଥାନରେ ବାସ କରିବେ ।
ଯିଶାଇୟ 32 : 19 (ORV)
ମାତ୍ର ଅରଣ୍ୟର ପତନରେ ଶିଳାବୃଷ୍ଟି ହେବ ଓ ନଗର ସମ୍ପୂର୍ଣ୍ଣ ରୂପେ ନିପାତିତ ହେବ ।
ଯିଶାଇୟ 32 : 20 (ORV)
ସଜଳ ସ୍ଥାନସବୁରେ ବୀଜ ବୁଣୁଅଛ ଓ ଗୋରୁ ଗର୍ଦ୍ଦଭକୁ ବାହାରେ ପଠାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ ।

1 2 3 4 5 6 7 8 9 10 11 12 13 14 15 16 17 18 19 20

BG:

Opacity:

Color:


Size:


Font: