ଯିଶାଇୟ 19 : 1 (ORV)
ମିସର ବିଷୟକ ଭାରୋକ୍ତି । ଦେଖ, ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆରୋହଣ କରି ମିସରକୁ ଆସୁଅଛନ୍ତି; ପୁଣି, ତାହାଙ୍କ ଛାମୁରେ ମିସରର ପ୍ରତିମାଗଣ କମ୍ପାନ୍ଵିତ ହେବେ ଓ ମିସରର ହୃଦୟ ତାହାର ମଧ୍ୟରେ ତରଳି ଯିବ ।
ଯିଶାଇୟ 19 : 2 (ORV)
ପୁଣି, ଆମ୍ଭେ ମିସ୍ରୀୟମାନଙ୍କୁ ମିସ୍ରୀୟମାନଙ୍କ ପ୍ରତିକୂଳରେ ଉତ୍ତେଜିତ କରିବା; ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଭାଇର ଓ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀର ବିରୁଦ୍ଧରେ ଯୁଦ୍ଧ କରିବେ; ନଗର ନଗର ବିରୁଦ୍ଧରେ, ରାଜ୍ୟ ରାଜ୍ୟ ବିରୁଦ୍ଧରେ, ଯୁଦ୍ଧ କରିବେ ।
ଯିଶାଇୟ 19 : 3 (ORV)
ଆଉ, ମିସରର ଆତ୍ମା ତାହା ମଧ୍ୟରେ ଶୂନ୍ୟ କରାଯିବ ଓ ଆମ୍ଭେ ତାହାର ମନ୍ତ୍ରଣା ଗ୍ରାସ କରିବା; ତହିଁରେ ସେମାନେ ପ୍ରତିମା ଓ ମୋହକ ଓ ଭୂତୁଡ଼ିଆ ଓ ଗୁଣିଆମାନଙ୍କର ଅନ୍ଵେଷଣ କରିବେ ।
ଯିଶାଇୟ 19 : 4 (ORV)
ଆଉ, ଆମ୍ଭେ ମିସ୍ରୀୟମାନଙ୍କୁ ଏକ ନିର୍ଦ୍ଦୟ ପ୍ରଭୁ ହସ୍ତରେ ସମର୍ପଣ କରିବା ଓ ଏକ ଦୁର; ରାଜା ସେମାନଙ୍କ ଉପରେ କର୍ତ୍ତୃତ୍ଵ କରିବ, ଏହା ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି ।
ଯିଶାଇୟ 19 : 5 (ORV)
ପୁଣି, ସମୁଦ୍ର ଜଳଶୂନ୍ୟ ହେବ ଓ ନଦୀ କ୍ଷୟ ପାଇ ଶୁଷ୍କ ହେବ ।
ଯିଶାଇୟ 19 : 6 (ORV)
ଆଉ, ନଦୀସବୁ ଦୁର୍ଗନ୍ଧ ହେବ; ମିସରର ସ୍ରୋତସବୁ ସାନ ହୋଇ ଶୁଖିଯିବ; ନଳ ଓ ଜଳଜ ତୃଣ ଶୁଷ୍କ ହୋଇଯିବ ।
ଯିଶାଇୟ 19 : 7 (ORV)
ନୀଳନଦୀ ନିକଟସ୍ଥ, ନୀଳନଦୀର ତୀରବର୍ତ୍ତୀ ପଡ଼ିଆସବୁ ଓ ନୀଳନଦୀ ନିକଟରେ ଯାହା କିଛି ବୁଣାଯାଏ, ସେସବୁ ଶୁଷ୍କ ହୋଇ ଉଡ଼ିଯିବ ଓ ଆଉ ରହିବ ନାହିଁ ।
ଯିଶାଇୟ 19 : 8 (ORV)
କୈବର୍ତ୍ତମାନେ ମଧ୍ୟ ବିଳାପ କରିବେ ଓ ଯେଉଁମାନେ ନୀଳନଦୀରେ ବନ୍ଶୀ ପକାନ୍ତି, ସେସମସ୍ତେ ଶୋକ କରିବେ, ପୁଣି ଯେଉଁମାନେ ଜଳରେ ଜାଲ ପ୍ରସାରନ୍ତି, ସେମାନେ ଅବସନ୍ନ ହେବେ ।
ଯିଶାଇୟ 19 : 9 (ORV)
ଆହୁରି, ଯେଉଁମାନେ ପରିଷ୍କୃତ ଛଣପଟର କାର୍ଯ୍ୟ କରନ୍ତି ଓ ଯେଉଁମାନେ ଶୁକ୍ଳବସ୍ତ୍ର ବୁଣନ୍ତି, ସେମାନେ ଲଜ୍ଜିତ ହେବେ ।
ଯିଶାଇୟ 19 : 10 (ORV)
ପୁଣି, ତାହାର ସ୍ତମ୍ଭସକଳ ଭଙ୍ଗାଯାଇ ଖଣ୍ତ ଖଣ୍ତ ହେବ, ବେତନ ପାଇଁ କାର୍ଯ୍ୟ କରିବା ଲୋକସମସ୍ତେ ପ୍ରାଣରେ ଦୁଃଖିତ ହେବେ ।
ଯିଶାଇୟ 19 : 11 (ORV)
ସୋୟନର ଅଧିପତିମାନେ ନିତା; ନିର୍ବୋଧ ଅଟନ୍ତି; ଫାରୋର ବିଜ୍ଞବର ମନ୍ତ୍ରୀଗଣର ମନ୍ତ୍ରଣା ପଶୁବତ୍ ହୋଇଅଛି; ତୁମ୍ଭେମାନେ କିପରି କରି ଫାରୋକୁ କହୁଅଛ, ଆମ୍ଭେ ଜ୍ଞାନୀମାନଙ୍କର ପୁତ୍ର, ପ୍ରାଚୀନ ରାଜଗଣର ସନ୍ତାନ?
ଯିଶାଇୟ 19 : 12 (ORV)
ତେବେ ତୁମ୍ଭର ଜ୍ଞାନୀ ଲୋକମାନେ କେଉଁଠାରେଣ? ସେମାନେ ଏବେ ତୁମ୍ଭକୁ ଜଣାଉନ୍ତୁ ଓ ସୈନ୍ୟାଧିପତି ସଦାପ୍ରଭୁ ମିସର ବିଷୟରେ ଯାହା ମନ୍ତ୍ରଣା କରିଅଛନ୍ତି, ତାହା ସେମାନେ ଜାଣନ୍ତୁ ।
ଯିଶାଇୟ 19 : 13 (ORV)
ସୋୟନର ଅଧିପତିମାନେ ନିର୍ବୋଧ ହୋଇଅଛନ୍ତି, ନୋଫର ଅଧିପତିମାନେ ଭ୍ରାନ୍ତ ହୋଇଅଛନ୍ତି; ଯେଉଁମାନେ ମିସରୀୟ ଗୋଷ୍ଠୀବର୍ଗର କୋଣପ୍ରସ୍ତର ସ୍ଵରୂପ, ସେମାନେ ମିସରକୁ ବିପଥରେ ଗମନ କରାଇଅଛନ୍ତି ।
ଯିଶାଇୟ 19 : 14 (ORV)
ସଦାପ୍ରଭୁ ମିସର ମଧ୍ୟରେ ଭ୍ରାନ୍ତିରୂପ ଆତ୍ମା ମିଶ୍ରିତ କରିଅଛନ୍ତି; ପୁଣି, ମତ୍ତ ଲୋକ ଯେପରି ଆପଣା ବାନ୍ତିରେ ଟଳଟଳ ହୋଇ ପଡ଼େ, ସେପରି ସେମାନେ ମିସରକୁ ତାହାର ପ୍ରତ୍ୟେକ କର୍ମରେ ବିପଥଗାମୀ କରାଇଅଛନ୍ତି ।
ଯିଶାଇୟ 19 : 15 (ORV)
ପୁଣି, ମସ୍ତକ କି ଲାଙ୍ଗୁଳ, କି ତାଳବାହୁଙ୍ଗା କି ଜଳଜ ତୃଣ ଯାହା କରିପାରେ, ଏପରି କୌଣସି କାର୍ଯ୍ୟ ମିସର ପାଇଁ କରାଯିବ ନାହିଁ ।
ଯିଶାଇୟ 19 : 16 (ORV)
ସେଦିନ ମିସର ସ୍ତ୍ରୀଗଣର ତୁଲ୍ୟ ହେବ, ପୁଣି ସୈନ୍ୟାଧିପତି ସଦାପ୍ରଭୁ, ତାହା ଉପରେ ଯେଉଁ ହସ୍ତ ହଲାନ୍ତି, ତାହାଙ୍କର ସେହି ହସ୍ତ ହଲିବା ସକାଶୁ ସେ କମ୍ପିବ ଓ ଭୀତ ହେବ ।
ଯିଶାଇୟ 19 : 17 (ORV)
ମିସର ପ୍ରତି ଯିହୁଦା ଦେଶ ତ୍ରାସଜନକ ହେବ, ସୈନ୍ୟାଧିପତି ସଦାପ୍ରଭୁ ତାହାର ପ୍ରତିକୂଳରେ ଯେଉଁ ମନ୍ତ୍ରଣା କରନ୍ତି, ତହିଁ ସକାଶୁ ଯେ ପ୍ରତ୍ୟେକ ଲୋକକୁ ଯିହୁଦାର ନାମ କୁହାଯାଏ, ସେ ଭୀତ ହେବ ।
ଯିଶାଇୟ 19 : 18 (ORV)
ସେଦିନ ମିସର ଦେଶ ମଧ୍ୟରେ ପାଞ୍ଚ ନଗର କିଣାନୀୟ ଭାଷାବାଦୀ ହେବେ ଓ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଶପଥ କରିବେ, ଏକ ନଗର ଉତ୍ପାଟନ ନଗର ବୋଲି ଖ୍ୟାତ ହେବ ।
ଯିଶାଇୟ 19 : 19 (ORV)
ସେହି ଦିନ ମିସର ଦେଶର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ହେବ ଓ ତହିଁର ସୀମା ନିକଟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ସ୍ତମ୍ଭ ସ୍ଥାପିତ ହେବ ।
ଯିଶାଇୟ 19 : 20 (ORV)
ପୁଣି, ତାହା ମିସର ଦେଶରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଚିହ୍ନ ଓ ସାକ୍ଷୀ ସ୍ଵରୂପ ହେବ; କାରଣ ସେମାନେ ଉପଦ୍ରବୀଗଣର ସକାଶୁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରିବେ, ତହିଁରେ ସେ ଜଣେ ତ୍ରାଣକର୍ତ୍ତା ଓ ରକ୍ଷକ ପଠାଇବେ ଓ ସେ ସେମାନଙ୍କୁ ଉଦ୍ଧାର କରିବେ ।
ଯିଶାଇୟ 19 : 21 (ORV)
ପୁଣି, ମିସରକୁ ସଦାପ୍ରଭୁଙ୍କର ପରିଚୟ ଦିଆଯିବ ଓ ସେଦିନ ମିସରୀୟମାନେ ସଦାପ୍ରଭୁଙ୍କୁ ଜାଣିବେ; ଆହୁରି, ସେମାନେ ବଳି ଓ ନୈବେଦ୍ୟ ଦେଇ ଆରାଧନା କରିବେ ଓ ସଦାପ୍ରଭୁଙ୍କ ନିକଟରେ ମାନତ କରି ତାହା ପୂର୍ଣ୍ଣ କରିବେ ।
ଯିଶାଇୟ 19 : 22 (ORV)
ପୁଣି, ସଦାପ୍ରଭୁ ମିସରକୁ ପ୍ରହାର କରିବେ, ପ୍ରହାର କରିବେ ଓ ସୁସ୍ଥ କରିବେ; ପୁଣି, ସେମାନେ ସଦାପ୍ରଭୁଙ୍କ ନିକଟକୁ ଫେରି ଆସିବେ, ତହିଁରେ ସେ ସେମାନଙ୍କର ବିନତି ଗ୍ରାହ୍ୟ କରି ସେମାନଙ୍କୁ ସୁସ୍ଥ କରିବେ ।
ଯିଶାଇୟ 19 : 23 (ORV)
ସେଦିନ ମିସରଠାରୁ ଅଶୂରକୁ ଏକ ରାଜପଥ ପଡ଼ିବ, ତହିଁରେ ଅଶୂରୀୟମାନେ ମିସରକୁ ଓ ମିସରୀୟମାନେ ଅଶୂରକୁ ଯାତାୟତ କରିବେ; ପୁଣି, ମିସରୀୟମାନେ ଅଶୂରୀୟମାନଙ୍କ ସଙ୍ଗେ ଆରାଧନା କରିବେ ।
ଯିଶାଇୟ 19 : 24 (ORV)
ସେହି ଦିନ ଇସ୍ରାଏଲ, ମିସର ଓ ଅଶୂରର ସଙ୍ଗେ ତୃତୀୟ ହୋଇ ପୃଥିବୀ ମଧ୍ୟରେ ଆଶୀର୍ବାଦର ପାତ୍ର ହେବ;
ଯିଶାଇୟ 19 : 25 (ORV)
କାରଣ ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରି କହିଅଛନ୍ତି, ଆମ୍ଭର ଲୋକ ମିସର ଓ ଆମ୍ଭର ହସ୍ତକୃତ କର୍ମ ଅଶୂର ଓ ଆମ୍ଭର ଅଧିକାର ଇସ୍ରାଏଲ ଆଶୀର୍ବାଦଯୁକ୍ତ ହେଉନ୍ତୁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25

BG:

Opacity:

Color:


Size:


Font: