ଗୀତସଂହିତା 97 : 1 (ORV)
ସଦାପ୍ରଭୁ ରାଜ୍ୟ କରନ୍ତି; ପୃଥିବୀ ଉଲ୍ଲାସ କରୁ; ଦ୍ଵୀପସମୂହ ଆନନ୍ଦିତ ହେଉନ୍ତୁ ।
ଗୀତସଂହିତା 97 : 2 (ORV)
ମେଘମାଳ ଓ ଅନ୍ଧକାର ତାହାଙ୍କ ଚତୁର୍ଦ୍ଦିଗରେ ଥାଏ; ଧର୍ମ ଓ ବିଚାର ତାହାଙ୍କ ସିଂହାସନର ଭିତ୍ତିମୂଳ ।
ଗୀତସଂହିତା 97 : 3 (ORV)
ତାହାଙ୍କ ସମ୍ମୁଖରେ ଅଗ୍ନି ଗମନ କରେ ଓ ତାହାଙ୍କ ଚତୁର୍ଦ୍ଦିଗସ୍ଥ ଶତ୍ରୁଗଣକୁ ଦଗ୍ଧ କରେ ।
ଗୀତସଂହିତା 97 : 4 (ORV)
ତାହାଙ୍କ ବିଜୁଳି ଜଗତକୁ ଦୀପ୍ତିମାନ କଲା; ପୃଥିବୀ ଦେଖି କମ୍ପିଲା ।
ଗୀତସଂହିତା 97 : 5 (ORV)
ପର୍ବତଗଣ ସଦାପ୍ରଭୁଙ୍କ ଛାମୁରେ ମହମ ପରି ତରଳି ଗଲେ, ସମୁଦାୟ ପୃଥିବୀ ପ୍ରଭୁଙ୍କ ଛାମୁରେ ତରଳି ଗଲେ ।
ଗୀତସଂହିତା 97 : 6 (ORV)
ଆକାଶମଣ୍ତଳ ତାହାଙ୍କ ଧର୍ମ ପ୍ରଚାର କରଇ ଓ ସମୁଦାୟ ଗୋଷ୍ଠୀ ତାହାଙ୍କ ମହିମା ଦେଖିଅଛନ୍ତି ।
ଗୀତସଂହିତା 97 : 7 (ORV)
ଖୋଦିତ ପ୍ରତିମାଗଣର ସେବକସମସ୍ତେ ଓ ଦେବତାଗଣର ଦର୍ପକାରୀସମସ୍ତେ ଲଜ୍ଜିତ ହେଉନ୍ତୁ; ହେ ଦେବସବୁ, ତୁମ୍ଭେମାନେ ତାହାଙ୍କୁ ପ୍ରଣାମ କର ।
ଗୀତସଂହିତା 97 : 8 (ORV)
ହେ ସଦାପ୍ରଭୋ, ତୁମ୍ଭ ଶାସନ ବିଷୟ ସିୟୋନ ଶୁଣି ଆନନ୍ଦିତ ହେଲା ଓ ଯିହୁଦାର କନ୍ୟାଗଣ ଉଲ୍ଲସିତ ହେଲେ ।
ଗୀତସଂହିତା 97 : 9 (ORV)
କାରଣ ହେ ସଦାପ୍ରଭୋ, ତୁମ୍ଭେ ସମୁଦାୟ ପୃଥିବୀରେ ସର୍ବୋପରିସ୍ଥ; ତୁମ୍ଭେ ସକଳ ଦେବ ଉପରେ ଅତିଶୟ ଉନ୍ନତ ।
ଗୀତସଂହିତା 97 : 10 (ORV)
ହେ ସଦାପ୍ରଭୁଙ୍କ ପ୍ରେମକାରୀଗଣ, ତୁମ୍ଭେମାନେ ମନ୍ଦତା ଘୃଣା କର; ସେ ଆପଣା ସଦ୍ଭକ୍ତମାନଙ୍କ ପ୍ରାଣ ରକ୍ଷା କରନ୍ତି । ସେ ସେମାନଙ୍କୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରନ୍ତି;
ଗୀତସଂହିତା 97 : 11 (ORV)
ଧାର୍ମିକମାନଙ୍କ ପାଇଁ ଦୀପ୍ତି ଓ ସରଳମନାମାନଙ୍କ ପାଇଁ ଆନନ୍ଦ ବୁଣା ଯାଇଅଛି ।
ଗୀତସଂହିତା 97 : 12 (ORV)
ହେ ଧାର୍ମିକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ଆନନ୍ଦ କର; ପୁଣି ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର ।

1 2 3 4 5 6 7 8 9 10 11 12

BG:

Opacity:

Color:


Size:


Font: