ଗୀତସଂହିତା 88 : 1 (ORV)
ଗୀତ; କୋରହ-ସନ୍ତାନଗଣର ଗୀତ । ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ଲୀୟନ୍ନୋତ୍ ସ୍ଵରରେ ଇଷ୍ରାହୀୟ ହେମନର ମସ୍କୀଲ୍ । ସଦାପ୍ରଭୋ, ମୋʼ ପରିତ୍ରାଣର ପରମେଶ୍ଵର, ମୁଁ ଦିବାରାତ୍ର ତୁମ୍ଭ ସମ୍ମୁଖରେ କାକୁକ୍ତି କରିଅଛି;
ଗୀତସଂହିତା 88 : 2 (ORV)
ମୋʼ ପ୍ରାର୍ଥନା ତୁମ୍ଭ ଛାମୁରେ ଉପସ୍ଥିତ ହେଉ; ମୋʼ କାକୁକ୍ତିରେ କର୍ଣ୍ଣପାତ କର;
ଗୀତସଂହିତା 88 : 3 (ORV)
କାରଣ ମୋʼ ପ୍ରାଣ ଦୁଃଖରେ ପରିପୂର୍ଣ୍ଣ ଓ ମୋʼ ଜୀବନ ପାତାଳର ନିକଟବର୍ତ୍ତୀ ହେଉଅଛି ।
ଗୀତସଂହିତା 88 : 4 (ORV)
ମୁଁ ଗର୍ତ୍ତଗାମୀ ଲୋକମାନଙ୍କ ସଙ୍ଗେ ଗଣିତ; ମୁଁ ଅସହାୟ ଲୋକର ସମାନ ।
ଗୀତସଂହିତା 88 : 5 (ORV)
ଯେଉଁ କବରଶାୟୀ ହତ ଲୋକମାନଙ୍କୁ ତୁମ୍ଭେ ଆଉ ସ୍ମରଣ କରୁ ନାହଁ ଓ ଯେଉଁମାନେ ତୁମ୍ଭ ହସ୍ତରୁ ବିଚ୍ଛିନ୍ନ ହୋଇଅଛନ୍ତି, ସେହି ମୃତ ଲୋକମାନଙ୍କ ମଧ୍ୟରେ ମୁଁ ତ୍ୟକ୍ତ ହୋଇଅଛି ।
ଗୀତସଂହିତା 88 : 6 (ORV)
ତୁମ୍ଭେ ମୋତେ ନୀଚତମ ଗର୍ତ୍ତରେ, ଅନ୍ଧକାରରେ, ଗଭୀର ସ୍ଥାନରେ ରଖିଅଛ ।
ଗୀତସଂହିତା 88 : 7 (ORV)
ତୁମ୍ଭର କୋପ ମୋʼ ଉପରେ ପ୍ରବଳ ହୋଇ ରହୁଅଛି ଓ ତୁମ୍ଭେ ଆପଣାର ସମସ୍ତ ତରଙ୍ଗରେ ମୋତେ କ୍ଳେଶ ଦେଇଅଛ । [ସେଲା
ଗୀତସଂହିତା 88 : 8 (ORV)
ତୁମ୍ଭେ ମୋହର ପରିଚିତ ଲୋକମାନଙ୍କୁ ମୋʼଠାରୁ ଦୂରରେ ରଖିଅଛ; ତୁମ୍ଭେ ସେମାନଙ୍କ ନିକଟରେ ମୋତେ ଘୃଣାର ବିଷୟ କରିଅଛ । ମୁଁ ଅବରୁଦ୍ଧ ହୋଇଅଛି ଓ ମୁଁ ବାହାରକୁ ଆସି ପାରୁ ନାହିଁ ।
ଗୀତସଂହିତା 88 : 9 (ORV)
କ୍ଳେଶ ସକାଶୁ ମୋʼ ଚକ୍ଷୁ କ୍ଷୀଣ ହେଉଅଛି; ହେ ସଦାପ୍ରଭୋ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି, ମୁଁ ତୁମ୍ଭଆଡ଼େ ଆପଣା ହସ୍ତ ପ୍ରସାରିଅଛି ।
ଗୀତସଂହିତା 88 : 10 (ORV)
ତୁମ୍ଭେ କି ମୃତ ଲୋକମାନଙ୍କୁ ଆଶ୍ଚର୍ଯ୍ୟକ୍ରିୟା ଦେଖାଇବ? ଯେଉଁମାନେ ମରିଯାଇଅଛନ୍ତି, ସେମାନେ ଉଠି କି ତୁମ୍ଭର ପ୍ରଶଂସା କରିବେ? [ସେଲା
ଗୀତସଂହିତା 88 : 11 (ORV)
କବରରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅବା ବିନାଶ ସ୍ଥାନରେ ତୁମ୍ଭର ବିଶ୍ଵସ୍ତତା କି ପ୍ରଚାରିତ ହେବ?
ଗୀତସଂହିତା 88 : 12 (ORV)
ଅନ୍ଧକାରରେ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟା ଓ ବିସ୍ମୃତି ଦେଶରେ ତୁମ୍ଭର ଧର୍ମ କି ଜଣାଯିବ?
ଗୀତସଂହିତା 88 : 13 (ORV)
ମାତ୍ର ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ କାକୁକ୍ତି କରିଅଛି ଓ ପ୍ରଭାତରେ ମୋʼ ପ୍ରାର୍ଥନା ତୁମ୍ଭ ନିକଟରେ ଉପସ୍ଥିତ ହେବ ।
ଗୀତସଂହିତା 88 : 14 (ORV)
ହେ ସଦାପ୍ରଭୋ, ତୁମ୍ଭେ କାହିଁକି ମୋʼ ପ୍ରାଣକୁ ପରିତ୍ୟାଗ କରୁଅଛ? ତୁମ୍ଭେ କାହିଁକି ମୋʼଠାରୁ ଆପଣା ମୁଖ ଲୁଚାଉଅଛ?
ଗୀତସଂହିତା 88 : 15 (ORV)
ମୁଁ ବାଲ୍ୟକାଳଠାରୁ ଦୁଃଖଗ୍ରସ୍ତ ଓ ମୃତକଳ୍ପ; ମୁଁ ତୁମ୍ଭ ତ୍ରାସ ଭୋଗ କରି କରି ଉନ୍ମନା ହୋଇଅଛି ।
ଗୀତସଂହିତା 88 : 16 (ORV)
ତୁମ୍ଭ ପ୍ରଚଣ୍ତ କୋପ ମୋʼ ଉପର ଦେଇ ଯାଇଅଛି; ତୁମ୍ଭର ତ୍ରାସସବୁ ମୋତେ ଉଚ୍ଛିନ୍ନ କରିଅଛି ।
ଗୀତସଂହିତା 88 : 17 (ORV)
ତାହାସବୁ ଦିନଯାକ ଜଳ ପରି ମୋʼ ଚାରିଆଡ଼େ ଉପସ୍ଥିତ; ତାହାସବୁ ଏକତ୍ର ମୋʼ ଚାରିଆଡ଼େ ବେଷ୍ଟନ କଲେ ।
ଗୀତସଂହିତା 88 : 18 (ORV)
ତୁମ୍ଭେ ସ୍ନେହୀକି ଓ ମିତ୍ରକୁ ମୋʼଠାରୁ ଦୂରରେ ଓ ମୋʼ ପରିଚିତ ଲୋକଙ୍କୁ ଅନ୍ଧକାରରେ ରଖିଅଛ ।

1 2 3 4 5 6 7 8 9 10 11 12 13 14 15 16 17 18

BG:

Opacity:

Color:


Size:


Font: