ନିହିମିୟା 5 : 1 (ORV)
ଅନନ୍ତର ଯିହୁଦୀୟ ଭାଇମାନଙ୍କ ବିରୁଦ୍ଧରେ ଲୋକମାନଙ୍କର ଓ ସେମାନଙ୍କ ଭାର୍ଯ୍ୟାଗଣର ମହାକ୍ରନ୍ଦନ ଉଠିଲା ।
ନିହିମିୟା 5 : 2 (ORV)
କାରଣ କେହି କେହି କହିଲେ, ଆମ୍ଭେମାନେ, ଆମ୍ଭମାନଙ୍କ ପୁତ୍ର ଓ କନ୍ୟାଗଣ ଅନେକ ଲୋକ ଅଟୁ; ଆମ୍ଭମାନଙ୍କୁ ଶସ୍ୟ ମିଳୁ, ଆମ୍ଭେମାନେ ଖାଇ ବଞ୍ଚିବା ।
ନିହିମିୟା 5 : 3 (ORV)
ମଧ୍ୟ ଆଉ କେହି କେହି କହିଲେ, ଆମ୍ଭେମାନେ ଆପଣା ଆପଣା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଓ ଗୃହ ବନ୍ଧକ ରଖିଅଛୁ, ଆମ୍ଭମାନଙ୍କୁ ଶସ୍ୟ ମିଳୁ, କାରଣ ଏ ଦୁର୍ଭିକ୍ଷ ସମୟ ।
ନିହିମିୟା 5 : 4 (ORV)
ଆହୁରି, କେତେକେ କହିଲେ, ଆମ୍ଭେମାନେ ରାଜ-କର ନିମନ୍ତେ ଆପଣା ଆପଣା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ବନ୍ଧକ ରଖି ମୁଦ୍ରା ଋଣ କରିଅଛୁ ।
ନିହିମିୟା 5 : 5 (ORV)
ମାତ୍ର ଆମ୍ଭମାନଙ୍କ ଶରୀର ଆମ୍ଭମାନଙ୍କ ଭ୍ରାତୃଗଣର ଶରୀର ସମାନ, ଆମ୍ଭମାନଙ୍କ ସନ୍ତାନଗଣ ସେମାନଙ୍କ ସନ୍ତାନଗଣର ସମାନ; ତଥାପି ଦେଖ, ଆମ୍ଭେମାନେ ଆପଣା ଆପଣା ପୁତ୍ର ଓ କନ୍ୟାଗଣକୁ ଦାସ ହେବା ପାଇଁ ଦାସତ୍ଵାବସ୍ଥାକୁ ଆଣୁଅଛୁ, ପୁଣି ଆମ୍ଭମାନଙ୍କ କନ୍ୟାଗଣ ମଧ୍ୟରୁ କେହି କେହି ଦାସୀତ୍ଵାବସ୍ଥାକୁ ଅଣାଯାଇ ସାରିଲେଣି; ଆଉ, ଆମ୍ଭମାନଙ୍କର କିଛି ଆୟତ୍ତ ନାହିଁ; କାରଣ ଅନ୍ୟ ଲୋକମାନେ ଆମ୍ଭମାନଙ୍କର ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଧରିଅଛନ୍ତି ।
ନିହିମିୟା 5 : 6 (ORV)
ସେତେବେଳେ ମୁଁ ସେମାନଙ୍କର କ୍ରନ୍ଦନ ଓ ଏହି କଥାସବୁ ଶୁଣି ଅତ୍ୟ; କ୍ରୁଦ୍ଧ ହେଲି ।
ନିହିମିୟା 5 : 7 (ORV)
ଆଉ, ମୁଁ ଆପଣା ମନରେ ବିବେଚନା କଲି, ପୁଣି କୁଳୀନମାନଙ୍କର ଓ ଅଧ୍ୟକ୍ଷମାନଙ୍କର ସଙ୍ଗେ ବାଦାନୁବାଦ କରି ସେମାନଙ୍କୁ କହିଲି, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଭାଇଠାରୁ ସୁଧ ନେଉଅଛ । ତହୁଁ ମୁଁ ସେମାନଙ୍କ ବିରୁଦ୍ଧରେ ମହାସଭା କଲି ।
ନିହିମିୟା 5 : 8 (ORV)
ଆଉ, ମୁଁ ସେମାନଙ୍କୁ କହିଲି, ଆମ୍ଭମାନଙ୍କର ଯିହୁଦୀୟ ଭାଇମାନେ ଅନ୍ୟ ଦେଶୀୟମାନଙ୍କ ନିକଟରେ ବିକା ଯାଇଥିଲେ, ଆମ୍ଭେମାନେ ସେମାନଙ୍କୁ ଆପଣା ସାଧ୍ୟାନୁସାରେ ମୁକ୍ତ କରିଅଛୁ, ଏବେ ତୁମ୍ଭେମାନେ କʼଣ ଆପଣା ଭାଇମାନଙ୍କୁ ବିକିବ? ଓ ସେମାନେ କʼଣ ଆମ୍ଭମାନଙ୍କ ନିକଟରେ ବିକାଯିବେ? ଏଥିରେ ସେମାନେ ନୀରବ ହେଲେ, କିଛି ଉତ୍ତର ଦେଇ ପାରିଲେ ନାହିଁ ।
ନିହିମିୟା 5 : 9 (ORV)
ଆହୁରି, ମୁଁ କହିଲି, ତୁମ୍ଭେମାନେ ଯେଉଁ କାର୍ଯ୍ୟ କରୁଅଛ, ତାହା ଭଲ ନୁହେଁ, ଆମ୍ଭମାନଙ୍କ ଶତ୍ରୁ ଅନ୍ୟ ଦେଶୀୟମାନଙ୍କର ଧିକ୍କାର ସକାଶୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ପ୍ରତି ଭୟରେ ଆଚରଣ କରିବା କʼଣ ତୁମ୍ଭମାନଙ୍କର ଉଚିତ ନୁହେଁ?
ନିହିମିୟା 5 : 10 (ORV)
ମଧ୍ୟ ମୁଁ, ମୋʼ ଭାଇମାନେ ଓ ମୋହର ଦାସମାନେ ସୁଧରେ ସେମାନଙ୍କୁ ମୁଦ୍ରା ଓ ଶସ୍ୟ ଋଣ ଦେଉଅଛୁ । ମୁଁ ବିନୟ କରୁଅଛି, ଆମ୍ଭେମାନେ ଏହି ସୁଧ ଛାଡ଼ି ଦେଉ ।
ନିହିମିୟା 5 : 11 (ORV)
ମୁଁ ବିନୟ କରୁଅଛି, ତୁମ୍ଭେମାନେ ସେମାନଙ୍କର ଶସ୍ୟକ୍ଷେତ୍ର, ସେମାନଙ୍କର ଦ୍ରାକ୍ଷାକ୍ଷେତ୍ର, ସେମାନଙ୍କର ଜୀତ କ୍ଷେତ୍ର ଓ ସେମାନଙ୍କର ଗୃହ, ମଧ୍ୟ ସେମାନଙ୍କଠାରୁ ମୁଦ୍ରା ଓ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଶତକଡ଼ା ଯେଉଁ ବୃଦ୍ଧି ତୁମ୍ଭେମାନେ ନେଇଅଛ, ତାହା ଆଜି ସେମାନଙ୍କୁ ଫେରାଇ ଦିଅ ।
ନିହିମିୟା 5 : 12 (ORV)
ତହିଁରେ ସେମାନେ କହିଲେ, ଆମ୍ଭେମାନେ ଫେରାଇ ଦେବୁ ଓ ସେମାନଙ୍କୁ କିଛି ମାଗିବୁ ନାହିଁ; ଆପଣ ଯେପରି କହୁଅଛନ୍ତି, ଆମ୍ଭେମାନେ ସେପରି କରିବୁ । ତହୁଁ ମୁଁ ଯାଜକମାନଙ୍କୁ ଡାକି ଏହି ପ୍ରତିଜ୍ଞାନୁସାରେ ସେମାନେ ଯେପରି କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଶପଥ କରାଇଲି ।
ନିହିମିୟା 5 : 13 (ORV)
ମଧ୍ୟ ମୁଁ ଆପଣା ଅଣ୍ଟି ଝାଡ଼ି ଦେଇ କହିଲି, ଯେକେହି ଏହି ପ୍ରତିଜ୍ଞା ପ୍ରତିପାଳନ କରିବ ନାହିଁ, ପରମେଶ୍ଵର ତାହାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏହିପରି ଝାଡ଼ି ଦେଉନ୍ତୁ; ସେ ଏହିରୂପେ ଝଡ଼ା ଯାଉ ଓ ଶୂନ୍ୟ ହେଉ । ତହିଁରେ ସମସ୍ତ ସମାଜ ଆମେନ୍ କହିଲେ ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ । ଏଥି ଉତ୍ତାରେ ଲୋକମାନେ ଏହି ପ୍ରତିଜ୍ଞାନୁସାରେ କର୍ମ କଲେ ।
ନିହିମିୟା 5 : 14 (ORV)
ଆହୁରି, ମୁଁ ଯିହୁଦା ଦେଶରେ ସେମାନଙ୍କର ଅଧ୍ୟକ୍ଷ ପଦରେ ନିଯୁକ୍ତ ଥିବା ସମୟଠାରୁ, ଅର୍ଥାତ୍, ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର କୋଡ଼ିଏ ବର୍ଷଠାରୁ ବତିଶ ବର୍ଷ ପର୍ଯ୍ୟନ୍ତ ବାର ବର୍ଷ ମୁଁ ଓ ମୋʼ ଭ୍ରାତୃଗଣ ଦେଶାଧ୍ୟକ୍ଷର ବୃତ୍ତି ଭୋଗ କଲୁ ନାହିଁ ।
ନିହିମିୟା 5 : 15 (ORV)
ମାତ୍ର ମୋହର ପୂର୍ବବର୍ତ୍ତୀ ଦେଶାଧ୍ୟକ୍ଷମାନଙ୍କ ବ୍ୟୟଭାର ଲୋକମାନଙ୍କୁ ବହିବାକୁ ପଡ଼ିଲା, ଆଉ ସେମାନେ ଚାଳିଶ ଶେକଲ ରୂପା ଛଡ଼ା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ; କେବଳ ତାହା ନୁହେଁ, ସେମାନଙ୍କ ଦାସମାନେ ଲୋକମାନଙ୍କ ଉପରେ କର୍ତ୍ତୃତ୍ଵ କଲେ; ମାତ୍ର ପରମେଶ୍ଵରଙ୍କ ପ୍ରତି ଭୟ ସକାଶୁ ମୁଁ ସେପରି କଲି ନାହିଁ ।
ନିହିମିୟା 5 : 16 (ORV)
ଆହୁରି, ମୁଁ ଏହି ପ୍ରାଚୀର-କର୍ମରେ ଲାଗି ରହିଲି ଓ ଆମ୍ଭେମାନେ କୌଣସି ଭୂମି କିଣିଲୁ ନାହିଁ; ପୁଣି, ମୋହର ଦାସ ସମସ୍ତେ ସେଠାରେ କାର୍ଯ୍ୟରେ ଏକତ୍ରିତ ହେଲେ ।
ନିହିମିୟା 5 : 17 (ORV)
ତଥାପି ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ-ମାନଙ୍କ ମଧ୍ୟରୁ ଆମ୍ଭମାନଙ୍କ ନିକଟକୁ ଆଗତ ଲୋକମାନଙ୍କ ଛଡ଼ା ଯିହୁଦୀ ଓ ଅଧ୍ୟକ୍ଷ ଏକଣଶହ ପଚାଶ ଲୋକ ମୋʼ ଭୋଜନାସନରେ ବସିଲେ ।
ନିହିମିୟା 5 : 18 (ORV)
ସେସମୟରେ ପ୍ରତି ଦିନ ଏକ ବଳଦ ଓ ଛଅଟି ବଛା ମେଷ ପାକ କରାଗଲା; ମଧ୍ୟ ମୋʼ ପାଇଁ କେତେକ ପକ୍ଷୀ ପାକ କରାଗଲା ଓ ଦଶ ଦିନରେ ଥରେ ସର୍ବପ୍ରକାର ଦ୍ରାକ୍ଷାରସ ଆୟୋଜନ କରାଗଲା; ତଥାପି ମୁଁ ଏସବୁ ଲାଗି ଦେଶାଧ୍ୟକ୍ଷର ବୃତ୍ତି ଚାହିଁଲି ନାହିଁ, କାରଣ ଏହି ଲୋକଙ୍କ ଉପରେ ଦାସତ୍ଵର ଭାର ଗୁରୁତର ହୋଇଥିଲା ।
ନିହିମିୟା 5 : 19 (ORV)
ହେ ମୋହର ପରମେଶ୍ଵର, ମୁଁ ଏହି ଲୋକମାନଙ୍କ ନିମନ୍ତେ ଯେ ଯେ କାର୍ଯ୍ୟ କରିଅଛି, ମୋʼ ପକ୍ଷରେ ମଙ୍ଗଳ ନିମନ୍ତେ ତାହାସବୁ ସ୍ମରଣ କର ।

1 2 3 4 5 6 7 8 9 10 11 12 13 14 15 16 17 18 19

BG:

Opacity:

Color:


Size:


Font: