ଏଜ୍ରା 3 : 1 (ORV)
ଆଉ, ସପ୍ତମ ମାସ ଉପସ୍ଥିତ ହେଲା, ପୁଣି ଇସ୍ରାଏଲ-ସନ୍ତାନଗଣ ସେହିସବୁ ନଗରରେ ଥିଲେ, ସେତେବେଳେ ଲୋକମାନେ ଏକ ବ୍ୟକ୍ତି ତୁଲ୍ୟ ଯିରୂଶାଲମରେ ଏକତ୍ରିତ ହେଲେ ।
ଏଜ୍ରା 3 : 2 (ORV)
ତହିଁରେ ଯୋଷାଦକର ପୁତ୍ର ଯେଶୂୟ ଓ ତାହାର ଯାଜକ ଭ୍ରାତୃଗଣ ଓ ଶଲଟୀୟେଲର ପୁତ୍ର ଯିରୁବ୍ବାବିଲ ଓ ତାହାର ଭ୍ରାତୃଗଣ ଉଠି ପରମେଶ୍ଵରଙ୍କ ଲୋକ ମୋଶାଙ୍କର ବ୍ୟବସ୍ଥାର ଲିଖନାନୁସାରେ ହୋମବଳି ଉତ୍ସର୍ଗ କରିବା ପାଇଁ ଇସ୍ରାଏଲର ପରମେଶ୍ଵରଙ୍କ ଯଜ୍ଞବେଦି ନିର୍ମାଣ କଲେ ।
ଏଜ୍ରା 3 : 3 (ORV)
ପୁଣି, ସେମାନେ ନାନା ଦେଶୀୟ ଲୋକମାନଙ୍କ ସକାଶୁ ଭୀତ ହେବାରୁ ଯଜ୍ଞବେଦିକି ତହିଁର ବଇଠି ଉପରେ ସ୍ଥାପନ କଲେ; ଆଉ, ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି, ଅର୍ଥାତ୍, ପ୍ରଭାତୀୟ ଓ ସନ୍ଧ୍ୟାକାଳୀୟ ହୋମବଳି ଉତ୍ସର୍ଗ କଲେ ।
ଏଜ୍ରା 3 : 4 (ORV)
ଅନନ୍ତର ସେମାନେ ଲିଖନାନୁସାରେ ପତ୍ରକୁଟୀର ପର୍ବ ପାଳନ କଲେ ଓ ପ୍ରତି ଦିନର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ବିଧିମତେ ସଂଖ୍ୟାନୁଯାୟୀ ପ୍ରାତ୍ୟହିକ ହୋମବଳି ଉତ୍ସର୍ଗ କଲେ;
ଏଜ୍ରା 3 : 5 (ORV)
ଏଥି ଉତ୍ତାରେ ସେମାନେ ନିତ୍ୟ ହୋମବଳି, ଆଉ ଅମାବାସ୍ୟାର ଓ ସଦାପ୍ରଭୁଙ୍କ ପବିତ୍ରୀକୃତ ସକଳ ନିରୂପିତ ପର୍ବର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ଵେଚ୍ଛାଦତ୍ତ-ନୈବେଦ୍ୟ ଉତ୍ସର୍ଗକାରୀ ପ୍ରତ୍ୟେକ ଲୋକର ଉପହାର ଉତ୍ସର୍ଗ କରିବାକୁ ଲାଗିଲେ ।
ଏଜ୍ରା 3 : 6 (ORV)
ସପ୍ତମ ମାସର ପ୍ରଥମ ଦିନଠାରୁ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବାକୁ ଆରମ୍ଭ କଲେ; ମାତ୍ର ସେସମୟରେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପିତ ହୋଇ ନ ଥିଲା ।
ଏଜ୍ରା 3 : 7 (ORV)
ଆଉ, ସେମାନେ ପାରସ୍ୟର ରାଜା କୋରସ୍ର ଅନୁମତି ଅନୁସାରେ ରାଜମିସ୍ତ୍ରୀ ଓ ସୂତ୍ରଧରମାନଙ୍କୁ ମୁଦ୍ରା ଦେଲେ; ପୁଣି ଲିବାନୋନ୍‍ଠାରୁ ଯାଫୋସ୍ଥିତ ସମୁଦ୍ରତୀର ପର୍ଯ୍ୟନ୍ତ ଏରସକାଷ୍ଠ ଆଣିବା ପାଇଁ ସୀଦୋନୀୟ ଓ ସୋରୀୟ ଲୋକମାନଙ୍କୁ ଖାଦ୍ୟ ଓ ପେୟ-ଦ୍ରବ୍ୟ ଓ ତୈଳ ଦେଲେ ।
ଏଜ୍ରା 3 : 8 (ORV)
ପରମେଶ୍ଵରଙ୍କ ଯିରୂଶାଲମସ୍ଥିତ ଗୃହକୁ ସେମାନଙ୍କ ଆଗମନର ଦ୍ଵିତୀୟ ବର୍ଷର ଦ୍ଵିତୀୟ ମାସରେ ଶଲ୍ଟୀୟେଲର ପୁତ୍ର ଯିରୁବ୍ବାବିଲ ଓ ଯୋଷାଦକର ପୁତ୍ର ଯେଶୂୟ ଓ ସେମାନଙ୍କର ଅବଶିଷ୍ଟ ଯାଜକ ଓ ଲେବୀୟ ଭ୍ରାତୃଗଣ ଓ ବନ୍ଦୀଦଶାରୁ ଯିରୂଶାଲମକୁ ଆଗତ ଲୋକ ସମସ୍ତେ ଆରମ୍ଭ କରି ସଦାପ୍ରଭୁଙ୍କ ଗୃହକାର୍ଯ୍ୟର ତତ୍ତ୍ଵାବଧାରଣ ନିମନ୍ତେ କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲେବୀୟମାନଙ୍କୁ ନିଯୁକ୍ତ କଲେ ।
ଏଜ୍ରା 3 : 9 (ORV)
ସେତେବେଳେ ଯେଶୂୟ ତାହାର ପୁତ୍ର ଓ ଭ୍ରାତୃଗଣ, କଦ୍ମୀୟେଲ ଓ ତାହାର ପୁତ୍ରଗଣ, ଯିହୁଦାର ପୁତ୍ରଗଣ, ପରମେଶ୍ଵରଙ୍କ ଗୃହରେ କର୍ମକାରୀମାନଙ୍କ ତତ୍ତ୍ଵାବଧାରଣର ଭାର ପ୍ରାପ୍ତ ହେବା ନିମନ୍ତେ ଏକତ୍ର ଠିଆ ହେଲେ; ହେନାଦଦର ପୁତ୍ରଗଣ, ସେମାନଙ୍କ ପୁତ୍ର ଓ ଭ୍ରାତୃଗଣ (ତଦ୍ରୂପ କଲେ), ଏମାନେ ଲେବୀୟ ଲୋକ ।
ଏଜ୍ରା 3 : 10 (ORV)
ଆଉ, ଗାନ୍ଥକମାନେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଇବା ବେଳେ ସେମାନେ ଇସ୍ରାଏଲର ରାଜା ଦାଉଦଙ୍କ ନିରୂପଣାନୁସାରେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ନିଜ ନିଜ ବସ୍ତ୍ରପରିହିତ ଯାଜକମାନଙ୍କୁ ତୂରୀ ସହିତ ଓ ଆସଫର ସନ୍ତାନ ଲେବୀୟଗଣକୁ କରତାଳ ସହିତ ସ୍ଥାପନ କଲେ ।
ଏଜ୍ରା 3 : 11 (ORV)
ପୁଣି, ସେମାନେ ସଦାପ୍ରଭୁଙ୍କୁ ପ୍ରଶଂସା ଓ ଧନ୍ୟବାଦ ଦେଇ ଏକଆରେକ ପ୍ରତି ଗାନ କରି କହିଲେ, ସେ ମଙ୍ଗଳମୟ, ଯେହେତୁ ଇସ୍ରାଏଲ ପ୍ରତି ତାହାଙ୍କର କରୁଣା ଅନନ୍ତକାଳସ୍ଥାୟୀ⇧ । ଆଉ, ସଦାପ୍ରଭୁଙ୍କ ଗୃହର ଭିତ୍ତିମୂଳ ବସାଯିବା ସକାଶୁ ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବା ବେଳେ ସମଗ୍ର ଲୋକ ଉଚ୍ଚୈଃସ୍ଵରରେ ଜୟଧ୍ଵନି କଲେ ।
ଏଜ୍ରା 3 : 12 (ORV)
ମାତ୍ର ଯେଉଁ ଯାଜକ ଓ ଲେବୀୟ ଓ ପିତୃବଂଶ-ପ୍ରଧାନ ପ୍ରାଚୀନ ଲୋକମାନେ ପ୍ରଥମ ଗୃହ ଦେଖିଥିଲେ, ସେମାନଙ୍କ ଦୃଷ୍ଟିଗୋଚରରେ ଏହି ଗୃହର ଭିତ୍ତିମୂଳ ବସାଯିବା ବେଳେ ସେମାନଙ୍କ ମଧ୍ୟରୁ ଅନେକେ ଉଚ୍ଚୈଃସ୍ଵରରେ ରୋଦନ କଲେ ଓ ଅନେକେ ଆନନ୍ଦ ସକାଶୁ ଜୟଧ୍ଵନି କଲେ;
ଏଜ୍ରା 3 : 13 (ORV)
ତହିଁରେ ଲୋକମାନେ ଆନନ୍ଦଧ୍ଵନିର ଓ ଜନତାର କ୍ରନ୍ଦନଶଦ୍ଦର ପ୍ରଭେଦ କରି ପାରିଲେ ନାହିଁ; ଯେଣୁ ଲୋକମାନେ ଉଚ୍ଚୈଃସ୍ଵରରେ ମହାଧ୍ଵନି କଲେ, ଆଉ ତହିଁର ଶଦ୍ଦ ଅତି ଦୂରକୁ ଶୁଣାଗଲା ।

1 2 3 4 5 6 7 8 9 10 11 12 13

BG:

Opacity:

Color:


Size:


Font: