ଆଦି ପୁସ୍ତକ 47 : 1 (ORV)
ଅନନ୍ତର ଯୋଷେଫ ଯାଇ ଫାରୋଙ୍କୁ ସମ୍ଵାଦ ଦେଇ କହିଲେ, ମୋʼ ପିତା ଓ ଭାଇମାନେ କିଣାନ ଦେଶରୁ ଆପଣା ଗୋମେଷାଦି ପଲ ପ୍ରଭୃତି ସର୍ବସ୍ଵ ନେଇ ଆସି ଅଛନ୍ତି; ଦେଖନ୍ତୁ, ସେମାନେ ଗୋଶନ ପ୍ରଦେଶରେ ଅଛନ୍ତି ।
ଆଦି ପୁସ୍ତକ 47 : 2 (ORV)
ପୁଣି ଯୋଷେଫ ଆପଣା ଭ୍ରାତୃଗଣ ମଧ୍ୟରୁ ପାଞ୍ଚଜଣଙ୍କୁ ନେଇ ଫାରୋଙ୍କ ସହିତ ସାକ୍ଷାତ କରାଇଲେ ।
ଆଦି ପୁସ୍ତକ 47 : 3 (ORV)
ତହିଁରେ ଫାରୋ ଯୋଷେଫଙ୍କ ଭାଇମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କର କେଉଁ ବ୍ୟବସାୟ? ସେମାନେ ଫାରୋଙ୍କୁ କହିଲେ, ଆପଣଙ୍କର ଏହି ଦାସମାନେ ପୂର୍ବପୁରୁଷାନୁକ୍ରମେ ପଶୁପାଳକ ।
ଆଦି ପୁସ୍ତକ 47 : 4 (ORV)
ସେମାନେ ଫାରୋଙ୍କୁ ଆହୁରି କହିଲେ, ଆମ୍ଭେମାନେ ଏ ଦେଶରେ ପ୍ରବାସ କରିବାକୁ ଆସିଅଛୁ; ଯେଣୁ ଆପଣଙ୍କ ଏହି ଦାସମାନଙ୍କ ପଶୁପଲ ପାଇଁ କିଛି ଚରା ନାହିଁ; କିଣାନ ଦେଶରେ ଅତି ଭାରୀ ଦୁର୍ଭିକ୍ଷ ପଡ଼ିଅଛି; ଏହେତୁ ବିନତି କରୁଅଛୁ, ଆପଣ ଏହି ଦାସମାନଙ୍କୁ ଗୋଶନ ପ୍ରଦେଶରେ ବାସ କରିବାକୁ ଦେଉନ୍ତୁ ।
ଆଦି ପୁସ୍ତକ 47 : 5 (ORV)
ତହିଁରେ ଫାରୋ ଯୋଷେଫଙ୍କୁ ଆଜ୍ଞା ଦେଲେ, ତୁମ୍ଭର ପିତା ଓ ଭ୍ରାତୃଗଣ ତୁମ୍ଭ ନିକଟକୁ ଆସି ଅଛନ୍ତି;
ଆଦି ପୁସ୍ତକ 47 : 6 (ORV)
ମିସର ଦେଶ ତୁମ୍ଭ ସମ୍ମୁଖରେ ଅଛି; ଦେଶର ସର୍ବୋତ୍ତମ ସ୍ଥାନରେ ଆପଣା ପିତା ଓ ଭାଇମାନଙ୍କୁ ବାସ କରାଅ; ଗୋଶନ ପ୍ରଦେଶରେ ସେମାନେ ବାସ କରନ୍ତୁ; ପୁଣି ସେମାନଙ୍କ ମଧ୍ୟରୁ ଯାହାକୁ ଯାହାକୁ ପାରଗ ଲୋକ ବୋଲି ଜାଣୁଅଛ, ସେମାନଙ୍କୁ ଆମ୍ଭ ପଶୁପଲର ଅଧ୍ୟକ୍ଷ ପଦରେ ନିଯୁକ୍ତ କର ।
ଆଦି ପୁସ୍ତକ 47 : 7 (ORV)
ଅନନ୍ତର ଯୋଷେଫ ଆପଣା ପିତା ଯାକୁବଙ୍କୁ ଆଣି ଫାରୋଙ୍କ ସାକ୍ଷାତରେ ଉପସ୍ଥିତ କରାଇଲେ; ତହିଁରେ ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ ।
ଆଦି ପୁସ୍ତକ 47 : 8 (ORV)
ସେତେବେଳେ ଫାରୋ ଯାକୁବଙ୍କୁ ପଚାରିଲେ, ଆପଣଙ୍କ ପରମାୟୁର ଦିନ କେତେ?
ଆଦି ପୁସ୍ତକ 47 : 9 (ORV)
ଯାକୁବ ଫାରୋଙ୍କୁ କହିଲେ, ମୋହର ପ୍ରବାସ କାଳର ଦିନ ଶହେ ତିରିଶ ବର୍ଷ; ମୋʼ ପରମାୟୁର ଦିନ ଅଳ୍ପ ଓ ଆପଦଜନକ; ପୁଣି ମୋହର ପୂର୍ବପୁରୁଷମାନଙ୍କ ପ୍ରବାସକାଳୀନ ଆୟୁର ଦିନ ତୁଲ୍ୟ ନୁହେଁ ।
ଆଦି ପୁସ୍ତକ 47 : 10 (ORV)
ଅନନ୍ତର ଯାକୁବ ଫାରୋଙ୍କୁ ଆଶୀର୍ବାଦ କରି ତାଙ୍କ ଛାମୁରୁ ବିଦାୟ ହେଲେ ।
ଆଦି ପୁସ୍ତକ 47 : 11 (ORV)
ତହୁଁ ଯୋଷେଫ ଫାରୋଙ୍କର ଆଜ୍ଞାନୁସାରେ ମିସର ଦେଶର ସର୍ବୋତ୍ତମ ଅଞ୍ଚଳରେ, ଅର୍ଥାତ୍, ରାମିଷେଷ୍ ପ୍ରଦେଶରେ ଅଧିକାର ଦେଇ ଆପଣା ପିତା ଓ ଭାଇମାନଙ୍କର ଅବସ୍ଥିତି କରାଇଲେ ।
ଆଦି ପୁସ୍ତକ 47 : 12 (ORV)
ପୁଣି ଯୋଷେଫ ଆପଣା ପିତା ଓ ଭାଇମାନଙ୍କୁ ଓ ସମସ୍ତ ପିତୃପରିବାରକୁ ପ୍ରତ୍ୟେକର ପରିବାରାନୁସାରେ ଭକ୍ଷ୍ୟ ଦ୍ରବ୍ୟ ଦେଇ ପ୍ରତିପାଳନ କଲେ ।
ଆଦି ପୁସ୍ତକ 47 : 13 (ORV)
ସେହି ସମୟରେ ଅତିଶୟ ଦୁର୍ଭିକ୍ଷ ହେବାରୁ ସର୍ବଦେଶରେ ଖାଦ୍ୟଦ୍ରବ୍ୟର ଅଭାବ ହେଲା; ତହିଁରେ ମିସର ଦେଶୀୟ ଓ କିଣାନ ଦେଶୀୟ ଲୋକମାନେ ଦୁର୍ଭିକ୍ଷ ହେତୁ ପ୍ରାୟ ମୂର୍ଚ୍ଛାଗତ ହେବାକୁ ଲାଗିଲେ ।
ଆଦି ପୁସ୍ତକ 47 : 14 (ORV)
ଆଉ ମିସର ଦେଶରେ ଓ କିଣାନ ଦେଶରେ ଯେତେ ରୂପା ଥିଲା, ଲୋକମାନେ ତାହା ଦେଇ ଶସ୍ୟ କିଣିବାରୁ ଯୋଷେଫ ସେସବୁ ରୂପା ସଂଗ୍ରହ କରି ଫାରୋଙ୍କର ଗୃହକୁ ଆଣିଲେ ।
ଆଦି ପୁସ୍ତକ 47 : 15 (ORV)
ଅନନ୍ତର ମିସର ଦେଶରେ ଓ କିଣାନ ଦେଶରେ ରୂପାର ଅଭାବ ହୁଅନ୍ତେ, ମିସ୍ରୀୟ ଲୋକ ସମସ୍ତେ ଯୋଷେଫଙ୍କ ନିକଟକୁ ଆସି କହିଲେ, ଆମ୍ଭମାନଙ୍କୁ ଖାଦ୍ୟସାମଗ୍ରୀ ଦେଉନ୍ତୁ, ଆମ୍ଭମାନଙ୍କର ରୂପା ଶେଷ ହେଉଅଛି ବୋଲି କିହେତୁ ଆମ୍ଭେମାନେ ଆପଣଙ୍କ ସମ୍ମୁଖରେ ମରିବୁ?
ଆଦି ପୁସ୍ତକ 47 : 16 (ORV)
ତହିଁରେ ଯୋଷେଫ କହିଲେ, ତୁମ୍ଭମାନଙ୍କର ପଶୁ ଦିଅ; ଯେବେ ରୂପା ଶେଷ ହୋଇଥାଏ, ତେବେ ପଶୁ ବଦଳେ ଆମ୍ଭେ ତୁମ୍ଭମାନଙ୍କୁ ଶସ୍ୟ ଦେବା ।
ଆଦି ପୁସ୍ତକ 47 : 17 (ORV)
ତହୁଁ ସେମାନେ ଯୋଷେଫଙ୍କ ନିକଟକୁ ଆପଣା ଆପଣା ପଶୁ ଆଣିଲେ; ତହିଁରେ ଯୋଷେଫ ଅଶ୍ଵ ଓ ମେଷ ଓ ଗୋରୁପଲ ଓ ଗର୍ଦ୍ଦଭ ଆଦି ବଦଳ ନେଇ ସେମାନଙ୍କୁ ଭକ୍ଷ୍ୟ ଦେବାକୁ ଲାଗିଲେ; ଏହି ପ୍ରକାରେ ଯୋଷେଫ ପଶୁ ବଦଳେ ସେମାନଙ୍କୁ ଭକ୍ଷ୍ୟ ଦେଇ ସେହି ବର୍ଷ ଚଳାଇ ନେଲେ ।
ଆଦି ପୁସ୍ତକ 47 : 18 (ORV)
ପୁଣି ସେ ବର୍ଷ ସମ୍ପୂର୍ଣ୍ଣ ହୁଅନ୍ତେ, ଦ୍ଵିତୀୟ ବର୍ଷରେ ସେମାନେ ଯୋଷେଫଙ୍କ ନିକଟକୁ ଆସି କହିଲେ, ଆମ୍ଭମାନଙ୍କର ସମସ୍ତ ରୂପା ଶେଷ ହୋଇଅଛି; ତାହା ପ୍ରଭୁଙ୍କଠାରୁ ଲୁଚାଇବା ନାହିଁ; ପୁଣି ଆମ୍ଭମାନଙ୍କର ସମସ୍ତ ପଶୁଧନ ମଧ୍ୟ ପ୍ରଭୁଙ୍କର ହୋଇଅଛି; ଏବେ ପ୍ରଭୁଙ୍କ ସାକ୍ଷାତରେ ଆମ୍ଭମାନଙ୍କର ଦେହ ଓ ଭୂମି ବିନା ଆଉ କିଛି ଅବଶିଷ୍ଟ ନାହିଁ ।
ଆଦି ପୁସ୍ତକ 47 : 19 (ORV)
ଏଣୁକରି ଆମ୍ଭେମାନେ ଓ ଆମ୍ଭମାନଙ୍କର ଭୂମି ଦୁହେଁ କିହେତୁ ଆପଣଙ୍କ ଦୃଷ୍ଟିଗୋଚରରେ ମରିବୁ? ଆପଣ ଭକ୍ଷ୍ୟ ଦେଇ ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଭୂମି କିଣି ନେଉନ୍ତୁ, ତହିଁରେ ଆମ୍ଭେମାନେ ଓ ଆମ୍ଭମାନଙ୍କ ଭୂମି ଫାରୋଙ୍କର ଦାସ ହେବୁ; ଏଉତ୍ତାରୁ ଆମ୍ଭମାନଙ୍କୁ ବିହନ ଦେଉନ୍ତୁ, ତହିଁରେ ବଞ୍ଚିବୁ; ନୋହିଲେ ଆମ୍ଭେମାନେ ମରିଯିବୁ, ପୁଣି ଭୂମି ମଧ୍ୟ ବିନଷ୍ଟ ହେବ ।
ଆଦି ପୁସ୍ତକ 47 : 20 (ORV)
ଏହିରୂପେ ଦୁର୍ଭିକ୍ଷ ସେମାନଙ୍କ ପ୍ରତି ଅତି ଅସହ୍ୟ ହୁଅନ୍ତେ, ମିସ୍ରୀୟମାନେ ପ୍ରତ୍ୟେକେ ଆପଣା ଆପଣା ଭୂମି ବିକ୍ରୟ କଲେ; ତହିଁରେ ଯୋଷେଫ ଫାରୋଙ୍କ ନିମନ୍ତେ ମିସର ଦେଶର ସମସ୍ତ ଭୂମି କ୍ରୟ କଲେ; ତେଣୁ ସମସ୍ତ ଭୂମି ଫାରୋଙ୍କର ହେଲା ।
ଆଦି ପୁସ୍ତକ 47 : 21 (ORV)
ତହିଁରେ ସେ ମିସରର ଏକ ସୀମାଠାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ନଗରେ ନଗରେ ପ୍ରଜାମାନଙ୍କୁ ପ୍ରବାସ କରାଇଲେ ।
ଆଦି ପୁସ୍ତକ 47 : 22 (ORV)
ସେ କେବଳ ଯାଜକମାନଙ୍କର ଭୂମି କ୍ରୟ କଲେ ନାହିଁ; କାରଣ ଯାଜକମାନେ ଫାରୋଙ୍କଠାରୁ ବୃତ୍ତି ପାଇଲେ; ଏଣୁଫାରୋଙ୍କର ଦତ୍ତ ବୃତ୍ତି ଦ୍ଵାରା ସେମାନଙ୍କର ନିର୍ବାହ ହେବାରୁ ସେମାନେ ଆପଣା ଆପଣା ଭୂମି ବିକ୍ରୟ କଲେ ନାହିଁ ।
ଆଦି ପୁସ୍ତକ 47 : 23 (ORV)
ଅନନ୍ତର ଯୋଷେଫ ପ୍ରଜାମାନଙ୍କୁ କହିଲେ, ଦେଖ, ଆମ୍ଭେ ଫାରୋଙ୍କ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ଭୂମି ସବୁ କିଣିଲୁ; ଏବେ ଏହି ବିହନ ନେଇ ଭୂମିରେ ବୁଣ ।
ଆଦି ପୁସ୍ତକ 47 : 24 (ORV)
ତହିଁରୁ ଯାହା ଉତ୍ପନ୍ନ ହେବ, ତାହାର ପଞ୍ଚମାଂଶ ଫାରୋଙ୍କୁ ଦେବ, ପୁଣି ଅନ୍ୟ ଚାରି ଅଂଶ ଭୂମିର ବିହନ ପାଇଁ ଓ ଆପଣା ଆପଣା ପରିଜନ ଓ ବାଳକମାନଙ୍କ ନିମନ୍ତେ ରଖିବ ।
ଆଦି ପୁସ୍ତକ 47 : 25 (ORV)
ତହିଁରେ ସେମାନେ କହିଲେ, ଆପଣ ଆମ୍ଭମାନଙ୍କ ପ୍ରାଣ ରକ୍ଷା କଲେ; ଆପଣଙ୍କ କୃପାଦୃଷ୍ଟି ହେଲେ, ଆମ୍ଭେମାନେ ଫାରୋଙ୍କର ଦାସ ହେବୁ ।
ଆଦି ପୁସ୍ତକ 47 : 26 (ORV)
ପଞ୍ଚମାଂଶ ଫାରୋ ପାଇବେ, ମିସରର ସମସ୍ତ ଭୂମି ବିଷୟରେ ଯୋଷେଫଙ୍କର ସ୍ଥାପିତ ଏହି ନିୟମ ଆଜି ପର୍ଯ୍ୟନ୍ତ ଚଳୁଅଛି; କେବଳ ଯାଜକମାନଙ୍କର ଭୂମି ଫାରୋଙ୍କର ହେଲା ନାହିଁ ।
ଆଦି ପୁସ୍ତକ 47 : 27 (ORV)
ସେ ସମୟରେ ଇସ୍ରାଏଲ ମିସରର ଗୋଶନ ପ୍ରଦେଶରେ ବାସ କଲେ, ପୁଣି ସେଠାରେ ସେମାନେ ଅଧିକାର ପାଇ ପ୍ରଜାବ; ଓ ଅତିଶୟ ବହୁବଂଶ ହେଲେ ।
ଆଦି ପୁସ୍ତକ 47 : 28 (ORV)
ଯାକୁବ ମିସର ଦେଶରେ ସତର ବରଷ କାଳ କ୍ଷେପଣ କଲେ, ତାଙ୍କର ପରମାୟୁର ଦିବସ ଶହେ ସତଚାଳିଶ ବର୍ଷ ଥିଲା ।
ଆଦି ପୁସ୍ତକ 47 : 29 (ORV)
ଇସ୍ରାଏଲଙ୍କର ମରଣ ଦିନ ସନ୍ନିକଟ ହେବାରୁ ସେ ଆପଣା ପୁତ୍ର ଯୋଷେଫଙ୍କୁ ଡକାଇ କହିଲେ, ମୁଁ ଯେବେ ତୁମ୍ଭ ସାକ୍ଷାତରେ ଅନୁଗ୍ରହ ପାଇଲି, ତେବେ ବିନୟ କରୁଅଛି, ତୁମ୍ଭେ ମୋʼ ଜଙ୍ଘରେ ହସ୍ତ ଦିଅ; ପୁଣି ମୋʼ ପ୍ରତି ଦୟା ଓ ସତ୍ୟ ବ୍ୟବହାର କରି ଏହି ମିସର ଦେଶରେ ମୋତେ କବର ଦିଅ ନାହିଁ ।
ଆଦି ପୁସ୍ତକ 47 : 30 (ORV)
ମାତ୍ର ମୁଁ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶୟନ କଲେ, ତୁମ୍ଭେ ମୋତେ ଏହି ମିସର ଦେଶରୁ ଘେନିଯାଇ ସେମାନଙ୍କ କବର ସ୍ଥାନରେ କବରଶାୟୀ କରାଅ । ତହିଁରେ ଯୋଷେଫ କହିଲେ, ତୁମ୍ଭ ଆଜ୍ଞା ପ୍ରମାଣେ କରିବି ।
ଆଦି ପୁସ୍ତକ 47 : 31 (ORV)
ତହୁଁ ଯାକୁବ ଯୋଷେଫଙ୍କୁ ଶପଥ କରିବାକୁ କହନ୍ତେ, ସେ ତାଙ୍କ ନିକଟରେ ଶପଥ କଲେ। ସେତେବେଳେ ଇସ୍ରାଏଲ ଶଯ୍ୟାର ମୁଣ୍ତଆଡ଼େ ପ୍ରଣାମ କଲେ ।
❮
❯