ଆଦି ପୁସ୍ତକ 39 : 1 (ORV)
ଯୋଷେଫ ମିସର ଦେଶକୁ ଅଣାଯାʼନ୍ତେ, ଫାରୋଙ୍କର ଜଣେ ଭୃତ୍ୟ ଅର୍ଥାତ୍, ମିସ୍ରୀୟ ପୋଟୀଫର ନାମକ ରକ୍ଷକ ସେନାପତି, ତାଙ୍କର ଆନୟନକାରୀ ଇଶ୍ମାଏଲୀୟମାନଙ୍କଠାରୁ ଯୋଷେଫଙ୍କୁ କିଣିଥିଲା ।
ଆଦି ପୁସ୍ତକ 39 : 2 (ORV)
ମାତ୍ର ସଦାପ୍ରଭୁ ଯୋଷେଫଙ୍କର ସହବର୍ତ୍ତୀ ଥିଲେ, ଏଣୁ ସେ ସମୃଦ୍ଧ ହେଲେ; ଆଉ ସେ ଆପଣା ମିସ୍ରୀୟ କର୍ତ୍ତାର ଗୃହରେ ବାସ କଲେ ।
ଆଦି ପୁସ୍ତକ 39 : 3 (ORV)
ଏଥିରେ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଅଛନ୍ତି ଓ ସେ ଯେ ଯେ କାର୍ଯ୍ୟ କଲେ, ସଦାପ୍ରଭୁ ତାଙ୍କ ହାତରେ ସେସମସ୍ତ ସିଦ୍ଧ କରୁଅଛନ୍ତି, ଏହା ତାଙ୍କର କର୍ତ୍ତା ଦେଖିଲା ।
ଆଦି ପୁସ୍ତକ 39 : 4 (ORV)
ଏଣୁ ଯୋଷେଫ ତାହାର ଦୃଷ୍ଟିରେ ଅନୁଗ୍ରହ ପାଇ ତାହାର ସେବାରେ ନିଯୁକ୍ତ ହେଲେ, ପୁଣି ସେ ଯୋଷେଫଙ୍କୁ ଆପଣାର ଗୃହାଧ୍ୟକ୍ଷ କରି ତାଙ୍କର ହସ୍ତରେ ସର୍ବସ୍ଵ ସମର୍ପଣ କଲା ।
ଆଦି ପୁସ୍ତକ 39 : 5 (ORV)
ଏହି ପ୍ରକାରେ ସେ ଯୋଷେଫଙ୍କୁ ଆପଣା ଗୃହ ଓ ସର୍ବସ୍ଵର ଅଧ୍ୟକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋଷେଫଙ୍କ ଲାଗି ସେହି ମିସ୍ରୀୟ ଲୋକର ଗୃହ ଉପରେ ଆଶୀର୍ବାଦ କଲେ; ପୁଣି ଗୃହ ଓ କ୍ଷେତ୍ରସ୍ଥିତ ସମସ୍ତ ସମ୍ପଦ ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ ବର୍ତ୍ତିଲା ।
ଆଦି ପୁସ୍ତକ 39 : 6 (ORV)
ଏହେତୁ ସେ ଯୋଷେଫଙ୍କ ହସ୍ତରେ ଆପଣା ସର୍ବସ୍ଵର ଏରୂପ ଭାର ଦେଲା, ଯେ ଆପଣା ଭୋଜନ ବିନୁ ଆଉ କୌଣସି ବିଷୟର ତତ୍ତ୍ଵ ନେଲା ନାହିଁ । ଯୋଷେଫ ରୂପରେ ଓ ସୌନ୍ଦର୍ଯ୍ୟରେ ମନୋହର ଥିଲେ ।
ଆଦି ପୁସ୍ତକ 39 : 7 (ORV)
ଆଉ ଉକ୍ତ ଘଟଣା ଉତ୍ତାରେ ତାଙ୍କର ପ୍ରଭୁର ଭାର୍ଯ୍ୟା ଯୋଷେଫଙ୍କ ଉପରେ ଦୃଷ୍ଟି ପକାଇବାକୁ ଲାଗିଲା; ତହୁଁ ତାଙ୍କୁ କହିଲା, ତୁମ୍ଭେ ମୋʼ ସଙ୍ଗେ ଶୟନ କର ।
ଆଦି ପୁସ୍ତକ 39 : 8 (ORV)
ମାତ୍ର ଯୋଷେଫ ଅସ୍ଵୀକାର କରି ଆପଣା ପ୍ରଭୁର ଭାର୍ଯ୍ୟାକୁ କହିଲେ, ଦେଖ, ଏ ଗୃହରେ ମୋʼ ଜିମା ଯାହା ଅଛି, ମୋʼ ପ୍ରଭୁ ତହିଁର ତତ୍ତ୍ଵ ନିଅନ୍ତି ନାହିଁ, ସେ ମୋʼ ହସ୍ତରେ ଆପଣାର ସର୍ବସ୍ଵ ସମର୍ପଣ କରିଅଛନ୍ତି ।
ଆଦି ପୁସ୍ତକ 39 : 9 (ORV)
ଏହି ଗୃହରେ ମୋʼଠାରୁ ବଡ଼ କେହି ନାହିଁ; ତୁମ୍ଭେ ତାଙ୍କର ଭାର୍ଯ୍ୟା, ଏନିମନ୍ତେ କେବଳ ତୁମ୍ଭ ଛଡ଼ା ମୋʼ ପ୍ରତି ଆଉ କିଛି ମନା ନାହିଁ । ଏହେତୁ ମୁଁ କିରୂପେ ଏଡ଼େ ବଡ଼ ଦୁଷ୍ଟତା ଓ ପରମେଶ୍ଵରଙ୍କ ବିରୁଦ୍ଧରେ ପାପ କରିପାରେ?
ଆଦି ପୁସ୍ତକ 39 : 10 (ORV)
ତଥାପି ସେ ସ୍ତ୍ରୀ ଦିନକୁ ଦିନ ଯୋଷେଫଙ୍କୁ ଏପରି କହେ; ମାତ୍ର ଯୋଷେଫ ତାହା ସଙ୍ଗେ ଶୟନ କରିବାକୁ କିମ୍ଵା ତାହା ନିକଟରେ ରହିବାକୁ ସମ୍ମତ ହୁଅନ୍ତି ନାହିଁ ।
ଆଦି ପୁସ୍ତକ 39 : 11 (ORV)
ଅନନ୍ତର ଦିନକରେ ଯୋଷେଫ ନିଜ କାର୍ଯ୍ୟ ନିମନ୍ତେ ଗୃହ ଭିତରକୁ ଗଲେ, ପୁଣି ଗୃହର ଦାସ ମଧ୍ୟରୁ କେହି ସେଠାରେ ନ ଥିଲା ।
ଆଦି ପୁସ୍ତକ 39 : 12 (ORV)
ତେଣୁ ସେ ଯୋଷେଫଙ୍କର ବସ୍ତ୍ର ଧରି ମୋʼ ସଙ୍ଗେ ଶୟନ କର ବୋଲି ଟଣାଟଣି କଲା; ମାତ୍ର ଯୋଷେଫ ତାହା ହସ୍ତରେ ଆପଣା ବସ୍ତ୍ର ଛାଡ଼ି ବାହାରକୁ ପଳାଇ ଗଲେ ।
ଆଦି ପୁସ୍ତକ 39 : 13 (ORV)
ଯେତେବେଳେ ସେ ସ୍ତ୍ରୀ ଯୋଷେଫଙ୍କୁ ତାହା ହସ୍ତରେ ଆପଣା ବସ୍ତ୍ର ଛାଡ଼ି ବାହାରକୁ ପଳାଇ ଯିବାର ଦେଖିଲା,
ଆଦି ପୁସ୍ତକ 39 : 14 (ORV)
ସେତେବେଳେ ସେ ନିଜ ଗୃହର ଲୋକମାନଙ୍କୁ ଡାକି କହିଲା, ଦେଖ, ସେ ଆମ୍ଭମାନଙ୍କ ସଙ୍ଗରେ ପରିହାସ କରିବା ନିମନ୍ତେ ଜଣେ ଏବ୍ରୀୟକୁ ଆଣିଅଛନ୍ତି; ସେ ମୋʼ ସଙ୍ଗେ ଶୟନ କରିବା ପାଇଁ ଭିତରକୁ ମୋʼ କତିକି ଆସିଥିଲା; ତହିଁରେ ମୁଁ ବଡ଼ ପାଟି କରି ଡାକ ପକାଇଲି;
ଆଦି ପୁସ୍ତକ 39 : 15 (ORV)
ମୋହର ବଡ଼ ପାଟି କରି ଡାକିବାର ଶୁଣି ସେ ଆପଣା ବସ୍ତ୍ର ମୋʼ ନିକଟରେ ପକାଇ ଦେଇ ବାହାରକୁ ପଳାଇଗଲା ।
ଆଦି ପୁସ୍ତକ 39 : 16 (ORV)
ପୁଣି ସେ ସ୍ତ୍ରୀ ତାହାର କର୍ତ୍ତାର ଗୃହାଗମନ ପର୍ଯ୍ୟନ୍ତ ସେହି ବସ୍ତ୍ର ଆପଣା ନିକଟରେ ରଖିଲା ।
ଆଦି ପୁସ୍ତକ 39 : 17 (ORV)
ଅନନ୍ତର ସେ ଆପଣା ସ୍ଵାମୀକି ସେହି କଥାନୁସାରେ କହିଲା, ତୁମ୍ଭେ ଯେଉଁ ଏବ୍ରୀୟ ଦାସକୁ ଆମ୍ଭମାନଙ୍କ ପାଖକୁ ଆଣିଅଛ, ସେ ମୋʼ ସଙ୍ଗେ ପରିହାସ କରିବା ନିମନ୍ତେ ମୋʼ କତିକି ଆସିଥିଲା;
ଆଦି ପୁସ୍ତକ 39 : 18 (ORV)
ପୁଣି ମୁଁ ବଡ଼ ପାଟି କରି ଡାକ ପକାଇବାରୁ ସେ ମୋʼ ନିକଟରେ ଏହି ବସ୍ତ୍ର ପକାଇ ଦେଇ ବାହାରକୁ ପଳାଇଗଲା ।
ଆଦି ପୁସ୍ତକ 39 : 19 (ORV)
ସେତେବେଳେ “ତୁମ୍ଭର ଦାସ ମୋʼ ପ୍ରତି ଏପ୍ରକାର ବ୍ୟବହାର କରିଅଛି,” ଆପଣା ଭାର୍ଯ୍ୟାର ମୁଖରୁ ଏ କଥା ଶୁଣି ଯୋଷେଫଙ୍କର ପ୍ରଭୁ କ୍ରୋଧରେ ପ୍ରଜ୍ଵଳିତ ହେଲା ।
ଆଦି ପୁସ୍ତକ 39 : 20 (ORV)
ଆଉ ଯୋଷେଫଙ୍କର ପ୍ରଭୁ ତାଙ୍କୁ ନେଇ ରାଜବନ୍ଦୀମାନଙ୍କ ବାସସ୍ଥାନ କାରାଗାରରେ ରଖିଲା; ତହୁଁ ଯୋଷେଫ ସେହି କାରାଗାରରେ ରହିଲେ ।
ଆଦି ପୁସ୍ତକ 39 : 21 (ORV)
ମାତ୍ର ସଦାପ୍ରଭୁ ଯୋଷେଫଙ୍କର ସହବର୍ତ୍ତୀ ଥିଲେ, ପୁଣି ତାଙ୍କ ପ୍ରତି କୃପା ପ୍ରକାଶ କରି କାରାରକ୍ଷକର ଦୃଷ୍ଟିରେ ତାଙ୍କୁ ଅନୁଗ୍ରହପାତ୍ର କଲେ ।
ଆଦି ପୁସ୍ତକ 39 : 22 (ORV)
ତହିଁରେ ସେହି କାରାରକ୍ଷକ ବନ୍ଦୀଶାଳାସ୍ଥିତ ସମସ୍ତ ବନ୍ଦୀଲୋକଙ୍କ ଭାର ଯୋଷେଫଙ୍କ ହସ୍ତରେ ସମର୍ପଣ କଲା; ପୁଣି ସେମାନେ ଯାହା କଲେ, ସେହି ସକଳର କର୍ତ୍ତା ସେ ହେଲେ ।
ଆଦି ପୁସ୍ତକ 39 : 23 (ORV)
କାରାରକ୍ଷକ ଯୋଷେଫଙ୍କର ହସ୍ତଗତ କୌଣସି ବିଷୟରେ ଦୃଷ୍ଟିପାତ କଲା ନାହିଁ, କାରଣ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ; ପୁଣି ସେ ଯାହା କଲେ, ସଦାପ୍ରଭୁ ତାହା ସିଦ୍ଧ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23

BG:

Opacity:

Color:


Size:


Font: