ଆଦି ପୁସ୍ତକ 37 : 1 (ORV)
ସେହି ସମୟରେ ଯାକୁବ ଆପଣା ପିତାର ପ୍ରବାସ ସ୍ଥାନ କିଣାନ ଦେଶରେ ବାସ କରୁଥିଲେ ।
ଆଦି ପୁସ୍ତକ 37 : 2 (ORV)
ଯାକୁବଙ୍କର ବୃତ୍ତା; ଏହି । ଯୋଷେଫ, ସତର ବର୍ଷ ବୟସ ସମୟରେ, ଆପଣା ଭ୍ରାତୃଗଣ ସହିତ ପଶୁପଲ ଚରାଉଥିଲା; ସେ ଆପଣା ପିତୃଭାର୍ଯ୍ୟା ବିଲ୍ହା ଓ ସିଳ୍ପାର ପୁତ୍ରମାନଙ୍କର ସଙ୍ଗୀ ବାଳକ ଥିଲା; ପୁଣି ଯୋଷେଫ ସେହି ଭାଇମାନଙ୍କ କୁବ୍ୟବହାରର ବାର୍ତ୍ତା ପିତା ନିକଟକୁ ଆଣୁଥାଏ ।
ଆଦି ପୁସ୍ତକ 37 : 3 (ORV)
ସେହି ଯୋଷେଫ ଇସ୍ରାଏଲର ବୃଦ୍ଧାବସ୍ଥାର ସନ୍ତାନ ହେବା ସକାଶୁ ଇସ୍ରାଏଲ ସମସ୍ତ ପୁତ୍ରଠାରୁ ତାକୁ ଅଧିକ ସ୍ନେହ କଲେ, ଆଉ ତାକୁ ନାନାବର୍ଣ୍ଣର ଏକ ଅଙ୍ଗରଖା ପ୍ରସ୍ତୁତ କରି ଦେଇଥିଲେ ।
ଆଦି ପୁସ୍ତକ 37 : 4 (ORV)
ମାତ୍ର ପିତା ସମସ୍ତ ପୁତ୍ର ଅପେକ୍ଷା ଯୋଷେଫକୁ ଅଧିକ ସ୍ନେହ କରିବାର ଦେଖି ତାହାର ଭାଇମାନେ ତାକୁ ଘୃଣା କଲେ ଓ ତାହା ପ୍ରତି ପ୍ରେମର କଥା କହି ପାରିଲେ ନାହିଁ ।
ଆଦି ପୁସ୍ତକ 37 : 5 (ORV)
ଅନନ୍ତର ଯୋଷେଫ ଗୋଟିଏ ସ୍ଵପ୍ନ ଦେଖି ଆପଣା ଭାଇମାନଙ୍କୁ କହିଲା; ଏଥିରେ ସେମାନେ ତାକୁ ଆହୁରି ଅଧିକ ଘୃଣା କଲେ ।
ଆଦି ପୁସ୍ତକ 37 : 6 (ORV)
କାରଣ ସେ ସେମାନଙ୍କୁ କହିଲା, ମୁଁ ଯେଉଁ ସ୍ଵପ୍ନ ଦେଖିଅଛି, ନିବେଦନ କରୁଅଛ, ତାହା ଶୁଣ ।
ଆଦି ପୁସ୍ତକ 37 : 7 (ORV)
ଦେଖ, ଆମ୍ଭେମାନେ କ୍ଷେତରେ ବିଡ଼ା ବାନ୍ଧୁଥିଲୁ, ତହିଁରେ ଦେଖ, ମୋହର ବିଡ଼ା ଉଠି ଛିଡ଼ା ହେଲା; ପୁଣି ଦେଖ, ତୁମ୍ଭମାନଙ୍କ ବିଡ଼ାସବୁ ମୋʼ ବିଡ଼ାକୁ ଚାରିଆଡ଼େ ଘେରି ପ୍ରଣାମ କଲେ ।
ଆଦି ପୁସ୍ତକ 37 : 8 (ORV)
ଏଥିରେ ତାହାର ଭାଇମାନେ ତାକୁ କହିଲେ, ତୁ କି ସତେ ଆମ୍ଭମାନଙ୍କର ରାଜା ହେବୁ? ତୁ କି ସତେ ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ଵ କରିବୁ? ତହୁଁ ସେମାନେ ତାହାର ସବୁ ସ୍ଵପ୍ନ ଓ କଥା ହେତୁରୁ ତାକୁ ଆହୁରି ଅଧିକ ଘୃଣା କଲେ ।
ଆଦି ପୁସ୍ତକ 37 : 9 (ORV)
ଅନନ୍ତର ଯୋଷେଫ ଆଉ ଗୋଟିଏ ସ୍ଵପ୍ନ ଦେଖି ଭାଇମାନଙ୍କୁ ଜଣାଇ କହିଲା, ଦେଖ, ମୁଁ ଆଉ ଏକ ସ୍ଵପ୍ନ ଦେଖିଅଛି, ଦେଖ, ସୂର୍ଯ୍ୟ ଓ ଚନ୍ଦ୍ର ଓ ଏକାଦଶ ନକ୍ଷତ୍ର ମୋତେ ପ୍ରଣାମ କଲେ ।
ଆଦି ପୁସ୍ତକ 37 : 10 (ORV)
ମାତ୍ର ସେ ଆପଣା ପିତା ଓ ଭାଇମାନଙ୍କ ସାକ୍ଷାତରେ ତାହା କହନ୍ତେ, ତାହାର ପିତା ତାହାକୁ ଧମକାଇ କହିଲେ, ତୁ ଏ କି ପ୍ରକାର ସ୍ଵପ୍ଵ ଦେଖିଲୁ? ମୁଁ ଓ ତୋʼ ମାତା ଓ ତୋʼ ଭ୍ରାତୃଗଣ, ଆମ୍ଭେମାନେ କି ଭୂମିଷ୍ଠ ହୋଇ ତୋତେ ପ୍ରଣାମ କରିବାକୁ ଆସିବୁ?
ଆଦି ପୁସ୍ତକ 37 : 11 (ORV)
ତହିଁରେ ତାହାର ଭାଇମାନେ ତାକୁ ଈର୍ଷା କଲେ, ମାତ୍ର ତାହାର ପିତା ସେହି କଥା ମନେ ରଖିଲେ ।
ଆଦି ପୁସ୍ତକ 37 : 12 (ORV)
ତଦନନ୍ତର ତାହାର ଭ୍ରାତୃଗଣ ପିତାର ପଶୁପଲ ଚରାଇବା ପାଇଁ ଶିଖିମକୁ ଗଲା ଉତ୍ତାରେ
ଆଦି ପୁସ୍ତକ 37 : 13 (ORV)
ଇସ୍ରାଏଲ ଯୋଷେଫକୁ କହିଲେ, ତୁମ୍ଭର ଭ୍ରାତୃଗଣ କି ଶିଖିମରେ ପଶୁପଲ ଚରାଉ ନାହାନ୍ତି? ଆସ, ମୁଁ ତୁମ୍ଭକୁ ସେମାନଙ୍କ ନିକଟକୁ ପଠାଇବି; ତହିଁରେ ସେ କହିଲା, ଦେଖନ୍ତୁ, ମୁଁ ଉପସ୍ଥିତ ଅଛି ।
ଆଦି ପୁସ୍ତକ 37 : 14 (ORV)
ସେତେବେଳେ ଇସ୍ରାଏଲ ତାହାକୁ କହିଲେ, ତୁମ୍ଭେ ଯାଇ ତୁମ୍ଭର ଭ୍ରାତୃଗଣ ଓ ପଶୁପଲ ଭଲ ଅଛନ୍ତି କି ନାହିଁ, ତାହା ଦେଖି ମୋʼ ନିକଟକୁ ସମ୍ଵାଦ ଆଣ । ଏହି ରୂପେ ସେ ହିବ୍ରୋଣର ତଳ ଭୂମିରୁ ଯୋଷେଫକୁ ପଠାନ୍ତେ, ସେ ଶିଖିମରେ ଉପସ୍ଥିତ ହେଲା ।
ଆଦି ପୁସ୍ତକ 37 : 15 (ORV)
ସେତେବେଳେ ଜଣେ ମନୁଷ୍ୟ ଯୋଷେଫକୁ କ୍ଷେତରେ ଏଣେତେଣେ ଭ୍ରମଣ କରିବାର ଦେଖି ପଚାରିଲା, ତୁମ୍ଭେ କଅଣ ଖୋଜୁଅଛ?
ଆଦି ପୁସ୍ତକ 37 : 16 (ORV)
ସେ କହିଲା, ମୋʼ ଭାଇମାନଙ୍କୁ ଖୋଜୁଅଛି, ସେମାନେ କେଉଁଠାରେ ପଶୁପଲ ଚରାଉଛନ୍ତି, ଅନୁଗ୍ରହ କରି ମୋତେ କୁହ ।
ଆଦି ପୁସ୍ତକ 37 : 17 (ORV)
ସେ ମନୁଷ୍ୟ କହିଲା, ସେମାନେ ଏଠାରୁ ଯାଇଛନ୍ତି; କାରଣ ମୁଁ ଶୁଣିଥିଲି, ସେମାନେ ଦୋଥନକୁ ଯିବେ ବୋଲି କହୁଥିଲେ । ଏଣୁ ଯୋଷେଫ ଆପଣା ଭାଇମାନଙ୍କ ପଛେ ପଛେ ଯାଇ ଦୋଥନରେ ସେମାନଙ୍କର ଦେଖା ପାଇଲା ।
ଆଦି ପୁସ୍ତକ 37 : 18 (ORV)
ସେମାନେ ତାହାକୁ ଦୂରରୁ ଦେଖିଲେ, ପୁଣି ସେ ସେମାନଙ୍କ ନିକଟରେ ପହୁଞ୍ଚିବା ପୂର୍ବେ ସେମାନେ ତାକୁ ବଧ କରିବା ପାଇଁ ମନ୍ତ୍ରଣା କଲେ ।
ଆଦି ପୁସ୍ତକ 37 : 19 (ORV)
ଆଉ, ସେମାନେ ଏକ ଆରେକକୁ କହିଲେ, ଏହି ଦେଖ, ସ୍ଵପ୍ନଦର୍ଶକ ମହାଶୟ ଆସୁଅଛନ୍ତି ।
ଆଦି ପୁସ୍ତକ 37 : 20 (ORV)
ଆସ, ଆମ୍ଭେମାନେ ତାକୁ ବଧ କରି କୌଣସି ଏକ ଗାତରେ ପକାଇ ଦେଉ; ପୁଣି କୌଣସି ହିଂସ୍ରକ ଜନ୍ତୁ ତାକୁ ଖାଇପକାଇଲା ବୋଲି କହିବା; ଆଚ୍ଛା ଦେଖିବା, ତାହାର ସ୍ଵପ୍ନ ସବୁର କଅଣ ହେବ ।
ଆଦି ପୁସ୍ତକ 37 : 21 (ORV)
ଏ କଥା ଶୁଣି ରୁବେନ୍ ସେମାନଙ୍କ ହସ୍ତରୁ ତାକୁ ରକ୍ଷା କରି କହିଲା, ନା, ଆମ୍ଭେମାନେ ତାକୁ ପ୍ରାଣରେ ମାରି ପକାଇବା ନାହିଁ ।
ଆଦି ପୁସ୍ତକ 37 : 22 (ORV)
ଆଉ ରୁବେନ୍ ସେମାନଙ୍କ ହସ୍ତରୁ ତାକୁ ରକ୍ଷା କରି ପିତା ନିକଟକୁ ଫେରି ପଠାଇବା ମାନସରେ ସେମାନଙ୍କୁ କହିଲା, ତୁମ୍ଭେମାନେ ରକ୍ତପାତ କର ନାହିଁ; ପ୍ରାନ୍ତରର ଏହି ଗର୍ତ୍ତ ମଧ୍ୟରେ ତାକୁ ପକାଇ ଦିଅ, ମାତ୍ର ତାହା ପ୍ରତି ହାତ ଉଠାଅ ନାହିଁ ।
ଆଦି ପୁସ୍ତକ 37 : 23 (ORV)
ଅନନ୍ତର ଯୋଷେଫ ଭାଇମାନଙ୍କ ନିକଟକୁ ଆସନ୍ତେ, ସେମାନେ ତାହାର ଅଙ୍ଗରଖା, ସେହି ନାନା ବର୍ଣ୍ଣର ଅଙ୍ଗରଖା, ତାହା ଦେହରୁ କାଢ଼ିନେଇ;
ଆଦି ପୁସ୍ତକ 37 : 24 (ORV)
ତାକୁ ଧରି ଗର୍ତ୍ତ ମଧ୍ୟରେ ପକାଇ ଦେଲେ, ସେହି ଗର୍ତ୍ତ ଶୂନ୍ୟ, ତହିଁରେ ଜଳ ନ ଥିଲା ।
ଆଦି ପୁସ୍ତକ 37 : 25 (ORV)
ତହୁଁ ସେମାନେ ଭୋଜନ କରିବାକୁ ବସିଲେ; ସେମାନେ ଅନାଇ ଦେଖିଲେ, ଯେ ଗିଲୀୟଦରୁ ଏକ ଦଳ ଇଶ୍ମାଏଲୀୟ ପଥିକ ଓଟ ଉପରେ ସୁଗନ୍ଧି ଦ୍ରବ୍ୟ ଓ ଗୁଗ୍ଗୁଳ ଓ ଗନ୍ଧରସ ଘେନି ମିସର ଦେଶକୁ ଯାଉଅଛନ୍ତି ।
ଆଦି ପୁସ୍ତକ 37 : 26 (ORV)
ସେତେବେଳେ ଯିହୁଦା ଭାଇମାନଙ୍କୁ କହିଲା, ଆମ୍ଭମାନଙ୍କ ଭାଇକି ବଧ କରି ତାହାର ରକ୍ତ ଗୋପନ କଲେ, ଆମ୍ଭମାନଙ୍କର ଲାଭ କଅଣ?
ଆଦି ପୁସ୍ତକ 37 : 27 (ORV)
ଆସ, ଆମ୍ଭେମାନେ ତାକୁ ଏହି ଇଶ୍ମାଏଲୀୟ ଲୋକମାନଙ୍କୁ ବିକ୍ରୟ କରିଦେଉ, ଆମ୍ଭମାନଙ୍କ ହସ୍ତ ତାହା ପ୍ରତିକୂଳରେ ନ ଉଠୁ; କାରଣ ସେ ଆମ୍ଭମାନଙ୍କ ଭ୍ରାତା ଓ ଆମ୍ଭମାନଙ୍କ ମାଂସ ସ୍ଵରୂପ । ତହିଁରେ ତାହାର ଭାଇମାନେ ସମ୍ମତ ହେଲେ ।
ଆଦି ପୁସ୍ତକ 37 : 28 (ORV)
ସେତେବେଳେ ସେହି ମିଦୀୟନୀୟ ବଣିକମାନେ ନିକଟକୁ ଆସନ୍ତେ, ସେମାନେ ଯୋଷେଫକୁ ଗର୍ତ୍ତ ମଧ୍ୟରୁ ଉପରକୁ ଟାଣି ଆଣିଲେ; ପୁଣି ଇଶ୍ମାଏଲୀୟମାନଙ୍କଠାରୁ କୋଡ଼ିଏ ରୌପ୍ୟ ମୁଦ୍ରା ନେଇ ଯୋଷେଫକୁ ବିକ୍ରୟ କରିଦେଲେ; ତହିଁରେ ସେମାନେ ଯୋଷେଫକୁ ମିସର ଦେଶକୁ ନେଇଗଲେ ।
ଆଦି ପୁସ୍ତକ 37 : 29 (ORV)
ଅନନ୍ତର ରୁବେନ୍ ଗର୍ତ୍ତ ନିକଟକୁ ଫେରିଯାଇ ଯୋଷେଫ ଗର୍ତ୍ତ ଭିତରେ ନାହିଁ, ଏହା ଦେଖି ଆପଣା ବସ୍ତ୍ର ଚିରିଲା ।
ଆଦି ପୁସ୍ତକ 37 : 30 (ORV)
ପୁଣି ଭାଇମାନଙ୍କ ନିକଟକୁ ଫେରିଆସି କହିଲା, ବାଳକଟି ନାହିଁ; ଆଉ ମୁଁ କେଉଁଠାକୁ ଯିବି?
ଆଦି ପୁସ୍ତକ 37 : 31 (ORV)
ଅନନ୍ତର ସେମାନେ ଯୋଷେଫର ଅଙ୍ଗରଖା ଘେନି ଗୋଟିଏ ଛାଗ ମାରି ତାହାର ରକ୍ତରେ ତାହା ଡୁବାଇଲେ ।
ଆଦି ପୁସ୍ତକ 37 : 32 (ORV)
ଆଉ, ସେମାନେ ଆପଣା ପିତା ନିକଟକୁ ସେହି ନାନାବର୍ଣ୍ଣର ଅଙ୍ଗରଖା ପଠାଇ ଦେଇ କହିଲେ, ଆମ୍ଭେମାନେ ଏତିକି ମାତ୍ର ପାଇଲୁ, ଏହା ତୁମ୍ଭ ପୁତ୍ରର ଅଙ୍ଗରଖା କି ନାହିଁ, ଚିହ୍ନ ।
ଆଦି ପୁସ୍ତକ 37 : 33 (ORV)
ତହିଁରେ ସେ ତାହା ଚିହ୍ନି କହିଲେ, ଏହି ଅଙ୍ଗରଖା ତ ମୋʼ ପୁତ୍ରର; କୌଣସି ହିଂସ୍ରକ ଜନ୍ତୁ ତାହାକୁ ଖାଇ ପକାଇଅଛି, ଯୋଷେଫ ନିଶ୍ଚୟ ଖଣ୍ତ ଖଣ୍ତ ହୋଇ ବିଦୀର୍ଣ୍ଣ ହୋଇଅଛି ।
ଆଦି ପୁସ୍ତକ 37 : 34 (ORV)
ତହୁଁ ଯାକୁବ ଆପଣା ବସ୍ତ୍ର ଚିରି କଟିଦେଶରେ ଅଖା ପିନ୍ଧି ପୁତ୍ର ନିମନ୍ତେ ଅନେକ ଦିନ ପର୍ଯ୍ୟନ୍ତ ଶୋକ କଲେ ।
ଆଦି ପୁସ୍ତକ 37 : 35 (ORV)
ଅନନ୍ତର ତାଙ୍କର ସମସ୍ତ ପୁତ୍ର ଓ ସମସ୍ତ କନ୍ୟା ଉଠି ତାଙ୍କୁ ସାନ୍ତ୍ଵନା କରିବାକୁ ଯନି କଲେ; ମାତ୍ର ସେ ମାନିଲେ ନାହିଁ; ପୁଣି ସେ କହିଲେ, ମୁଁ ଶୋକ କରୁ କରୁ ପୁତ୍ର ନିକଟକୁ କବରକୁ ଅଧୋଗମନ କରିବି । ଏହି ପ୍ରକାରେ ତାହାର ପିତା ତାହା ନିମନ୍ତେ ରୋଦନ କଲେ ।
ଆଦି ପୁସ୍ତକ 37 : 36 (ORV)
ଏଥିମଧ୍ୟରେ ସେହି ମିଦିୟନୀୟମାନେ ମିସର ଦେଶରେ ପୋଟୀଫର ନାମକ ଫାରୋର ଭୃତ୍ୟ, ଅର୍ଥାତ୍, ରକ୍ଷକ ସେନାପତିକି ଯୋଷେଫକୁ ବିକ୍ରୟ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36

BG:

Opacity:

Color:


Size:


Font: