ଆଦି ପୁସ୍ତକ 22 : 1 (ORV)
ଏହି ସମସ୍ତ ଘଟଣା ଉତ୍ତାରେ ପରମେଶ୍ଵର ଅବ୍ରହାମଙ୍କର ପରୀକ୍ଷା ନିମନ୍ତେ କହିଲେ, ହେ ଅବ୍ରହାମ । ତହିଁରେ ସେ ଉତ୍ତର କଲେ, ଦେଖନ୍ତୁ, ମୁଁ ଏଠାରେ ଅଛି ।
ଆଦି ପୁସ୍ତକ 22 : 2 (ORV)
ସେତେବେଳେ ସେ କହିଲେ, ତୁମ୍ଭେ ଏବେ ଆପଣା ପୁତ୍ରକୁ, ତୁମ୍ଭର ଅଦ୍ଵିତୀୟ ପୁତ୍ରକୁ, ଅର୍ଥାତ୍, ତୁମ୍ଭେ ଯାହାକୁ ସ୍ନେହ କର, ସେହି ଇସ୍ହାକକୁ ଘେନି ମୋରୀୟା ଦେଶକୁ ଯାଅ; ପୁଣି ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା, ସେହି ପର୍ବତ ଉପରେ ତାହାକୁ ହୋମାର୍ଥେ ବଳିଦାନ କର ।
ଆଦି ପୁସ୍ତକ 22 : 3 (ORV)
ତହିଁରେ ଅବ୍ରହାମ ପ୍ରଭାତରେ ଉଠି ଗଧ ସଜାଇ ଦୁଇଜଣ ଦାସ ଓ ଆପଣା ପୁତ୍ର ଇସ୍ହାକକୁ ସଙ୍ଗରେ ନେଲେ, ଆଉ ହୋମ ନିମନ୍ତେ କାଠ କାଟି ପରମେଶ୍ଵରଙ୍କ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କଲେ ।
ଆଦି ପୁସ୍ତକ 22 : 4 (ORV)
ଅନନ୍ତର ତୃତୀୟ ଦିନରେ ଅବ୍ରହାମ ଅନାଇ ଦୂରରୁ ସେହି ସ୍ଥାନ ଦେଖିଲେ ।
ଆଦି ପୁସ୍ତକ 22 : 5 (ORV)
ସେତେବେଳେ ଅବ୍ରହାମ ସେହି ଦାସମାନଙ୍କୁ କହିଲେ, ତୁମ୍ଭେମାନେ ଏହି ସ୍ଥାନରେ ଗଧ ସହିତ ଥାଅ, ମୁଁ ଓ ବାଳକ ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବା ।
ଆଦି ପୁସ୍ତକ 22 : 6 (ORV)
ତହୁଁ ଅବ୍ରହାମ ଯଜ୍ଞକାଷ୍ଠ ଘେନି ଆପଣା ପୁତ୍ର ଇସ୍ହାକର ସ୍କନ୍ଧରେ ଦେଇ ନିଜ ହସ୍ତରେ ଅଗ୍ନି ଓ ଛୁରିକା ଘେନିଲେ, ପୁଣି ଦୁହେଁ ଏକତ୍ର ଚାଲିଗଲେ ।
ଆଦି ପୁସ୍ତକ 22 : 7 (ORV)
ଆଉ ଇସ୍ହାକ ଆପଣା ପିତା ଅବ୍ରହାମଙ୍କୁ ଡାକି କହିଲା, ହେ ମୋହର ପିତଃ । ତହିଁରେ ସେ ଉତ୍ତର କଲେ, ପୁତ୍ର, ଦେଖ, ମୁଁ ଏଠାରେ । ସେତେବେଳେ ସେ ପଚାରିଲା, ଏହି ଦେଖ, ଅଗ୍ନି ଓ କାଷ୍ଠ, ମାତ୍ର ହୋମ ନିମନ୍ତେ ମେଣ୍ଢାଛୁଆ କାହିଁ?
ଆଦି ପୁସ୍ତକ 22 : 8 (ORV)
ତହିଁରେ ଅବ୍ରହାମ କହିଲେ, ପୁତ୍ର, ପରମେଶ୍ଵର ଆପେ ହୋମ ପାଇଁ ମେଣ୍ଢାଛୁଆ ଯୋଗାଇବେ । ତହୁଁ ଦୁହେଁ ଏକତ୍ର ଚାଲିଗଲେ ।
ଆଦି ପୁସ୍ତକ 22 : 9 (ORV)
ଆଉ ପରମେଶ୍ଵରଙ୍କ ନିରୂପିତ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ଅବ୍ରହାମ ସେଠାରେ ଏକ ଯଜ୍ଞବେଦୀ ନିର୍ମାଣ କରି ତହିଁ ଉପରେ କାଠ ସଜାଡ଼ି ଆପଣା ପୁତ୍ର ଇସ୍ହାକକୁ ବାନ୍ଧି ବେଦିର କାଠ ଉପରେ ଶୁଆଇଲେ ।
ଆଦି ପୁସ୍ତକ 22 : 10 (ORV)
ଅନନ୍ତର ଅବ୍ରହାମ ହସ୍ତ ବିସ୍ତାରି ପୁତ୍ରକୁ ବଧ କରିବା ନିମନ୍ତେ ଛୁରିକା ଧରିଲେ ।
ଆଦି ପୁସ୍ତକ 22 : 11 (ORV)
ଏପରି ସମୟରେ ଆକାଶରୁ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଡାକି କହିଲେ, ହେ ଅବ୍ରହାମ, ହେ ଅବ୍ରହାମ; ତହିଁରେ ସେ କହିଲେ, ଦେଖନ୍ତୁ, ମୁଁ ଏଠାରେ ।
ଆଦି ପୁସ୍ତକ 22 : 12 (ORV)
ତହିଁରେ ସେ କହିଲେ, ତୁମ୍ଭେ ସେହି ବାଳକର ପ୍ରତିକୂଳରେ ହସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ; କାରଣ ପରମେଶ୍ଵରଙ୍କ ପ୍ରତି ତୁମ୍ଭର ଭୟ ଅଛି, ଏହା ଏବେ ଆମ୍ଭେ ବୁଝିଲୁ; ଯେହେତୁ ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମ୍ମତ ନୋହିଲ ।
ଆଦି ପୁସ୍ତକ 22 : 13 (ORV)
ସେତେବେଳେ ଅବ୍ରହାମ ଅନାଇ ଆପଣା ପଛଆଡ଼ ବୁଦାର ଲତାରେ ବଦ୍ଧଶୃଙ୍ଗ ଗୋଟିଏ ମେଷ ଦେଖିଲେ; ତହିଁରେ ଅବ୍ରହାମ ଯାଇ ସେହି ମେଷକୁ ଆଣି ଆପଣା ପୁତ୍ର ବଦଳେ ତାକୁ ହୋମ ନିମନ୍ତେ ଉତ୍ସର୍ଗ କଲେ ।
ଆଦି ପୁସ୍ତକ 22 : 14 (ORV)
ପୁଣି ଅବ୍ରହାମ ସେହି ସ୍ଥାନର ନାମ ଯିହୋବା-ଯିରି (ସଦାପ୍ରଭୁ ଯୋଗାଇବେ) ରଖିଲେ । ଏଣୁକରି ଆଜିଯାଏ ଲୋକେ କହନ୍ତି, ପର୍ବତରେ ସଦାପ୍ରଭୁ ଯୋଗାଇବେ ।
ଆଦି ପୁସ୍ତକ 22 : 15 (ORV)
ଆଉ ସଦାପ୍ରଭୁଙ୍କ ଦୂତ ଦ୍ଵିତୀୟ ଥର ଆକାଶରୁ ଅବ୍ରହାମଙ୍କୁ ଡାକି କହିଲେ,
ଆଦି ପୁସ୍ତକ 22 : 16 (ORV)
ସଦାପ୍ରଭୁ କହୁଅଛନ୍ତି, ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ଅସମ୍ମତ ନୋହିଲ;
ଆଦି ପୁସ୍ତକ 22 : 17 (ORV)
ତୁମ୍ଭର ଏହି କର୍ମ ସକାଶୁ ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ, ଆମ୍ଭେ ତୁମ୍ଭକୁ ଅବଶ୍ୟ ଆଶୀର୍ବାଦ କରି ଆକାଶସ୍ଥ ତାରାଗଣ ଓ ସମୁଦ୍ରର ବାଲି ପରି ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବା; ତୁମ୍ଭର ବଂଶ ଶତ୍ରୁଗଣର ନଗର-ଦ୍ଵାର ଅଧିକାର କରିବେ ।
ଆଦି ପୁସ୍ତକ 22 : 18 (ORV)
ପୁଣି ପୃଥିବୀସ୍ଥ ସମସ୍ତ ଜାତି ତୁମ୍ଭର ବଂଶ ଦ୍ଵାରା ଆଶୀର୍ବାଦ ପ୍ରାପ୍ତ ହେବେ; ଯେହେତୁ ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରିଅଛ ।
ଆଦି ପୁସ୍ତକ 22 : 19 (ORV)
ଅନନ୍ତର ଅବ୍ରହାମ ସେହି ଦାସମାନଙ୍କ ନିକଟକୁ ଫେରିଗଲେ; ଆଉ ସେମାନେ ଉଠି ଏକତ୍ର ବେର୍ଶେବାକୁ ଗଲେ ଓ ଅବ୍ରହାମ ବେର୍ଶେବାରେ ବାସ କଲେ ।
ଆଦି ପୁସ୍ତକ 22 : 20 (ORV)
ସେହି ଘଟଣା ଉତ୍ତାରେ ଅବ୍ରହାମଙ୍କୁ ଏହି ସମ୍ଵାଦ ଦିଆଗଲା, ଶୁଣ, ମିଲ୍କା ମଧ୍ୟ ତୁମ୍ଭ ଭ୍ରାତା ନାହୋର ନିମନ୍ତେ ସନ୍ତାନସନ୍ତତି ପ୍ରସବ କରିଅଛି ।
ଆଦି ପୁସ୍ତକ 22 : 21 (ORV)
ତାହାର ଜ୍ୟେଷ୍ଠ ପୁତ୍ର ଊଷ ଓ ତାହାର ଭ୍ରାତା ବୂଷ୍ ଓ ଅରାମର ପିତା କମୂୟେଲ,
ଆଦି ପୁସ୍ତକ 22 : 22 (ORV)
ପୁଣି କେଷଦ୍ ଓ ହସୋ ଓ ପିଲଦଶ୍ ଓ ଯିଦ୍ଲଫ୍ ଓ ବଥୂୟେଲ ।
ଆଦି ପୁସ୍ତକ 22 : 23 (ORV)
ସେହି ବଥୂୟେଲର କନ୍ୟା ରିବିକା । ମିଲ୍କା ଏହି ଆଠଜଣଙ୍କୁ ଅବ୍ରହାମଙ୍କର ଭ୍ରାତା ନାହୋର ନିମନ୍ତେ ଜନ୍ମ କଲା ।
ଆଦି ପୁସ୍ତକ 22 : 24 (ORV)
ପୁଣି ନାହୋରର ରୂମା ନାମ୍ନୀ ଉପପନିୀଠାରୁ ଟେବହ ଓ ଗହମ୍ ଓ ତହଶ୍ ଓ ମାଖା, ଏମାନେ ଜାତ ହେଲେ ।
❮
❯