Oriya ବାଇବଲ |

ଗୀତସଂହିତା total 150 ଅଧ୍ୟାୟଗୁଡ଼ିକ

ଗୀତସଂହିତା

ଗୀତସଂହିତା ଅଧ୍ୟାୟ 38
ଗୀତସଂହିତା ଅଧ୍ୟାୟ 38

1 ଦାଉଦଙ୍କର ଗୀତ, ସ୍ମରଣୋପାୟ । ହେ ସଦାପ୍ରଭୋ, ତୁମ୍ଭ କୋପରେ ମୋତେ ଅନୁଯୋଗ କର ନାହିଁ; କିଅବା ତୁମ୍ଭ ପ୍ରଚଣ୍ତ ବିରକ୍ତିରେ ମୋତେ ଶାସ୍ତି ଦିଅ ନାହିଁ ।

2 କାରଣ ତୁମ୍ଭର ତୀରସବୁ ମୋʼଠାରେ ବିଦ୍ଧ ରହିଅଛି ଓ ତୁମ୍ଭର ହସ୍ତ ମୋତେ ଅତିଶୟ ଚାପୁଅଛି ।

3 ତୁମ୍ଭ କୋପ ସକାଶୁ ମୋʼ ମାଂସରେ କିଛି ସ୍ଵାସ୍ଥ୍ୟ ନାହିଁ; ପୁଣି, ମୋʼ ପାପ ସକାଶୁ ମୋʼ ଅସ୍ଥିରେ କିଛି ଆରାମ ନାହିଁ ।

ଗୀତସଂହିତା ଅଧ୍ୟାୟ 38

4 କାରଣ ମୋହର ଅପରାଧ ମୋʼ ମସ୍ତକ ଉପରେ ଉଠିଅଛି; ତାହାସବୁ ମୋʼ ଶକ୍ତି ଅପେକ୍ଷା ଭାରୀ ବୋଝ ସ୍ଵରୂପ ।

5 ମୋହର ଅଜ୍ଞାନତା ସକାଶୁ ମୋହର କ୍ଷତସବୁ ଦୁର୍ଗନ୍ଧ ଓ ବିକୃତ ହୋଇଅଛି ।

6 ମୁଁ ବ୍ୟଥିତ ଓ ଅତ୍ୟ; ଅବନତ ହୋଇଅଛି । ମୁଁ ଦିନଯାକ ଶୋକ କରି ବୁଲୁଥାଏ ।

7 କାରଣ ମୋʼ କଟିଦେଶ ଜ୍ଵାଳାରେ ପରିପୂର୍ଣ୍ଣ ଓ ମୋହର ମାଂସରେ କିଛି ସ୍ଵାସ୍ଥ୍ୟ ନାହିଁ ।

8 ମୁଁ କ୍ଷୀଣ ଓ ଅତିଶୟ ଚୂର୍ଣ୍ଣ ହୋଇଅଛି । ମୁଁ ଆପଣା ଚିତ୍ତର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରିଅଛି ।

ଗୀତସଂହିତା ଅଧ୍ୟାୟ 38

9 ହେ ପ୍ରଭୋ, ମୋହର ସକଳ ବାଞ୍ଛା ତୁମ୍ଭ ସମ୍ମୁଖରେ ଅଛି ଓ ମୋହର କାତରୋକ୍ତି ତୁମ୍ଭଠାରୁ ଗୁପ୍ତ ନୁହେଁ ।

10 ମୋହର ହୃଦୟ ଧୁକ୍ଧୁକ୍ କରୁଅଛି, ମୋହର ବଳ କ୍ଷୀଣ ହେଉଅଛି; ମୋହର ଚକ୍ଷୁର ତେଜ ମଧ୍ୟ ମୋʼଠାରୁ ଗଲାଣି ।

11 ମୋହର ପ୍ରିୟ ଲୋକେ ଓ ମୋହର ମିତ୍ରମାନେ ମୋʼ ବ୍ୟାଧିରୁ ଅଲଗା ଠିଆ ହୁଅନ୍ତି ଓ ମୋହର ଜ୍ଞାତିବର୍ଗ ଦୂରରେ ଠିଆ ହୁଅନ୍ତି ।

12 ମଧ୍ୟ ଯେଉଁମାନେ ମୋʼ ପ୍ରାଣ ଚାହାନ୍ତି, ସେମାନେ ମୋʼ ପାଇଁ ଫାନ୍ଦ ପାତନ୍ତି; ପୁଣି, ଯେଉଁମାନେ ମୋହର ଅନିଷ୍ଟ ଇଚ୍ଛା କରନ୍ତି, ସେମାନେ ସର୍ବନାଶର କଥା କହନ୍ତି ଓ ଦିନଯାକ ଛଳର ଚିନ୍ତା କରନ୍ତି ।

ଗୀତସଂହିତା ଅଧ୍ୟାୟ 38

13 ମାତ୍ର ମୁଁ ବଧିର ଲୋକ ପରି ଶୁଣୁନାହିଁ; ପୁଣି, ମୁଁ ମୁଖ ନ ଫିଟାଇବା ଘୁଙ୍ଗାଲୋକ ତୁଲ୍ୟ ହୁଏ ।

14 ଆହୁରି, ଯେ ନ ଶୁଣେ ଓ ଯାହାର ମୁଖରେ ପ୍ରତିବାଦ ନ ଥାଏ, ଏପରି ଲୋକ ତୁଲ୍ୟ ହୁଏ ।

15 କାରଣ ହେ ସଦାପ୍ରଭୋ, ମୁଁ ତୁମ୍ଭଠାରେ ଭରସା ରଖେ; ହେ ପ୍ରଭୋ, ମୋର ପରମେଶ୍ଵର, ତୁମ୍ଭେ ଉତ୍ତର ଦେବ ।

16 କାରଣ ମୁଁ କହିଲି, କେଜାଣି ସେମାନେ ମୋʼ ଉପରେ ଆନନ୍ଦ କରିବେ; ମୋʼ ପାଦ ଖସିଗଲା ବେଳେ ସେମାନେ ମୋʼ ପ୍ରତିକୂଳରେ ଦର୍ପ କରନ୍ତି ।

ଗୀତସଂହିତା ଅଧ୍ୟାୟ 38

17 ଯେଣୁ ମୁଁ ଝୁଣ୍ଟି ପଡ଼ିବାକୁ ଉଦ୍ୟତ ଓ ମୋହର ଦୁଃଖ ସର୍ବଦା ମୋʼ ସମ୍ମୁଖରେ ଥାଏ ।

18 ମୁଁ ଆପଣା ଅପରାଧ ପ୍ରକାଶ କରିବି; ମୁଁ ଆପଣା ପାପ ଲାଗି ଖେଦିତ ହେବି ।

19 ମାତ୍ର ମୋହର ଶତ୍ରୁମାନେ ସତେଜ ଓ ବଳବାନ; ପୁଣି, ଅନ୍ୟାୟରେ ମୋତେ ଘୃଣା କରିବା ଲୋକେ ବହୁସଂଖ୍ୟକ ହୋଇଅଛନ୍ତି ।

20 ମଧ୍ୟ ଯେଉଁମାନେ ହିତର ପରିବର୍ତ୍ତେ ଅହିତ କରନ୍ତି, ସେମାନେ ମୋହର ବିପକ୍ଷ; କାରଣ ମୁଁ ଉତ୍ତମ ବିଷୟର ଅନୁଗମନ କରେ ।

ଗୀତସଂହିତା ଅଧ୍ୟାୟ 38

21 ହେ ସଦାପ୍ରଭୋ, ମୋତେ ପରିତ୍ୟାଗ କର ନାହିଁ; ହେ ମୋହର ପରମେଶ୍ଵର, ମୋʼଠାରୁ ଦୂରବର୍ତ୍ତୀ ହୁଅ ନାହିଁ ।

22 ହେ ପ୍ରଭୋ, ମୋହର ପରିତ୍ରାଣ, ମୋହର ସାହାଯ୍ୟ କରିବାକୁ ସତ୍ଵର ହୁଅ ।