Oriya ବାଇବଲ |
ଗୀତସଂହିତା total 150 ଅଧ୍ୟାୟଗୁଡ଼ିକ
ଗୀତସଂହିତା
ଗୀତସଂହିତା ଅଧ୍ୟାୟ 109
ଗୀତସଂହିତା ଅଧ୍ୟାୟ 109
1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । ହେ ମୋହର ପ୍ରଶଂସାପାତ୍ର ପରମେଶ୍ଵର, ନୀରବ ହୁଅ ନାହିଁ;
2 କାରଣ ଲୋକମାନେ ମୋʼ ବିରୁଦ୍ଧରେ ଦୁଷ୍ଟତାରୂପ ମୁଖ ଓ ପ୍ରବଞ୍ଚନାରୂପ ମୁଖ ଫିଟାଇ ଅଛନ୍ତି । ସେମାନେ ମିଥ୍ୟାବାଦୀ ଜିହ୍ଵାରେ ମୋʼ ସଙ୍ଗେ କଥା କହିଅଛନ୍ତି ।
3 ଆହୁରି, ସେମାନେ ଦ୍ଵେଷବାକ୍ୟରେ ମୋତେ ଘେରିଅଛନ୍ତି ଓ ବିନା କାରଣରେ ମୋʼ ସଙ୍ଗେ ଯୁଦ୍ଧ କରିଅଛନ୍ତି ।
4 ମୋʼ ପ୍ରେମ ପାଲଟେ ସେମାନେ ମୋହର ବିପକ୍ଷ ହୋଇଅଛନ୍ତି; ମାତ୍ର ମୁଁ ପ୍ରାର୍ଥନାରେ ପ୍ରବୃତ୍ତ ।
ଗୀତସଂହିତା ଅଧ୍ୟାୟ 109
5 ଆଉ, ସେମାନେ ମୋତେ ମଙ୍ଗଳ ପାଲଟେ ଅମଙ୍ଗଳ ଓ ପ୍ରେମ ପାଲଟେ ଘୃଣା ପ୍ରତିଦାନ କରିଅଛନ୍ତି ।
6 ତୁମ୍ଭେ ତାହା ଉପରେ ଏକ ଦୁଷ୍ଟ ଲୋକ ନିଯୁକ୍ତ କର; ପୁଣି, ଜଣେ ବିପକ୍ଷ ତାହାର ଦକ୍ଷିଣ ପାର୍ଶ୍ଵରେ ଠିଆ ହେଉ ।
7 ସେ ବିଚାରିତ ହେବା ସମୟରେ ଦୋଷୀକୃତ ହେଉ; ପୁଣି, ତାହାର ପ୍ରାର୍ଥନା ପାପ ରୂପେ ଗଣିତ ହେଉ ।
8 ତାହାର ଆୟୁ ଅଳ୍ପ ହେଉ ଓ ଅନ୍ୟ ଲୋକ ତାହାର ପଦ ପ୍ରାପ୍ତ ହେଉ ।
ଗୀତସଂହିତା ଅଧ୍ୟାୟ 109
9 ତାହାର ସନ୍ତାନମାନେ ପିତୃହୀନ ହେଉନ୍ତୁ ଓ ତାହାର ଭାର୍ଯ୍ୟା ବିଧବା ହେଉ ।
10 ତାହାର ସନ୍ତାନଗଣ ବାରବୁଲା ହୋଇ ଭିକ୍ଷା କରନ୍ତୁ ଓ ସେମାନେ ଆପଣା ଆପଣା ଉଜାଡ଼ ସ୍ଥାନରୁ ଆହାର ଅନ୍ଵେଷଣ କରନ୍ତୁ ।
11 ମହାଜନ ତାହାର ସର୍ବସ୍ଵ ଧରୁ; ଆଉ, ବିଦେଶୀମାନେ ତାହାର ଶ୍ରମର ଫଳ ଲୁଟ କରନ୍ତୁ ।
12 ତାହା ପ୍ରତି କୃପା ପ୍ରକାଶ କରିବାକୁ କେହି ନ ଥାଉ, କିଅବା ତାହାର ପିତୃହୀନ ସନ୍ତାନଗଣକୁ କେହି ଦୟା କରିବାକୁ ନ ରହୁ ।
ଗୀତସଂହିତା ଅଧ୍ୟାୟ 109
13 ତାହାର ବଂଶ ଉଚ୍ଛିନ୍ନ ହେଉ; ଆସନ୍ତା ପୁରୁଷରେ ସେମାନଙ୍କ ନାମ ଲୁପ୍ତ ହେଉ ।
14 ତାହାର ପିତୃଲୋକଙ୍କ ଅପରାଧ ସଦାପ୍ରଭୁଙ୍କ ସ୍ମରଣରେ ଥାଉ ଓ ତାହାର ମାତାର ପାପ ଲୁପ୍ତ ନ ହେଉ ।
15 ସଦାପ୍ରଭୁ ଯେପରି ସେମାନଙ୍କ ସ୍ମରଣ ପୃଥିବୀରୁ ଉଚ୍ଛିନ୍ନ କରିବେ, ଏଥିପାଇଁ ସେମାନେ ତାହାଙ୍କ ସାକ୍ଷାତରେ ସର୍ବଦା ଥାଉନ୍ତୁ ।
16 ସେ ଦୟା ପ୍ରକାଶ କରିବାକୁ ସ୍ମରଣ କଲା ନାହିଁ । ମାତ୍ର ଦୁଃଖୀ ଓ ଦୀନହୀନ ଓ ଭଗ୍ନାନ୍ତଃକରଣ ଲୋକଙ୍କୁ ବଧ କରିବା ପାଇଁ ତାଡ଼ନା କଲା ।
ଗୀତସଂହିତା ଅଧ୍ୟାୟ 109
17 ଆହୁରି, ସେ ଅଭିଶାପ ଭଲ ପାଇଲା ଓ ତାହା ତାହା ପ୍ରତି ଘଟିଲା; ଆଉ, ସେ ଆଶୀର୍ବାଦରେ ସନ୍ତୁଷ୍ଟ ହେଲା ନାହିଁ, ଏଣୁ ତାହା ତାହାଠାରୁ ଦୂର ହେଲା ।
18 ମଧ୍ୟ ସେ ବସ୍ତ୍ର ପରି ଅଭିଶାପ ପରିଧାନ କଲା, ପୁଣି ତାହା ଜଳ ପରି ତାହାର ଅନ୍ତରରେ ଓ ତୈଳ ପରି ତାହାର ଅସ୍ଥିରେ ପ୍ରବିଷ୍ଟ ହେଲା ।
19 ଏଣୁ ତାହା ତାହାର ପରିଧେୟ ବସ୍ତ୍ର ପରି ଓ ତାହାର ନିତ୍ୟ କଟିବନ୍ଧନ ପରି ହେଉ ।
20 ସଦାପ୍ରଭୁଙ୍କଠାରୁ ଆମ୍ଭ ବିପକ୍ଷଗଣର ଓ ଆମ୍ଭ ପ୍ରାଣ ବିରୁଦ୍ଧରେ ଦୁର୍ବାକ୍ୟବାଦୀମାନଙ୍କର ଏହି ଫଳ ।
ଗୀତସଂହିତା ଅଧ୍ୟାୟ 109
21 ମାତ୍ର ହେ ପ୍ରଭୋ, ସଦାପ୍ରଭୋ, ତୁମ୍ଭେ ଆପଣା ନାମ ସକାଶୁ ମୋʼ ପ୍ରତି ବ୍ୟବହାର କର; ତୁମ୍ଭର ଦୟା ମଙ୍ଗଳମୟ, ଏଣୁ ମୋତେ ଉଦ୍ଧାର କର ।
22 କାରଣ ମୁଁ ଦୁଃଖୀ ଓ ଦୀନହୀନ ଅଟେ, ଓ ମୋʼ ଅନ୍ତରରେ ମୋʼ ହୃଦୟ କ୍ଷତବିକ୍ଷତ ହୋଇଅଛି ।
23 ମୁଁ ଅପରାହ୍ନର ଛାୟା ତୁଲ୍ୟ ଅତୀତ; ମୁଁ ପଙ୍ଗପାଳ ନ୍ୟାୟ ଚାଳିତ ହେଉଅଛି ।
24 ଉପବାସରେ ମୋʼ ଆଣ୍ଠୁ ଦୁର୍ବଳ ଅଛି ଓ ମେଦର ଅଭାବରୁ ମୋʼ ମାଂସ କ୍ଷୀଣ ହୁଏ ।
ଗୀତସଂହିତା ଅଧ୍ୟାୟ 109
25 ଆହୁରି, ମୁଁ ସେମାନଙ୍କ ନିକଟରେ ନିନ୍ଦାପାତ୍ର ହୋଇଅଛି; ସେମାନେ ମୋତେ ଦେଖିଲେ ମୁଣ୍ତ ହଲାନ୍ତି ।
26 ହେ ସଦାପ୍ରଭୋ, ମୋହର ପରମେଶ୍ଵର, ମୋହର ସାହାଯ୍ୟ କର; ତୁମ୍ଭ ଦୟାନୁସାରେ ମୋହର ପରିତ୍ରାଣ କର ।
27 ତହିଁରେ ଏହି ତୁମ୍ଭର ହସ୍ତ ବୋଲି ଓ ତୁମ୍ଭେ ସଦାପ୍ରଭୁ ଏହା କରିଅଛ ବୋଲି ସେମାନେ ଜାଣିବେ ।
28 ସେମାନେ ଅଭିଶାପ ଦେଉନ୍ତୁ, ମାତ୍ର ତୁମ୍ଭେ ଆଶୀର୍ବାଦ କର; ସେମାନେ ଉଠିଲେ ଲଜ୍ଜିତ ହେବେ, ମାତ୍ର ତୁମ୍ଭର ଦାସ ଆନନ୍ଦ କରିବ ।
ଗୀତସଂହିତା ଅଧ୍ୟାୟ 109
29 ମୋʼ ବିପକ୍ଷମାନେ ଅପମାନରେ ବସ୍ତ୍ରାନ୍ଵିତ ହେବେ, ପୁଣି, ସେମାନେ ଉତ୍ତରୀୟ ବସ୍ତ୍ର ତୁଲ୍ୟ ନିଜ ଲଜ୍ଜାରେ ଆଚ୍ଛନ୍ନ ହେଉନ୍ତୁ ।
30 ମୁଁ ନିଜ ମୁଖରେ ସଦାପ୍ରଭୁଙ୍କୁ ଅତିଶୟ ଧନ୍ୟବାଦ ଦେବି; ପୁଣି, ଲୋକାରଣ୍ୟ ମଧ୍ୟରେ ତାହାଙ୍କର ପ୍ରଶଂସା କରିବି ।
31 କାରଣ ସେ ଦୀନହୀନକୁ ତାହାର ପ୍ରାଣର ବିଚାରକାରୀମାନଙ୍କଠାରୁ ତ୍ରାଣ କରିବା ନିମନ୍ତେ ତାହାର ଡାହାଣରେ ଠିଆ ହେବେ ।