Oriya ବାଇବଲ |
ଗୀତସଂହିତା total 150 ଅଧ୍ୟାୟଗୁଡ଼ିକ
ଗୀତସଂହିତା
ଗୀତସଂହିତା ଅଧ୍ୟାୟ 108
ଗୀତସଂହିତା ଅଧ୍ୟାୟ 108
1 ଦାଉଦଙ୍କର ଗାନାର୍ଥକ ଗୀତ । ହେ ପରମେଶ୍ଵର, ମୋହର ଚିତ୍ତ ସୁସ୍ଥିର ଅଛି; ମୁଁ ଗାନ କରିବି, ହଁ, ମୁଁ ଆପଣା ଗୌରବ ସହିତ ପ୍ରଶଂସା ଗାନ କରିବି ।
2 ହେ ନେବଲ ଓ ବୀଣେ, ଜାଗ; ମୁଁ ନିଜେ ଅତି ପ୍ରଭାତରେ ଜାଗିବି ।
3 ହେ ସଦାପ୍ରଭୋ, ମୁଁ ଗୋଷ୍ଠୀବର୍ଗ ମଧ୍ୟରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି ଓ ମୁଁ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି ।
4 ଯେହେତୁ ତୁମ୍ଭର ଦୟା ଆକାଶ ଅପେକ୍ଷା ମହତ ଓ ତୁମ୍ଭର ସତ୍ୟତା ଗଗନସ୍ପର୍ଶୀ;
ଗୀତସଂହିତା ଅଧ୍ୟାୟ 108
5 ହେ ପରମେଶ୍ଵର, ତୁମ୍ଭେ ଆକାଶମଣ୍ତଳ ଉପରେ ଉନ୍ନତ ହୁଅ ଓ ତୁମ୍ଭର ଗୌରବ ସମୁଦାୟ ପୃଥିବୀରେ ଉନ୍ନତ ହେଉ ।
6 ଯେପରି ତୁମ୍ଭର ପ୍ରିୟତମ ଉଦ୍ଧାର ପାଇବ, ଏଥିପାଇଁ ତୁମ୍ଭେ ଆପଣା ଦକ୍ଷିଣ ହସ୍ତରେ ପରିତ୍ରାଣ କରି ଆମ୍ଭମାନଙ୍କୁ ଉତ୍ତର ଦିଅ ।
7 ପରମେଶ୍ଵର ଆପଣା ପବିତ୍ରତାରେ କହିଅଛନ୍ତି; ଆମ୍ଭେ ଉଲ୍ଲାସ କରିବା; ମୁଁ ଶିଖିମକୁ ବିଭାଗ କରିବି ଓ ସୁକ୍କୋତ ଉପତ୍ୟକା ମାପିବି ।
8 ଗିଲୀୟଦ ମୋହର; ମନଃଶି ମୋହର; ଇଫ୍ରୟିମ ମଧ୍ୟ ମୋʼ ମସ୍ତକର ଆଶ୍ରୟ; ଯିହୁଦା ମୋହର ରାଜଦଣ୍ତ ।
ଗୀତସଂହିତା ଅଧ୍ୟାୟ 108
9 ମୋୟାବ ମୋʼ ପ୍ରକ୍ଷାଳନ-ପାତ୍ର; ଇଦୋମ ଉପରେ ମୁଁ ଆପଣା ପାଦୁକା ପକାଇବି । ପଲେଷ୍ଟୀୟ ଉପରେ ଜୟଧ୍ଵନି କରିବି ।
10 କିଏ ମୋତେ ଦୃଢ଼ ନଗରକୁ ଆଣିବ? କିଏ ମୋତେ ଇଦୋମ ପର୍ଯ୍ୟନ୍ତ କଢ଼ାଇ ଆଣିଅଛି?
11 ହେ ପରମେଶ୍ଵର, ତୁମ୍ଭେ କି ଆମ୍ଭମାନଙ୍କୁ ଦୂର କରି ନାହଁ? ପୁଣି, ହେ ପରମେଶ୍ଵର, ତୁମ୍ଭେ ଆମ୍ଭମାନଙ୍କ ସୈନ୍ୟ ସଙ୍ଗେ ଗମନ କରୁ ନାହଁ ।
12 ବିପକ୍ଷର ପ୍ରତିକୂଳରେ ଆମ୍ଭମାନଙ୍କୁ ସାହାଯ୍ୟ ଦାନ କର; କାରଣ ମନୁଷ୍ୟର ସାହାଯ୍ୟ ବୃଥା ।
ଗୀତସଂହିତା ଅଧ୍ୟାୟ 108
13 ପରମେଶ୍ଵରଙ୍କ ଦ୍ଵାରା ଆମ୍ଭେମାନେ ବୀରର କର୍ମ କରିବା; ଯେହେତୁ ସେ ଆମ୍ଭମାନଙ୍କ ବିପକ୍ଷଗଣକୁ ଦଳି ପକାଇବେ ।