Oriya ବାଇବଲ |

ହିତୋପଦେଶ total 31 ଅଧ୍ୟାୟଗୁଡ଼ିକ

ହିତୋପଦେଶ

ହିତୋପଦେଶ ଅଧ୍ୟାୟ 7
ହିତୋପଦେଶ ଅଧ୍ୟାୟ 7

1 ହେ ମୋହର ପୁତ୍ର, ମୋହର କଥାସବୁ ପାଳନ କର ଓ ମୋହର ଆଜ୍ଞାସବୁ ଆପଣା ନିକଟରେ ସଞ୍ଚୟ କରି ରଖ ।

2 ମୋହର ଆଜ୍ଞାସବୁ ପାଳନ କର, ବଞ୍ଚିବ ଓ ଆପଣା ଚକ୍ଷୁର ତାରା ପରି ମୋହର ବ୍ୟବସ୍ଥା ରକ୍ଷା କର ।

3 ତୁମ୍ଭର ସମସ୍ତ ଅଙ୍ଗୁଳିରେ ତାହା ବାନ୍ଧ; ତୁମ୍ଭର ହୃଦୟ-ପଟାରେ ତାହାସବୁ ଲେଖି ରଖ ।

4 ଜ୍ଞାନକୁ କୁହ, ତୁମ୍ଭେ ମୋହର ଭଗିନୀ, ଆଉ ସୁବିବେଚନାକୁ ତୁମ୍ଭର ଜ୍ଞାତି ବୋଲି କୁହ ।

ହିତୋପଦେଶ ଅଧ୍ୟାୟ 7

5 ତହିଁରେ ସେମାନେ ପରସ୍ତ୍ରୀଠାରୁ, ଅର୍ଥାତ୍, ଚାଟୁବାଦିନୀ ପରକୀୟାଠାରୁ ତୁମ୍ଭକୁ ରକ୍ଷା କରିବେ ।

6 ମୁଁ ଆପଣା ଗୃହର ଝରକାର ଜାଲି ପରଦା ଦେଇ ନିରୀକ୍ଷଣ କରୁଥିଲି;

7 ତହିଁରେ ମୁଁ ଦେଖିଲି, ଅଜ୍ଞାନମାନଙ୍କ ମଧ୍ୟରେ ଓ ଚିହ୍ନିଲି ଯୁବାମାନଙ୍କ ମଧ୍ୟରେ ଜଣେ ବୁଦ୍ଧିବିହୀନ ଯୁବାଲୋକ

8 (ବ୍ୟଭିଚାରିଣୀର) ଗୃହକୋଣ ନିକଟସ୍ଥ ଗଳି ଦେଇ ଯାଉ ଯାଉ ତାହାର ଗୃହକୁ ଯିବା ପଥରେ ଚାଲିଲା ।

ହିତୋପଦେଶ ଅଧ୍ୟାୟ 7

9 ସେତେବେଳେ ଗୋଧୂଳି ସମୟ, ଦିନାବସାନ ହେଉଥିଲା, ରାତ୍ରିର କାଳିମା ଓ ଅନ୍ଧକାର ସମୟ ।

10 ତହିଁରେ ଦେଖ, ଜଣେ ସ୍ତ୍ରୀ ତାହା ସଙ୍ଗେ ଭେଟିଲା, ସେ ବେଶ୍ୟାବେଶଧାରିଣୀ ଓ ଅନ୍ତଃକରଣରେ ଚତୁରୀ ।

11 ସେ ବଡ଼ ତୁଣ୍ତେଈ ଓ ଅବାଧ୍ୟା, ତାହାର ପାଦ ନିଜ ଗୃହରେ ରହେ ନାହିଁ ।

12 ସେ କେବେ କେବେ ସଡ଼କରେ, କେବେ କେବେ ଛକରେ ଥାଏ ଓ ପ୍ରତ୍ୟେକ କୋଣରେ ଅପେକ୍ଷାରେ ବସି ଥାଏ ।

ହିତୋପଦେଶ ଅଧ୍ୟାୟ 7

13 ସେହି ସ୍ତ୍ରୀ ତାହାକୁ ଧରି ଚୁମ୍ଵନ କଲା, ଆଉ ନିର୍ଲଜ୍ଜ ମୁଖରେ ତାହାକୁ କହିଲା:

14 “ମଙ୍ଗଳାର୍ଥକ ବଳି ମୋʼ ନିକଟରେ ଅଛି; ମୁଁ ଆଜି ଆପଣାର ମାନତ ପୂର୍ଣ୍ଣ କରିଅଛି ।

15 ଏଣୁ ତୁମ୍ଭ ସଙ୍ଗେ ଦେଖା କରିବାକୁ ବାହାରକୁ ଆସିଲି ଓ ଯନିରେ ତୁମ୍ଭ ମୁଖ ଅନ୍ଵେଷଣ କରିବାକୁ ଆସିଅଛି, ଆଉ ତୁମ୍ଭକୁ ପାଇଲି ।

16 ମୁଁ ସୁଜନୀ ଓ ମିସ୍ରୀୟ ସୂକ୍ଷ୍ମ ସୂତ୍ରର ଡୋରିଆବସ୍ତ୍ର ଆପଣା ପଲଙ୍କରେ ବିଛାଇ ଅଛି ।

ହିତୋପଦେଶ ଅଧ୍ୟାୟ 7

17 ପୁଣି, ଗନ୍ଧରସ ଓ ଅଗୁରୁ ଓ ଦାରୁଚିନିରେ ମୋହର ଶଯ୍ୟା ସୁବାସିତ କରିଅଛି ।

18 ଆସ, ଆମ୍ଭେମାନେ ପ୍ରଭାତ ଯାଏ କାମରସରେ ମତ୍ତ ଓ ପ୍ରେମରେ ଭୋଳ ହେଉ ।

19 ଯେହେତୁ କର୍ତ୍ତା ଘରେ ନାହାନ୍ତି, ସେ ଦୂରଯାତ୍ରା କରିଅଛନ୍ତି ।

20 ସେ ତୋଡ଼ାଏ ଟଙ୍କା ସଙ୍ଗରେ ନେଇ ଯାଇଅଛନ୍ତି, ସେ ପୂର୍ଣ୍ଣିମା ସମୟରେ ଫେରି ଆସିବେ ।”

21 ଏହିରୂପେ ଅନେକ ମଧୁର ଭାଷା କହି ସେ ତାହାର ମନ ହରଣ କଲା, ଓଷ୍ଠାଧରର ଚାଟୁବାଦରେ ତାହାକୁ ଓଟାରି ନେଲା ।

ହିତୋପଦେଶ ଅଧ୍ୟାୟ 7

22 ଯେପରି ଗୋରୁ ହତ ହେବାକୁ ଯାଏ ଓ ଯେପରି ବେଡ଼ି ପିନ୍ଧିବା ଲୋକ ନିର୍ବୋଧର ଦଣ୍ତ ପାଇବାକୁ ଯାଏ, ସେପରି ସେ ସେହିକ୍ଷଣି ତାହାର ପଛେ ପଛେ ଗଲା ।

23 ଆଉ, ଯେପରି ପକ୍ଷୀ ଫାନ୍ଦକୁ ପ୍ରାଣନାଶକ ନ ଜାଣି ତହିଁରେ ପଡ଼ିବାକୁ ବେଗେ ଉଡ଼େ, ଶେଷରେ ତାହାର ଯକୃତ ସେହିପରି ତୀର ଦ୍ଵାରା ବିଦ୍ଧ ହେଲା ।

24 ଏଣୁ ହେ ମୋହର ପୁତ୍ରମାନେ, ମୋହର କଥା ଶୁଣ ଓ ମୋʼ ମୁଖର ବାକ୍ୟରେ ମନୋନିବେଶ କର ।

25 ତୁମ୍ଭର ଚିତ୍ତ ତାହାର ମାର୍ଗରେ ନ ଯାଉ, ତୁମ୍ଭେ ତାହାର ପଥରେ ବିପଥଗାମୀ ହୁଅ ନାହିଁ ।

ହିତୋପଦେଶ ଅଧ୍ୟାୟ 7

26 ଯେହେତୁ ସେ ଅନେକଙ୍କୁ କ୍ଷତବିକ୍ଷତ କରି ପକାଇ ଅଛି, ହଁ, ତାହାର ହତ ଲୋକସକଳ ଅପାର ।

27 ତାହାର ଗୃହ ପାତାଳକୁ ଯିବାର ବାଟ, ଯାହା ମୃତ୍ୟୁର ଆଳୟକୁ ଯାଏ ।