Oriya ବାଇବଲ |

ମାଥିଉଲିଖିତ ସୁସମାଚାର total 28 ଅଧ୍ୟାୟଗୁଡ଼ିକ

ମାଥିଉଲିଖିତ ସୁସମାଚାର

ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13
ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13

1 ସେହି ଦିନ ଯୀଶୁ ଘରୁ ବାହାରିଯାଇ ସମୁଦ୍ର କୂଳରେ ବସିଲେ ।

2 ସେଥିରେ ତାହାଙ୍କ ନିକଟରେ ବହୁସଂଖ୍ୟକ ଲୋକ ଏକତ୍ର ହେବାରୁ ସେ ଯାଇ ଗୋଟିଏ ନୌକାରେ ବସିଲେ, ପୁଣି ଲୋକସମୂହ କୂଳରେ ଠିଆ ହୋଇ ରହିଲେ ।

3 ଆଉ, ଯୀଶୁ ଦୃଷ୍ଟାନ୍ତ ଦ୍ଵାରା ସେମାନଙ୍କୁ ଅନେକ କଥା କହିଲେ, ଦେଖ, ଜଣେ ବୁଣାଳି ବୁଣିବାକୁ ବାହାରିଲା ।

4 ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା, ପୁଣି ଚଢ଼େଇମାନେ ଆସି ସେଗୁଡ଼ିକ ଖାଇଗଲେ ।

ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13

5 ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂଇଁରେ ପଡ଼ିଲା ଏବଂ ବେଶୀ ମାଟି ନ ଥିବାରୁ ଶୀଘ୍ର ଗଜା ହେଲା,

6 କିନ୍ତୁ ସୂର୍ଯ୍ୟ ଉଠନ୍ତେ, ଜଳିପୋଡ଼ିଗଲା ଓ ଚେର ନ ଥିବାରୁ ଶୁଖିଗଲା ।

7 ଆଉ କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି କଣ୍ଟାଗଛଗୁଡ଼ାକ ଉଠି ବଡ଼ ହୋଇ ସେଗୁଡ଼ିକୁ ଚାପି ପକାଇଲା ।

8 ମାତ୍ର ଅନ୍ୟ କେତେକ ଭଲ ଭୂଇଁରେ ପଡ଼ିଲା ଓ ଫଳ ଫଳିଲା, କେତେକ ଶହେ ଗୁଣ, କେତେକ ଷାଠିଏ ଗୁଣ, ପୁଣି କେତେକ ତିରିଶ ଗୁଣ ।

ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13

9 ଯାହାର କାନ ଅଛି, ସେ ଶୁଣୁ ।

10 ଏଥିଉତ୍ତାରେ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି ପଚାରିଲେ, ଆପଣ କାହିଁକି ସେମାନଙ୍କୁ ଦୃଷ୍ଟାନ୍ତ ଦ୍ଵାରା କଥା କହୁଅଛନ୍ତି?

11 ଯୀଶୁ ଉତ୍ତର ଦେଲେ, କାରଣ ସ୍ଵର୍ଗରାଜ୍ୟର ନିଗୂଢ଼ ତତ୍ତ୍ଵସମୂହ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେମାନଙ୍କୁ ଦିଆଯାଇ ନାହିଁ ।

12 ଯେଣୁ ଯାହାର ଅଛି, ତାହାକୁ ଦିଆଯିବ, ଆଉ ତାହାର ପ୍ରଚୁର ହେବ; କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ ।

ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13

13 ସେମାନେ ଦେଖୁ ଦେଖୁ ଦେଖନ୍ତି ନାହିଁ ଓ ଶୁଣୁ ଶୁଣୁ ଶୁଣନ୍ତି ନାହିଁ କି ବୁଝନ୍ତି ନାହିଁ; ଏଣୁ ମୁଁ ସେମାନଙ୍କୁ ଦୃଷ୍ଟାନ୍ତ ଦ୍ଵାରା କଥା କହୁଅଛି ।

14 ଆଉ, ଯିଶାଇୟଙ୍କର ଏହି ଭାବବାଣୀ ସେମାନଙ୍କ ସମ୍ଵନ୍ଧରେ ସଫଳ ହେଉଅଛି, ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ;

15 କାରଣ ଏହି ଲୋକଙ୍କର ହୃଦୟ ଜଡ଼ ହେଲା, ସେମାନେ କାନରେ କଷ୍ଟରେ ଶୁଣିଲେ ଓ ଆପଣା ଆପଣା ଆଖି ବୁଜିଲେ, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ କାନରେ ଶୁଣିବେ ନାହିଁ, ଆଉ ହୃଦୟରେ ବୁଝିବେ ନାହିଁ, ପୁଣି ଫେରି ଆସିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ ।

ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13

16 କିନ୍ତୁ ଧନ୍ୟ ତୁମ୍ଭମାନଙ୍କ ଚକ୍ଷୁ, ଯେଣୁ ତାହା ଦେଖେ; ଧନ୍ୟ ତୁମ୍ଭମାନଙ୍କ କର୍ଣ୍ଣ, ଯେଣୁ ତାହା ଶୁଣେ ।

17 କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହିସବୁ ଅନେକ ଭାବବାଦୀ ଓ ଧାର୍ମିକ ଲୋକ ଦେଖିବାକୁ ବାଞ୍ଛା କଲେ, କିନ୍ତୁଦେଖିଲେ ନାହିଁ; ପୁଣି, ତୁମ୍ଭେମାନେ ଯାହା ଯାହା ଶୁଣୁଅଛ, ସେହିସବୁ ସେମାନେ ଶୁଣିବାକୁ ବାଞ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ ।

18 ତେବେ ତୁମ୍ଭେମାନେ ବୀଜବପନକାରୀର ଦୃଷ୍ଟାନ୍ତ ଶୁଣ।

ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13

19 ଯେକେହି ରାଜ୍ୟର ବାକ୍ୟ ଶୁଣି ନ ବୁଝେ, ପାପାତ୍ମା ଆସି ତାହାର ହୃଦୟରେ ଯାହା ବୁଣାଯାଇଥିଲା, ତାହା ହରଣ କରିନିଏ, ସେ ଜଣକ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ ।

20 ଯେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରେ, କିନ୍ତୁ ତାହାଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ହୋଇ ରୁହେ,

21 ପରେ ବାକ୍ୟ ସକାଶେ କ୍ଳେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଏ, ସେହି ଜଣକ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ ।

ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13

22 ଯେ ବାକ୍ୟ ଶୁଣେ, ପୁଣି ସାଂସାରିକ ଚିନ୍ତା ଓ ଧନର ମାୟା ବାକ୍ୟକୁ ଚାପିପକାଏ, ଆଉ ସେ ଫଳହୀନ ହୁଏ, ସେହି ଜଣକ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ ।

23 କିନ୍ତୁ ଯେ ବାକ୍ୟ ଶୁଣି ବୁଝେ ଓ ପ୍ରକୃତରେ ଫଳ ଫଳେ, କେହି ଶହେ ଗୁଣ, କେହି ଷାଠିଏ ଗୁଣ, କେହି ତିରିଶ ଗୁଣ, ସେହି ଜଣକ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ ।

24 ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, ସ୍ଵର୍ଗରାଜ୍ୟ ଆପଣା କ୍ଷେତରେ ଭଲ ବିହନ ବୁଣିଥିବା ଜଣେ ବ୍ୟକ୍ତିଙ୍କ ସଦୃଶ;

ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13

25 ମାତ୍ର ଲୋକେ ନିଦ୍ରା ଯାଇଥିବା ସମୟରେ ତାଙ୍କ ଶତ୍ରୁ ଆସି ସେହି ଗହମ ମଧ୍ୟରେ ବାଳୁଙ୍ଗା ବୁଣିଦେଇ ଚାଲିଗଲା ।

26 ଯେତେବେଳେ ପତ୍ର ବାହାରି ଫଳ ଫଳିବାକୁ ଲାଗିଲା, ସେତେବେଳେ ବାଳୁଙ୍ଗା ମଧ୍ୟ ଦେଖାଗଲା ।

27 ସେଥିରେ ଗୃହକର୍ତ୍ତାଙ୍କ ଦାସମାନେ ତାଙ୍କ ପାଖକୁ ଆସି କହିଲେ, ସାଆନ୍ତେ, ଆପଣ କଅଣ ନିଜ କ୍ଷେତରେ ଭଲ ବିହନ ବୁଣି ନ ଥିଲେ? ତେବେ ବାଳୁଙ୍ଗାଗୁଡ଼ାକ କେଉଁଠାରୁ ହେଲା?

28 ସେ ସେମାନଙ୍କୁ କହିଲେ, ଜଣେ ଶତ୍ରୁ ଏହା କରିଅଛି । ପୁଣି, ଦାସମାନେ ତାଙ୍କୁ କହିଲେ, ତେବେ ଆମ୍ଭେମାନେ ଯାଇ ସେଗୁଡ଼ାକ ଉପାଡ଼ି ଏକାଠି କରୁ, ଏହା କଅଣ ଆପଣଙ୍କର ଇଚ୍ଛା?

ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13

29 କିନ୍ତୁ ସେ କହିଲେ, ନା, କାଳେ ତୁମ୍ଭେମାନେ ବାଳୁଙ୍ଗା ଏକାଠି କରୁକରୁ ସେଗୁଡ଼ାକ ସାଙ୍ଗରେ ଗହମ ଉପାଡ଼ି ପକାଇବ ।

30 ଶସ୍ୟ ନ କାଟିବା ଯାଏ ଦୁହିଁକି ଏକାଠି ବଢ଼ିବାକୁ ଛାଡ଼ିଦିଅ, ଆଉ ଶସ୍ୟ କାଟିବା ସମୟରେ ମୁଁ କଟାଳିମାନଙ୍କୁ କହିବି, ପୋଡ଼ିବା ପାଇଁ ଆଗେ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ, କିନ୍ତୁ ଗହମ ମୋʼ ଅମାରରେ ସଂଗ୍ରହ କରି ରଖ ।

31 ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, ସ୍ଵର୍ଗରାଜ୍ୟ ଏପ୍ରକାର ଗୋଟିଏ ସୋରିଷଦାନା ପରି, ଯାହା ନେଇ ଜଣେ ଲୋକ ଆପଣା କ୍ଷେତରେ ବୁଣିଲା ।

ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13

32 ତାହା ତ ସବୁ ବୀଜଠାରୁ କ୍ଷୁଦ୍ର, ମାତ୍ର ତାହା ବଢ଼ିଲେ ସବୁ ଶାଗଠାରୁ ବଡ଼ ହୋଇ ଏପରି ଗଛ ହୁଏ ଯେ, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କରନ୍ତି ।

33 ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ, ସ୍ଵର୍ଗରାଜ୍ୟ ଖମୀର ସଦୃଶ; ଜଣେ ସ୍ତ୍ରୀ ତାହା ଘେନି ମହଣେ ମଇଦା ମଧ୍ୟରେ ଘୋଡ଼ାଇ ରଖିଲା, ଆଉ ଶେଷରେ ସମସ୍ତ ଖମୀରମୟ ହେଲା ।

34 ଏହିସମସ୍ତ କଥା ଯୀଶୁ ଦୃଷ୍ଟାନ୍ତ ଦ୍ଵାରା ଲୋକ-ସମୂହକୁ କହିଲେ, ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହୁ ନ ଥିଲେ,

ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13

35 ଯେପରି ଭାବବାଦୀଙ୍କ ଦ୍ଵାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ଆମ୍ଭେ ଆପଣା ମୁଖ ଫିଟାଇ ଦୃଷ୍ଟାନ୍ତ ଦ୍ଵାରା କଥା କହିବା, ଜଗତର ପତ୍ତନାବଧି ଗୁପ୍ତ ବିଷୟସବୁ ବ୍ୟକ୍ତ କରିବା ।

36 ପରେ ସେ ଲୋକସମୂହକୁ ପରିତ୍ୟାଗ କରି ଗୃହରେ ପ୍ରବେଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, କ୍ଷେତର ବାଳୁଙ୍ଗାର ଦୃଷ୍ଟାନ୍ତ ଆମ୍ଭମାନଙ୍କୁ ସ୍ପଷ୍ଟ ରୂପେ ବୁଝାଇ ଦିଅନ୍ତୁ ।

37 ଯୀଶୁ ଉତ୍ତର ଦେଲେ, ଉତ୍ତମ ବିହନ ଯେ ବୁଣନ୍ତି, ସେ ମନୁଷ୍ୟପୁତ୍ର;

ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13

38 କ୍ଷେତ ଜଗତ; ଭଲ ବିହନ ରାଜ୍ୟର ସନ୍ତାନ-ମାନେ; ବାଳୁଙ୍ଗା ପାପାତ୍ମାର ସନ୍ତାନମାନେ;

39 ଯେଉଁ ଶତ୍ରୁ ତାହା ବୁଣିଲା, ସେ ଶୟତାନ; ଶସ୍ୟ କାଟିବା ସମୟ ଯୁଗାନ୍ତ, ପୁଣି କଟାଳିସବୁ ଦୂତମାନେ ।

40 ଅତଏବ, ବାଳୁଙ୍ଗା ଯେପରି ଏକାଠି କରାଯାଇ ନିଆଁରେ ପୋଡ଼ାଯାଏ, ଯୁଗା; ସମୟରେ ସେପରି ଘଟିବ ।

41 ମନୁଷ୍ୟପୁତ୍ର ଆପଣା ଦୂତମାନଙ୍କୁ ପ୍ରେରଣ କରିବେ, ଆଉ ସେମାନେ ତାହାଙ୍କ ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମାଚାରୀମାନଙ୍କୁ ସଂଗ୍ରହ କରିବେ,

ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13

42 ପୁଣି ସେମାନଙ୍କୁ ଅଗ୍ନିକୁଣ୍ତରେ ନିକ୍ଷେପ କରିବେ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ ।

43 ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ଦେଖାଯିବେ । ଯାହାର କାନ ଅଛି, ସେ ଶୁଣୁ ।

44 ସ୍ଵର୍ଗରାଜ୍ୟ କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ । ଜଣେ ଲୋକ ତାହା ଦେଖି ଗୋପନ କରି ରଖିଲା ଓ ଆନନ୍ଦରେ ଯାଇ ଆପଣାର ସର୍ବସ୍ଵ ବିକ୍ରୟ କରି ସେହି କ୍ଷେତ୍ରକୁ କ୍ରୟ କଲା।

ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13

45 ପୁନଶ୍ଚ, ସ୍ଵର୍ଗରାଜ୍ୟ ଉତ୍ତମ ଉତ୍ତମ ମୁକ୍ତା ଅନ୍ଵେଷଣ କରୁଥିବା ଜଣେ ବଣିକ ସଦୃଶ ।

46 ଗୋଟିଏ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ଵ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା ।

47 ପୁନଶ୍ଚ ସ୍ଵର୍ଗରାଜ୍ୟ ସମୁଦ୍ରରେ ନିକ୍ଷିପ୍ତ ସର୍ବପ୍ରକାର ମତ୍ସ୍ୟ ସଂଗ୍ରହକାରୀ ଗୋଟିଏ ଟଣାଜାଲ ସଦୃଶ ।

48 ତାହା ପୂର୍ଣ୍ଣ ହୁଅନ୍ତେ ଲୋକେ କୂଳକୁ ଟାଣି ଆଣିଲେ, ପୁଣି ବସି ଭଲଯାକ ଖାଳୋଇରେ ଏକାଠି କରି ରଖିଲେ, କିନ୍ତୁ ମନ୍ଦଗୁଡ଼ାକ ଫୋପାଡ଼ିଦେଲେ ।

ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13

49 ଯୁଗା; ସମୟରେ ସେହିପରି ଘଟିବ; ଦୂତମାନେ ବାହାରି ଆସି ଧାର୍ମିକମାନଙ୍କ ମଧ୍ୟରୁ ଦୁଷ୍ଟମାନଙ୍କୁ ବିଭିନ୍ନ କରିବେ,

50 ପୁଣି ସେମାନଙ୍କୁ ଅଗ୍ନିକୁଣ୍ତରେ ପକାଇଦେବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ ।

51 ତୁମ୍ଭେମାନେ କଅଣ ଏହିସବୁ କଥା ବୁଝିଲ? ସେମାନେ ତାହାଙ୍କୁ କହିଲେ, ହଁ ।

52 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ତେବେ ଯେଉଁ ଗୃହକର୍ତ୍ତା ଆପଣା ଭଣ୍ତାରରୁ ନୂଆ ଓ ପୁରୁଣା ପଦାର୍ଥ ବାହାର କରେ, ସ୍ଵର୍ଗରାଜ୍ୟର ଶିଷ୍ୟ ହୋଇଥିବା ପ୍ରତ୍ୟେକ ଶାସ୍ତ୍ରୀ ତାହାରି ସଦୃଶ ।

ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13

53 ଯୀଶୁ ଏହିସମସ୍ତ ଦୃଷ୍ଟାନ୍ତ ସମାପ୍ତ କଲା ଉତ୍ତାରେ ସେହି ସ୍ଥାନରୁ ପ୍ରସ୍ଥାନ କଲେ ।

54 ଆଉ, ସେ ନିଜ ପୈତୃକ ନଗରକୁ ଆସି ଲୋକମାନଙ୍କୁ ସେମାନଙ୍କ ସମାଜଗୃହରେ ଏପରି ଶିକ୍ଷା ଦେଲେ ଯେ, ସେମାନେ ଆଶ୍ଚର୍ଯ୍ୟନ୍ଵିତ ହୋଇ କହିଲେ, ଏ ଲୋକର ଏପରି ବୁଦ୍ଧି ଓ ଶକ୍ତିର କାର୍ଯ୍ୟ କେଉଁଠାରୁ ହେଲା?

55 ଏ କି ସେହି ବଢ଼େଇର ପୁଅ ନୁହେଁ? ଏହାର ମାଆ ନାଁ କଅଣ ମରୀୟମ ନୁହେଁ? ପୁଣି ଏହାର ଭାଇମାନଙ୍କ ନାଁ କଅଣ ଯାକୁବ, ଯୋଷେଫ, ଶିମୋନ ଓ ଯିହୁଦା ନୁହେଁ?

ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13

56 ଆଉ, ଏହାର ଭଉଣୀମାନେ କଅଣ ସମସ୍ତେ ଆମ୍ଭମାନଙ୍କ ସାଙ୍ଗରେ ନାହାନ୍ତି? ତେବେ ସେ ଏହିସବୁ କେଉଁଠୁ ପାଇଲା?

57 ଆଉ, ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ । କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ଭାବବାଦୀ ନିଜ ପୈତୃକ ନଗର ଓ ସ୍ଵପରିବାର ବିନା ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ ।

58 ଆଉ, ସେ ସେମାନଙ୍କର ଅବିଶ୍ଵାସ ହେତୁ ସେଠାରେ ଅନେକ ଶକ୍ତିର କାର୍ଯ୍ୟ କଲେ ନାହିଁ ।