Oriya ବାଇବଲ |
ଯିଶାଇୟ total 66 ଅଧ୍ୟାୟଗୁଡ଼ିକ
ଯିଶାଇୟ ଅଧ୍ୟାୟ 22
1 ଦର୍ଶନ ଉପତ୍ୟକା ବିଷୟକ ଭାରୋକ୍ତି । ଏବେ ତୁମ୍ଭର କʼଣ ହେଉଅଛି ଯେ, ତୁମ୍ଭେ ସମସ୍ତେ ଗୃହର ଛାତ ଉପରକୁ ଯାଇଅଛ?
2 ହେ ଆନନ୍ଦ ଧ୍ଵନିପୂର୍ଣ୍ଣେ, କୋଳାହଳଯୁକ୍ତେ ନଗରୀ, ଉଲ୍ଲାସପ୍ରିୟେ ପୁରୀ; ତୁମ୍ଭର ହତ ଲୋକମାନେ ଖଡ଼୍ଗରେ ହତ ହୋଇ ନାହାନ୍ତି, କିଅବା ସେମାନେ ଯୁଦ୍ଧରେ ମରି ନାହାନ୍ତି ।
3 ତୁମ୍ଭର ଶାସନକର୍ତ୍ତା ସମସ୍ତେ ଏକାବେଳେ ପଳାଇଲେ, ସେମାନେ ଧନୁର୍ଦ୍ଧାରୀମାନଙ୍କ ଦ୍ଵାରା ବନ୍ଧା ଗଲେ; ତୁମ୍ଭ ମଧ୍ୟରେ ପ୍ରାପ୍ତ ସମସ୍ତ ଲୋକ ଏକତ୍ର ବନ୍ଧା ଗଲେ, ସେମାନେ ଦୂରକୁ ପଳାଇଲେ ।
ଯିଶାଇୟ ଅଧ୍ୟାୟ 22
4 ଏଥିପାଇଁ ମୁଁ କହିଲି, ମୋତେ ଛାଡ଼ି ଅନ୍ୟଆଡ଼େ ଅନାଅ, ମୁଁ ଅତିଶୟ ରୋଦନ କରିବି; ମୋʼ ଗୋଷ୍ଠୀୟ କନ୍ୟାର ସର୍ବନାଶ ବିଷୟରେ ମୋତେ ସାନ୍ତ୍ଵନା କରିବା ପାଇଁ ଚେଷ୍ଟା କର ନାହିଁ ।
5 କାରଣ ଦର୍ଶନ ଉପତ୍ୟକାରେ ପ୍ରଭୁଙ୍କର, ସୈନ୍ୟାଧିପତି ସଦାପ୍ରଭୁଙ୍କର ପ୍ରେରିତ ପରାଜୟର ଓ ଦଳନର ଓ ବ୍ୟାକୁଳତାର ପ୍ରାଚୀର ଭଗ୍ନ ହେବାର ଓ ପର୍ବତଗଣ ପ୍ରତି ଆର୍ତ୍ତନାଦ କରିବାର ଦିନ ଏହି ।
6 ପୁଣି, ଏଲମ ରଥାରୋହୀ ଓ ଅଶ୍ଵାରୋହୀ ସୈନ୍ୟ ସହିତ ତୂଣ ଧାରଣ କଲା ଓ କୀର୍ ଢାଲ ଅନାବୃତ କଲା ।
ଯିଶାଇୟ ଅଧ୍ୟାୟ 22
7 ପୁଣି, ତୁମ୍ଭର ଅତି ଉତ୍କୃଷ୍ଟ ଉପତ୍ୟକାସବୁ ରଥମାନଙ୍କରେ ପରିପୂର୍ଣ୍ଣ ଥିଲା ଓ ଅଶ୍ଵାରୋହୀମାନେ ନଗର-ଦ୍ଵାରରେ ସସଜ୍ଜ ହୋଇଥିଲେ ।
8 ପୁଣି, ସେ ଯିହୁଦାର ଓଢ଼ଣା କାଢ଼ି ପକାଇଲେ ଓ ସେହି ଦିନ ତୁମ୍ଭେ ବନଗୃହସ୍ଥ ଯୁଦ୍ଧାସ୍ତ୍ର ପ୍ରତି ଦୃଷ୍ଟି କଲ ।
9 ଆଉ, ଦାଉଦ-ନଗରର ଭଗ୍ନ ସ୍ଥାନ ଅନେକ ବୋଲି ତୁମ୍ଭେମାନେ ଦେଖିଲ ଓ ନୀଚସ୍ଥ ପୁଷ୍କରିଣୀର ଜଳସବୁ ଏକତ୍ର କଲ ।
10 ପୁଣି, ତୁମ୍ଭେମାନେ ଯିରୂଶାଲମସ୍ଥ ଗୃହସବୁ ଗଣନା କଲ ଓ ପ୍ରାଚୀର ଦୃଢ଼ କରିବା ପାଇଁ ଗୃହସବୁ ଭାଙ୍ଗିଲ ।
ଯିଶାଇୟ ଅଧ୍ୟାୟ 22
11 ମଧ୍ୟ ତୁମ୍ଭେମାନେ ପୁରାତନ ପୁଷ୍କରିଣୀର ଜଳ ନିମନ୍ତେ ଦୁଇ ପ୍ରାଚୀରର ମଧ୍ୟ ସ୍ଥାନରେ ଜଳାଶୟ ପ୍ରସ୍ତୁତ କଲ; ମାତ୍ର ଯେ ଏହା ସାଧନ କଲେ, ତୁମ୍ଭେମାନେ ତାହାଙ୍କ ପ୍ରତି ଅନାଇଲ ନାହିଁ, କିଅବା ଯେ ଦୀର୍ଘକାଳରୁ ଏଥିର ସଙ୍କଳ୍ପ କଲେ, ତୁମ୍ଭେମାନେ ତାହାଙ୍କୁ ଆଦର କଲ ନାହିଁ ।
12 ପୁଣି, ସେଦିନ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ରୋଦନ ଓ ବିଳାପ ଓ ମସ୍ତକ ମୁଣ୍ତନ ଓ କଟିଦେଶରେ ଚଟବନ୍ଧନ କରିବାକୁ ଡାକିଲେ;
13 ମାତ୍ର ଦେଖ, ଆମୋଦପ୍ରମୋଦ, ଗୋବଧ ଓ ମେଷହନନ, ମାଂସ ଭୋଜନ ଓ ଦ୍ରାକ୍ଷାରସ ପାନ ହେଉଅଛି; ଆସ, ଆମ୍ଭେମାନେ ଭୋଜନ ପାନ କରୁ, କାରଣ କାଲି ଆମ୍ଭେମାନେ ମରିବା ।
ଯିଶାଇୟ ଅଧ୍ୟାୟ 22
14 ପୁଣି, ସୈନ୍ୟାଧିପତି ସଦାପ୍ରଭୁ ସ୍ଵୟଂ ଆମ୍ଭ କର୍ଣ୍ଣଗୋଚରରେ ପ୍ରକାଶ କଲେ, ନିଶ୍ଚୟ ତୁମ୍ଭମାନଙ୍କର ମରଣକାଳ ପର୍ଯ୍ୟନ୍ତ ତୁମ୍ଭମାନଙ୍କର ଏହି ଅପରାଧ କ୍ଷମା ନୋହିବ, ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ଏରୂପ କହନ୍ତି ।
15 ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଏହି କୋଷାଧ୍ୟକ୍ଷ ନିକଟକୁ, ଅର୍ଥାତ୍, ଗୃହର ଅଧ୍ୟକ୍ଷ ଶୀବ୍ନ ନିକଟକୁ ଯାଇ କୁହ,
16 ତୁମ୍ଭେ ଏଠାରେ କଅଣ କରୁଅଛ? ଓ ଏଠାରେ ତୁମ୍ଭର କିଏ ଅଛି ଯେ, ତୁମ୍ଭେ ଆପଣା ପାଇଁ ଏକ କବର ଖୋଳିଅଛ? ସେ ତ ଉଚ୍ଚ ସ୍ଥାନରେ ଆପଣା କବର ଖୋଳିଅଛି ଓ ଶୈଳରେ ଆପଣା ନିମନ୍ତେ ବାସସ୍ଥାନ ଖୋଦନ କରିଅଛି!
ଯିଶାଇୟ ଅଧ୍ୟାୟ 22
17 ଦେଖ, ବୀରର ନ୍ୟାୟ ସଦାପ୍ରଭୁ ବଳରେ ତୁମ୍ଭକୁ ଫୋପାଡ଼ି ଦେବେ, ହଁ, ସେ ଦୃଢ଼ ରୂପେ ତୁମ୍ଭକୁ ଗୁଡ଼ାଇବେ ।
18 ନିଶ୍ଚୟ ସେ ପେଣ୍ତୁ ପରି ତୁମ୍ଭକୁ ବୁଲାଇ ଓ ଘୂରାଇ ଏକ ପ୍ରଶସ୍ତ ଦେଶରେ ନିକ୍ଷେପ କରିବେ; ସେଠାରେ ତୁମ୍ଭେ ମରିବ ଓ ସେଠାରେ ତୁମ୍ଭର ଗୌରବ ସ୍ଵରୂପ ରଥସବୁ ରହିବ, ତୁମ୍ଭେ ଆପଣା ପ୍ରଭୁଙ୍କ ଗୃହର କଳଙ୍କ ସ୍ଵରୂପ ।
19 ପୁଣି, ଆମ୍ଭେ ତୁମ୍ଭକୁ ତୁମ୍ଭ ପଦରୁ ତଡ଼ି ଦେବା ଓ ସେ ତୁମ୍ଭକୁ ତୁମ୍ଭ ସ୍ଥାନରୁ ଟାଣି ଆଣି ତଳକୁ ପକାଇବେ ।
ଯିଶାଇୟ ଅଧ୍ୟାୟ 22
20 ଆଉ, ସେଦିନ ଆମ୍ଭେ ଆପଣା ଦାସକୁ, ହିଲ୍କୀୟର ପୁତ୍ର ଇଲୀୟାକୀମ୍କୁ ଡାକିବା;
21 ପୁଣି, ଆମ୍ଭେ ତୁମ୍ଭର ଚୋଗା ତାହାକୁ ପରିଧାନ କରାଇବା ଓ ତୁମ୍ଭ କଟିବନ୍ଧନୀରେ ତାହାକୁ ବଳବାନ କରିବା ଓ ତୁମ୍ଭର କର୍ତ୍ତୃତ୍ଵାଧିକାର ତାହା ହସ୍ତରେ ସମର୍ପଣ କରିବା; ତହିଁରେ ସେ ଯିରୂଶାଲମ ନିବାସୀମାନଙ୍କର ଓ ଯିହୁଦା ବଂଶର ପିତା ହେବ ।
22 ପୁଣି, ଆମ୍ଭେ ଦାଉଦ-ବଂଶର ଚାବି ତାହାର ସ୍କନ୍ଧରେ ରଖିବା, ସେ ଫିଟାଇଲେ, କେହି ବନ୍ଦ କରିବ ନାହିଁ ଓ ସେ ବନ୍ଦ କଲେ, କେହି ଫିଟାଇବ ନାହିଁ ।
ଯିଶାଇୟ ଅଧ୍ୟାୟ 22
23 ଆଉ, ଆମ୍ଭେ ଖିଲ ପରି ଏକ ଦୃଢ଼ ସ୍ଥାନରେ ତାହାକୁ ବିଦ୍ଧ କରିବା ଓ ସେ ଆପଣା ପିତୃବଂଶର ଗୌରବର ସିଂହାସନ ସ୍ଵରୂପ ହେବ ।
24 ପୁଣି, ଲୋକମାନେ ତାହାର ପିତୃବଂଶର ସକଳ ଗୌରବ, ସନ୍ତାନସନ୍ତତି ଓ ପାନପାତ୍ରଠାରୁ କଳଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷୁଦ୍ର ପାତ୍ର ତାହା ଉପରେ ଟଙ୍ଗାଇବେ ।
25 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଯେଉଁ ଖିଲ ଦୃଢ଼ ସ୍ଥାନରେ ବଦ୍ଧ ଥିଲା, ତାହା ସେଦିନ ଅପସରି ଯିବ ଓ ତାହା ଖୋଦିତ ହୋଇ ତଳେ ପଡ଼ିବ, ପୁଣି ତାହା ଉପରେ ଥିବାର ବୋଝ ନଷ୍ଟ ହେବ; କାରଣ ସଦାପ୍ରଭୁ ଏହା କହିଅଛନ୍ତି ।