Oriya ବାଇବଲ |
ଆଦି ପୁସ୍ତକ total 50 ଅଧ୍ୟାୟଗୁଡ଼ିକ
ଆଦି ପୁସ୍ତକ
ଆଦି ପୁସ୍ତକ ଅଧ୍ୟାୟ 34
ଆଦି ପୁସ୍ତକ ଅଧ୍ୟାୟ 34
1 ଅନନ୍ତର ଲେୟାଠାରୁ ଜାତ ଦୀଣା ନାମ୍ନୀ ଯାକୁବର କନ୍ୟା ସେହି ଦେଶର କନ୍ୟାମାନଙ୍କ ସଙ୍ଗେ ଦେଖା କରିବାକୁ ବାହାରକୁ ଗଲା ।
2 ତହିଁରେ ହିବ୍ବୀୟ ହମୋର ନାମକ ଦେଶାଧିପତିର ପୁତ୍ର ଶିଖିମ ତାହାକୁ ଦେଖିଲା; ପୁଣି ତାହାକୁ ନେଇ ତାହା ସହିତ ଶୟନ କରି ତାହାକୁ ଭ୍ରଷ୍ଟା କଲା ।
3 ଆଉ ଯାକୁବର ସେହି କନ୍ୟା ଦୀଣାଠାରେ ତାହାର ମନ ଅନୁରକ୍ତ ହେବାରୁ ସେ ସେହି ଯୁବତୀକି ପ୍ରେମ କରି ତାକୁ ପ୍ରୀତିଜନକ ବାକ୍ୟ କହିଲା ।
ଆଦି ପୁସ୍ତକ ଅଧ୍ୟାୟ 34
4 ଅନନ୍ତର ଶିଖିମ ଆପଣା ପିତା ହମୋରକୁ କହିଲା, ତୁମ୍ଭେ ଏହି ଯୁବତୀ ସଙ୍ଗେ ମୋତେ ବିବାହ କରି ଦିଅ ।
5 ଏଥିଉତ୍ତାରେ ଯାକୁବ ଆପଣାର କନ୍ୟା ଦୀଣାକୁ ଶିଖିମ ଭ୍ରଷ୍ଟା କରିଥିବାର କଥା ଶୁଣିଲା; ସେହି ସମୟରେ ତାହାର ପୁତ୍ରମାନେ କ୍ଷେତ୍ରରେ ପଶୁପଲ ସଙ୍ଗରେ ଥିବାରୁ ଯାକୁବ ସେମାନଙ୍କ ଆସିବା ଯାଏ ତୁନି ହୋଇ ରହିଲା ।
6 ଏଥିମଧ୍ୟରେ ଶିଖିମର ପିତା ହମୋର ଯାକୁବ ସହିତ କଥାବାର୍ତ୍ତା କରିବାକୁ ଗଲା ।
ଆଦି ପୁସ୍ତକ ଅଧ୍ୟାୟ 34
7 ଆଉ ଯାକୁବର ପୁତ୍ରମାନେ ସେହି ସମ୍ଵାଦ ପାଇ କ୍ଷେତ୍ରରୁ ଆସିଥିଲେ; ପୁଣି ଶିଖିମ ଯାକୁବର କନ୍ୟା ସହିତ ଶୟନ କରି ଇସ୍ରାଏଲ ବିରୁଦ୍ଧରେ ଯେଉଁ ଅକର୍ତ୍ତବ୍ୟ ମୂଢ଼ କର୍ମ କରିଥିଲା, ତହିଁ ସକାଶେ ସେମାନେ ମନସ୍ତାପିତ ଓ ଅତି କ୍ରୋଧାନ୍ଵିତ ଥିଲେ ।
8 ସେତେବେଳେ ହମୋର ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରି କହିଲା, ତୁମ୍ଭମାନଙ୍କର ଏହି କନ୍ୟାଠାରେ ମୋʼ ପୁତ୍ର ଶିଖିମର ମନ ଆସକ୍ତ ହୋଇଅଛି; ମୁଁ ନିବେଦନ କରୁଅଛି, ମୋʼ ପୁତ୍ର ସଙ୍ଗେ ତାହାକୁ ବିବାହ କରିଦିଅ ।
ଆଦି ପୁସ୍ତକ ଅଧ୍ୟାୟ 34
9 ପୁଣି ଆମ୍ଭମାନଙ୍କ ସଙ୍ଗେ ବିବାହ ସମ୍ଵନ୍ଧ ରଖ, ତୁମ୍ଭମାନଙ୍କ କନ୍ୟା ଆମ୍ଭମାନଙ୍କୁ ଦିଅ, ଆମ୍ଭମାନଙ୍କ କନ୍ୟା ତୁମ୍ଭେମାନେ ନିଅ ।
10 ତାହାହେଲେ, ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ବାସ କରିବ; ଦେଶଯାକ ତୁମ୍ଭମାନଙ୍କର ଆଗରେ ପଡ଼ିଛି, ତହିଁରେ ବାସ କର ଓ ବାଣିଜ୍ୟ କର ଓ ଅଧିକାର କର ।
11 ପୁଣି ଶିଖିମ ଦୀଣାର ପିତାକୁ ଓ ଭ୍ରାତୃଗଣକୁ କହିଲା, ମୋʼ ପ୍ରତି ତୁମ୍ଭମାନଙ୍କର ଅନୁଗ୍ରହ ଦୃଷ୍ଟି ହେଉ, ତହିଁରେ ଯାହା କହିବ, ତାହା ମୁଁ ଦେବି ।
ଆଦି ପୁସ୍ତକ ଅଧ୍ୟାୟ 34
12 ଯୌତୁକ ଓ ଦାନ ଯେତେ ଅଧିକ ମାଗିବ, ତୁମ୍ଭମାନଙ୍କ କଥାନୁସାରେ ତାହା ଦେବି; ମାତ୍ର କୌଣସିମତେ ମୋʼ ସଙ୍ଗେ ଏହି କନ୍ୟାକୁ ବିବାହ କରିଦିଅ ।
13 ତେବେ ଶିଖିମ ଯାକୁବର ପୁତ୍ରମାନଙ୍କ ଭଉଣୀ ଦୀଣାକୁ ଭ୍ରଷ୍ଟା କରିଥିବାରୁ ସେମାନେ ଶିଖିମ ଓ ତାହାର ପିତା ହମୋର ସଙ୍ଗେ ଛଳ ଭାବରେ କଥାବାର୍ତ୍ତା କରି କହିଲେ,
14 ଆମ୍ଭେମାନେ ଅସୁନ୍ନତ ଲୋକକୁ ଆପଣା ଭଉଣୀକୁ ଦେବାର କର୍ମ କରି ନ ପାରୁ, ତାହା କଲେ, ଆମ୍ଭମାନଙ୍କର ଅପଖ୍ୟାତି ହେବ ।
ଆଦି ପୁସ୍ତକ ଅଧ୍ୟାୟ 34
15 ଯେବେ କେବଳ ଗୋଟିଏ କର୍ମ କରିବ, ଆମ୍ଭମାନଙ୍କ ପରି ତୁମ୍ଭେମାନେ ପ୍ରତ୍ୟେକ ପୁରୁଷ ସୁନ୍ନତ ହେବ, ତେବେ ଆମ୍ଭେମାନେ ତୁମ୍ଭମାନଙ୍କ କଥାରେ ସମ୍ମତ ହେବା ।
16 ଆମ୍ଭେମାନେ ତୁମ୍ଭମାନଙ୍କୁ କନ୍ୟା ଦାନ କରିବା ଓ ତୁମ୍ଭମାନଙ୍କ କନ୍ୟା ଗ୍ରହଣ କରିବା, ପୁଣି ତୁମ୍ଭମାନଙ୍କ ସଙ୍ଗରେ ବାସ କରି ଏକ-ଲୋକ ହେବା ।
17 ମାତ୍ର ତୁମ୍ଭେମାନେ ଯେବେ ସୁନ୍ନତ ବିଷୟରେ ଆମ୍ଭମାନଙ୍କ କଥା ନ ଶୁଣ, ତେବେ ଆମ୍ଭେମାନେ ସେହି କନ୍ୟାକୁ ଘେନି ଚାଲିଯିବା ।
ଆଦି ପୁସ୍ତକ ଅଧ୍ୟାୟ 34
18 ସେତେବେଳେ ସେମାନଙ୍କର ଏହି କଥାରେ ହମୋର ଓ ତାହାର ପୁତ୍ର ଶିଖିମ ସନ୍ତୁଷ୍ଟ ହେଲେ ।
19 ପୁଣି ସେହି ଯୁବା ଅତିଶୀଘ୍ର ସେ କର୍ମ କଲା, କାରଣ ସେ ଯାକୁବର କନ୍ୟାଠାରେ ଅତିଶୟ ଆସକ୍ତ ଥିଲା । ସେହି ଶିଖିମ ଆପଣା ପିତୃପରିବାର ସମସ୍ତଙ୍କଠାରୁ ଅଧିକ ସମ୍ଭ୍ରାନ୍ତ ଥିଲା ।
20 ଅନନ୍ତର ହମୋର ଓ ତାହାର ପୁତ୍ର ଶିଖିମ ଆପଣା ନଗରଦ୍ଵାରକୁ ଆସି ନଗର ନିବାସୀମାନଙ୍କ ସହିତ କଥାବାର୍ତ୍ତା କରି କହିଲେ;
21 ଏହି ଲୋକମାନେ ଆମ୍ଭମାନଙ୍କ ସହିତ ନିର୍ବିରୋଧୀ; ଏଣୁକରି ଏମାନଙ୍କୁ ଏହି ଦେଶରେ ବାସ ଓ ବାଣିଜ୍ୟ କରିବାକୁ ଦିଆଯାଉ; କାରଣ ଦେଖ, ଏ ଦେଶ ସେମାନଙ୍କ ନିମନ୍ତେ ଯଥେଷ୍ଟ ଅଟଇ; ପୁଣି ଆମ୍ଭେମାନେ ସେମାନଙ୍କ କନ୍ୟା ଗ୍ରହଣ କରିବା ଓ ଆମ୍ଭମାନଙ୍କ କନ୍ୟା ସେମାନଙ୍କୁ ଦେବା ।
ଆଦି ପୁସ୍ତକ ଅଧ୍ୟାୟ 34
22 ମାତ୍ର ସେମାନଙ୍କର ଏହି ଏକ ପଣ ଅଛି, କି ଆମ୍ଭମାନଙ୍କ ମଧ୍ୟରେ ପ୍ରତ୍ୟେକ ପୁରୁଷ ଯେବେ ସେମାନଙ୍କ ପରି ସୁନ୍ନତ ହେବ, ତେବେ ସେମାନେ ଆମ୍ଭମାନଙ୍କ ସଙ୍ଗରେ ବାସ କରି ଏକ-ଲୋକ ହେବାକୁ ସମ୍ମତ ହେବେ ।
23 ସେମାନଙ୍କ ଧନ, ସମ୍ପତ୍ତି ଓ ପଶୁଗଣ କି ଆମ୍ଭମାନଙ୍କର ହେବ ନାହିଁ? କେବଳ ଆମ୍ଭେମାନେ ସେମାନଙ୍କ କଥା ଅଙ୍ଗୀକାର କରୁ, ତାହା କଲେ, ସେମାନେ ଆମ୍ଭମାନଙ୍କ ସଙ୍ଗେ ବାସ କରିବେ ।
24 ସେତେବେଳେ ହମୋର ଓ ତାହାର ପୁତ୍ର ଶିଖିମର ଏହି କଥାରେ ତାହାର ନଗରଦ୍ଵାର ଦେଇ ବହିର୍ଗମନକାରୀ ସମସ୍ତ ଲୋକ ସମ୍ମତ ହେଲେ; ତହିଁରେ ତାହାର ନଗରଦ୍ଵାର ଦେଇ ବହିର୍ଗମନକାରୀ ପ୍ରତ୍ୟେକ ପୁରୁଷର ସୁନ୍ନତ ହେଲା ।
ଆଦି ପୁସ୍ତକ ଅଧ୍ୟାୟ 34
25 ଆଉ ତୃତୀୟ ଦିନରେ ସେମାନେ ପୀଡ଼ିତ ହୁଅନ୍ତେ, ଦୀଣାର ଭ୍ରାତା ଶିମୀୟୋନ୍ ଓ ଲେବୀ, ଯାକୁବର ଏହି ଦୁଇ ପୁତ୍ର ଆପଣା ଖଡ଼୍ଗ ଘେନି ନିର୍ଭୟରେ ନଗର ଆକ୍ରମଣ କରି ସବୁ ପୁରୁଷମାନଙ୍କୁ ବଧ କଲେ ।
26 ପୁଣି ହମୋରକୁ ଓ ତାହାର ପୁତ୍ର ଶିଖିମକୁ ଖଡ଼୍ଗାଘାତରେ ବଧ କରି ଶିଖିମର ଗୃହରୁ ଦୀଣାକୁ ନେଇଗଲେ ।
27 ଯାକୁବର ପୁତ୍ରମାନେ ହତ ଲୋକମାନଙ୍କ ନିକଟକୁ ଆସି ନଗର ଲୁଟ କଲେ, କାରଣ ସେମାନଙ୍କ ଭଉଣୀକି ସେହି ଲୋକମାନେ ଭ୍ରଷ୍ଟା କରିଥିଲେ ।
ଆଦି ପୁସ୍ତକ ଅଧ୍ୟାୟ 34
28 ପୁଣି ସେମାନଙ୍କ ମେଷ ଓ ଗୋରୁ ଓ ଗଧସବୁ, ଆଉ ନଗରସ୍ଥ ଓ କ୍ଷେତ୍ରସ୍ଥ ସମସ୍ତ ଦ୍ରବ୍ୟ ହରଣ କଲେ ।
29 ଆଉ ସେମାନଙ୍କ ଶିଶୁ ଓ ଭାର୍ଯ୍ୟାମାନଙ୍କୁ ବନ୍ଦୀ କରି ସମସ୍ତ ଧନ ଓ ଗୃହର ସର୍ବସ୍ଵ ଲୁଟ କଲେ ।
30 ତହୁଁ ଯାକୁବ ଶିମୀୟୋନ୍ ଓ ଲେବୀକି କହିଲା, ତୁମ୍ଭେମାନେ ଏ ଦେଶରେ, ଅର୍ଥାତ୍, କିଣାନୀୟ ଓ ପିରିଜୀୟ ଲୋକମାନଙ୍କ ନିକଟରେ ମୋତେ ଦୁର୍ଗନ୍ଧ ସ୍ଵରୂପ କରି ବ୍ୟାକୁଳ କଲ; ମୋହର ଲୋକ ଅଳ୍ପ, ଏଣୁକରି ସେମାନେ ମୋʼ ବିରୁଦ୍ଧରେ ଏକତ୍ର ହୋଇ ମୋତେ ବଧ କରିବେ; ତହିଁରେ ସପରିବାରରେ ବିନଷ୍ଟ ହେବି ।
ଆଦି ପୁସ୍ତକ ଅଧ୍ୟାୟ 34
31 ସେମାନେ ଉତ୍ତର କଲେ, ବେଶ୍ୟା ପରି ଆମ୍ଭମାନଙ୍କ ଭଉଣୀ ସଙ୍ଗେ ବ୍ୟବହାର କରିବା କି ତାହାର କର୍ତ୍ତବ୍ୟ?