Oriya ବାଇବଲ |

ଯିହିଜିକଲ total 48 ଅଧ୍ୟାୟଗୁଡ଼ିକ

ଯିହିଜିକଲ

ଯିହିଜିକଲ ଅଧ୍ୟାୟ 19
ଯିହିଜିକଲ ଅଧ୍ୟାୟ 19

1 ଆହୁରି, ତୁମ୍ଭେ ଇସ୍ରାଏଲର ଅଧିପତିଗଣ ବିଷୟରେ ବିଳାପ କରି କୁହ,

2 ତୁମ୍ଭର ମାତା କଅଣ ଥିଲା? ସେ ତ ସିଂହୀ; ସେ ସିଂହଗଣ ମଧ୍ୟରେ ଶୟନ କଲା, ଯୁବା ସିଂହଗଣ ମଧ୍ୟରେ ଆପଣା ଛୁଆମାନଙ୍କୁ ପ୍ରତିପାଳନ କଲା ।

3 ତାହାର ପ୍ରତିପାଳିତ ଛୁଆମାନଙ୍କ ମଧ୍ୟରୁ ଗୋଟିଏ ଛୁଆ ଯୁବା ସିଂହ ହେଲା; ସେ ମୃଗୟା କରିବାକୁ ଶିଖିଲା, ସେ ମନୁଷ୍ୟମାନଙ୍କୁ ଗ୍ରାସ କଲା ।

4 ନାନା ଦେଶୀୟମାନେ ତାହାର ବିଷୟ ଶୁଣିଲେ, ସେମାନଙ୍କର ଗର୍ତ୍ତରେ ସେ ଧରା ପଡ଼ିଲା ଓ ସେମାନେ ଅଙ୍କୁଶ ଦ୍ଵାରା ତାହାକୁ ମିସର ଦେଶକୁ ଆଣିଲେ ।

ଯିହିଜିକଲ ଅଧ୍ୟାୟ 19

5 ଅପେକ୍ଷା କରି ଆପଣା ଆପଣା ଆଶା ବିଫଳ ହେବାର ଦେଖି ସେ ଆପଣା ଛୁଆମାନଙ୍କ ମଧ୍ୟରୁ ଆଉ ଗୋଟିଏ ନେଇ ତାକୁ ଯୁବା ସିଂହ କଲା ।

6 ପୁଣି, ସେ ସିଂହମାନଙ୍କ ମଧ୍ୟରେ ଗତାୟାତ କରି ଯୁବା ସିଂହ ହୋଇ ଉଠିଲା; ଆହୁରି ସେ ମୃଗୟା କରିବାକୁ ଶିଖିଲା, ସେ ମନୁଷ୍ୟମାନଙ୍କୁ ଗ୍ରାସ କଲା ।

7 ଆଉ, ସେ ସେମାନଙ୍କର ଅଟ୍ଟାଳିକାସବୁ ଜାଣିଲା ଓ ସେମାନଙ୍କର ନଗରସବୁ ଉଜାଡ଼ କଲା; ଆଉ, ତାହାର ଗର୍ଜନର ଶଦ୍ଦ ସକାଶୁ ଦେଶ ଓ ତହିଁର ପୂର୍ଣ୍ଣତାସକଳ ଶୂନ୍ୟ ହେଲା ।

ଯିହିଜିକଲ ଅଧ୍ୟାୟ 19

8 ତହିଁରେ ନାନା ପ୍ରଦେଶରୁ ଗୋଷ୍ଠୀୟମାନେ ଆସି ତାହାର ବିରୁଦ୍ଧରେ ଚାରିଆଡ଼େ ଉଠିଲେ; ଆଉ, ସେମାନେ ତାହାର ଉପରେ ଆପଣାମାନଙ୍କର ଜାଲ ପ୍ରସାରିଲେ; ସେ ସେମାନଙ୍କ ଗର୍ତ୍ତରେ ଧରା ପଡ଼ିଲା ।

9 ଆଉ, ସେମାନେ ତାକୁ ଅଙ୍କୁଶ ଦ୍ଵାରା ପିଞ୍ଜରରେ ରଖି ବାବିଲ ରାଜା ନିକଟକୁ ନେଇଗଲେ; ଇସ୍ରାଏଲର ପର୍ବତସମୂହରେ ତାହାର ହୁଙ୍କାର ଶଦ୍ଦ ଯେପରି ଆଉ ଶୁଣା ନ ଯାଏ, ଏଥିପାଇଁ ସେମାନେ ତାହାକୁ ଦୃଢ଼ ଗଡ଼ ମଧ୍ୟକୁ ନେଇଗଲେ ।

10 ତୁମ୍ଭର ରକ୍ତରେ ତୁମ୍ଭର ମାତା ଜଳରାଶି ନିକଟରେ ରୋପିତ ଦ୍ରାକ୍ଷାଲତା ସ୍ଵରୂପ ଥିଲା; ଅନେକ ଜଳ ସକାଶୁ ସେ ଫଳବତୀ ଓ ଶାଖାରେ ପରିପୂର୍ଣ୍ଣ ଥିଲା ।

ଯିହିଜିକଲ ଅଧ୍ୟାୟ 19

11 ପୁଣି, କର୍ତ୍ତୃତ୍ଵକାରୀମାନଙ୍କର ରାଜଦଣ୍ତ ହେବା ନିମନ୍ତେ ତାହାର ଶାଖାସବୁ ଦୃଢ଼ ହୋଇଥିଲା, ଗହଳ ଶାଖାମାନର ମଧ୍ୟରେ ସେସବୁ ଦୀର୍ଘତାରେ ଉଚ୍ଚୀକୃତ ହୋଇଥିଲା, ଆଉ ସେସବୁ ସ୍ଵ ଉଚ୍ଚତାରେ ଓ ଶାଖାର ବାହୁଲ୍ୟରେ ଦେଖାଗଲା ।

12 ମାତ୍ର କୋପରେ ସେ ଉତ୍ପାଟିତ ହେଲା, ଭୂମିରେ ନିକ୍ଷିପ୍ତ ହେଲା ଓ ପୂର୍ବୀୟ ବାୟୁ ତାହାର ଫଳ ଶୁଷ୍କ କଲା; ତାହାର ଦୃଢ଼ ଶାଖାସବୁ ଭଗ୍ନ ଓ ଶୁଷ୍କ ହେଲା; ଅଗ୍ନି ସେସବୁକୁ ଗ୍ରାସ କଲା ।

13 ପୁଣି, ଏବେ ସେ ପ୍ରାନ୍ତର ମଧ୍ୟରେ ନିର୍ଜଳ ଓ ଶୁଷ୍କ ଭୂମିରେ ରୋପିତ ହୋଇଅଛି ।

ଯିହିଜିକଲ ଅଧ୍ୟାୟ 19

14 ଆଉ, ତାହାର ଶାଖା ଦଣ୍ତସମୂହରୁ ଅଗ୍ନି ନିର୍ଗତ ହୋଇ ତାହାର ଫଳ ଗ୍ରାସ କରିଅଛି; ଏହେତୁ ରାଜଦଣ୍ତ ହେବା ପାଇଁ ତାହାର ଗୋଟିଏ ଦୃଢ଼ ଶାଖା ନାହିଁ । ଏହା ବିଳାପର ବିଷୟ ଅଟେ ଓ ବିଳାପଜନକ ହେବ ।