Oriya ବାଇବଲ |

ଦିତୀୟ ବିବରଣ total 34 ଅଧ୍ୟାୟଗୁଡ଼ିକ

ଦିତୀୟ ବିବରଣ

ଦିତୀୟ ବିବରଣ ଅଧ୍ୟାୟ 1
ଦିତୀୟ ବିବରଣ ଅଧ୍ୟାୟ 1

1 ପାରଣ ଓ ତୋଫଲ ଓ ଲାବନ ଓ ହତ୍ସେରୋତ୍ ଓ ଦୀଷାହବର ମଧ୍ୟସ୍ଥାନରେ ସୂଫ ସମ୍ମୁଖସ୍ଥିତ ପଦାରେ, ଅର୍ଥାତ୍, ଯର୍ଦ୍ଦନର ପୂର୍ବପାରସ୍ଥିତ ପ୍ରାନ୍ତରରେ ମୋଶା ସମୁଦାୟ ଇସ୍ରାଏଲଙ୍କୁ ଏହିସବୁ କଥା କହିଲେ ।

2 ସେୟୀର ପର୍ବତ ଦେଇ ହୋରେବଠାରୁ କାଦେଶ-ବର୍ଣ୍ଣେୟ ପର୍ଯ୍ୟନ୍ତ ଏଗାର ଦିନର ଯାତ୍ରା ଅଟେ ।

3 ସଦାପ୍ରଭୁ ଯେ ଯେ କଥା ଇସ୍ରାଏଲ-ସନ୍ତାନଗଣକୁ କହିବା ପାଇଁ ମୋଶାଙ୍କୁ ଆଜ୍ଞା ଦେଇଥିଲେ, ତଦନୁସାରେ ମୋଶା ଚାଳିଶତମ ବର୍ଷର ଏକାଦଶ ମାସର ପ୍ରଥମ ଦିନରେ ସେମାନଙ୍କୁ କହିଲେ ।

ଦିତୀୟ ବିବରଣ ଅଧ୍ୟାୟ 1

4 ହିଷ୍ବୋନ୍ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ଅଷ୍ଟାରୋତ୍ ନିବାସୀ ବାଶନର ରାଜା ଓଗକୁ ଇଦ୍ରିୟୀରେ ସଂହାର କଲା ଉତ୍ତାରେ

5 ଯର୍ଦ୍ଦନର ପୂର୍ବପାରସ୍ଥିତ ମୋୟାବ ଦେଶରେ ମୋଶା ଏହି ବ୍ୟବସ୍ଥା ବ୍ୟାଖ୍ୟା କରିବାକୁ ଆରମ୍ଭ କଲେ ।

6 ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ଵର ହୋରେବରେ ଆମ୍ଭମାନଙ୍କୁ କହିଲେ, ତୁମ୍ଭେମାନେ ଏହି ପର୍ବତରେ ଯଥେଷ୍ଟ କାଳ ବାସ କରିଅଛ;

7 ଏବେ ଫେରି ଇମୋରୀୟମାନଙ୍କ ପର୍ବତମୟ ଦେଶ ଓ ତନ୍ନିକଟବର୍ତ୍ତୀ ପଦା ଓ ପର୍ବତ ଓ ତଳଭୂମି ଓ ଦକ୍ଷିଣ ପ୍ରଦେଶ ଓ ସମୁଦ୍ରତୀର ଇତ୍ୟାଦି କିଣାନୀୟମାନଙ୍କ ସମସ୍ତ ଦେଶ ଓ ଲିବାନୋନ ଦେଇ ମହାନଦୀ ଫରାତ୍ ପର୍ଯ୍ୟନ୍ତ ଯାତ୍ରା କର ।

ଦିତୀୟ ବିବରଣ ଅଧ୍ୟାୟ 1

8 ଦେଖ, ଆମ୍ଭେ ତୁମ୍ଭମାନଙ୍କ ଆଗରେ ଏହି ଦେଶ ସମର୍ପଣ କରିଅଛୁ; ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମକୁ ଓ ଇସ୍‍ହାକକୁ ଓ ଯାକୁବକୁ ଓ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଥିଲେ, ତୁମ୍ଭେମାନେ ସେହି ଦେଶକୁ ଯାଇ ତାହା ଅଧିକାର କର ।

9 ପୁଣି ସେସମୟରେ ମୁଁ ତୁମ୍ଭମାନଙ୍କୁ କହିଲି, ମୁଁ ଏକାକୀ ତୁମ୍ଭମାନଙ୍କ ଭାର ବହିବାକୁ ଅସମର୍ଥ;

10 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ଵର ତୁମ୍ଭମାନଙ୍କୁ ବୃଦ୍ଧି କରିଅଛନ୍ତି, ଏଣୁ ଦେଖ, ତୁମ୍ଭେମାନେ ଆଜି ଆକାଶର ତାରାଗଣ ତୁଲ୍ୟ ବହୁସଂଖ୍ୟକ ହୋଇଅଛ ।

ଦିତୀୟ ବିବରଣ ଅଧ୍ୟାୟ 1

11 ତୁମ୍ଭେମାନେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପୈତୃକ ପରମେଶ୍ଵର ତୁମ୍ଭମାନଙ୍କୁ ତହିଁର ସହସ୍ରଗୁଣ କରନ୍ତୁ ଓ ସେ ଯେରୂପ ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି, ତଦ୍ରୂପ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ।

12 ମୁଁ କିରୂପେ ଏକାକୀ ତୁମ୍ଭମାନଙ୍କର ଏତେ ବୋଝ ଓ ଭାର ଓ ବିବାଦ ସହ୍ୟ କରି ପାରିବି?

13 ତୁମ୍ଭେମାନେ ଆପଣା ଆପଣା ବଂଶାନୁସାରେ ଜ୍ଞାନୀ ଓ ବୁଦ୍ଧିମାନ ଓ ବିଖ୍ୟାତ ଲୋକମାନଙ୍କୁ ମନୋନୀତ କର, ମୁଁ ସେମାନଙ୍କୁ ତୁମ୍ଭମାନଙ୍କ ଉପରେ ପ୍ରଧାନ ରୂପେ ନିଯୁକ୍ତ କରିବି ।

ଦିତୀୟ ବିବରଣ ଅଧ୍ୟାୟ 1

14 ଏଥିରେ ତୁମ୍ଭେମାନେ ମୋତେ ଉତ୍ତର ଦେଇ କହିଲ, ତୁମ୍ଭେ ଯାହା କହିଲ, ତାହା ଆମ୍ଭମାନଙ୍କର କରିବା ଭଲ ।

15 ତହୁଁ ମୁଁ ତୁମ୍ଭମାନଙ୍କ ବଂଶସମୂହ ମଧ୍ୟରୁ ପ୍ରଧାନ, ଜ୍ଞାନୀ ଓ ବିଖ୍ୟାତ ଲୋକମାନଙ୍କୁ ନେଇ ତୁମ୍ଭମାନଙ୍କ ବଂଶାନୁସାରେ ତୁମ୍ଭମାନଙ୍କ ଉପରେ ପ୍ରଧାନ ଓ ସହସ୍ରପତି ଓ ଶତପତି ଓ ପଚାଶତପତି ଓ ଦଶପତି ଓ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କଲି ।

16 ପୁଣି ମୁଁ ସେସମୟରେ ତୁମ୍ଭମାନଙ୍କର ବିଚାର-କର୍ତ୍ତୃଗଣକୁ ଆଜ୍ଞା ଦେଇ କହିଲି, ତୁମ୍ଭେମାନେ ଆପଣା ଆପଣା ଭାଇମାନଙ୍କ ମଧ୍ୟରେ ବିବାଦ ଶୁଣ, ପୁଣି ମନୁଷ୍ୟ ଓ ତାହାର ଭାଇ ଓ ତାହାର ସହବାସୀ ବିଦେଶୀ ମଧ୍ୟରେ ଯଥାର୍ଥ ବିଚାର କର ।

ଦିତୀୟ ବିବରଣ ଅଧ୍ୟାୟ 1

17 ତୁମ୍ଭେମାନେ ବିଚାରରେ କାହାରି ମୁଖାପେକ୍ଷା କରିବ ନାହିଁ; ତୁମ୍ଭେମାନେ ସାନ ଓ ବଡ଼ ଲୋକର କଥା ସମଭାବରେ ଶୁଣିବ; ତୁମ୍ଭେମାନେ ମନୁଷ୍ୟର ମୁଖକୁ ଭୟ କରିବ ନାହିଁ; କାରଣ ବିଚାର ପରମେଶ୍ଵରଙ୍କର ଅଟେ; ପୁଣି ଯେଉଁ କଥା ତୁମ୍ଭମାନଙ୍କ ପ୍ରତି ଦୁଷ୍କର ହୁଏ, ତାହା ତୁମ୍ଭେମାନେ ମୋʼ କତିକି ଆଣିବ, ମୁଁ ତାହା ଶୁଣିବି ।

18 ପୁଣି ମୁଁ ସେସମୟରେ ତୁମ୍ଭମାନଙ୍କର ସମସ୍ତ କର୍ତ୍ତବ୍ୟକର୍ମ ବିଷୟ ଆଜ୍ଞା ଦେଇଥିଲି ।

19 ଅନନ୍ତର ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଆଜ୍ଞାନୁସାରେ ଆମ୍ଭେମାନେ ହୋରେବଠାରୁ ଯାତ୍ରା କଲୁ, ପୁଣି ଇମୋରୀୟମାନଙ୍କ ପର୍ବତମୟ ଦେଶକୁ ଯିବା ପଥରେ ତୁମ୍ଭେମାନେ ଯେଉଁ ବିସ୍ତୀର୍ଣ୍ଣ ଓ ଭୟଙ୍କର ପ୍ରାନ୍ତର ଦେଖିଲ, ତହିଁର ମଧ୍ୟ ଦେଇ ଯାଇ କାଦେଶ-ବର୍ଣ୍ଣେୟରେ ପହଞ୍ଚିଲୁ ।

ଦିତୀୟ ବିବରଣ ଅଧ୍ୟାୟ 1

20 ଏଉତ୍ତାରେ ମୁଁ ତୁମ୍ଭମାନଙ୍କୁ କହିଲି, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କୁ ଇମୋରୀୟମାନଙ୍କର ଯେଉଁ ପର୍ବତମୟ ଦେଶ ଦେବେ, ସେଠାରେ ତୁମ୍ଭେମାନେ ଉପସ୍ଥିତ ହୋଇଅଛ ।

21 ଦେଖ, ସଦାପ୍ରଭୁ ତୁମ୍ଭର ପରମେଶ୍ଵର ତୁମ୍ଭ ଆଗରେ ସେହି ଦେଶ ସମର୍ପଣ କରିଅଛନ୍ତି; ସଦାପ୍ରଭୁ ଆପଣା ପୈତୃକ ପରମେଶ୍ଵରଙ୍କ ଆଜ୍ଞାନୁସାରେ ତୁମ୍ଭେ ଯାଇ ତାହା ଅଧିକାର କର; ଭୟ କର ନାହିଁ, କିଅବା ନିରାଶ ହୁଅ ନାହିଁ ।

22 ତହିଁରେ ତୁମ୍ଭେମାନେ ପ୍ରତ୍ୟେକେ ଆମ୍ଭ ନିକଟକୁ ଆସି କହିଲ, ଆମ୍ଭେମାନେ ଆପଣାମାନଙ୍କ ଆଗେ ଲୋକ ପଠାଉ, ତହିଁରେ ସେମାନେ ଆମ୍ଭମାନଙ୍କ ନିମନ୍ତେ ଦେଶ ଅନୁସନ୍ଧାନ କରି ଆମ୍ଭମାନଙ୍କୁ କେଉଁ ପଥ ଦେଇ ଯିବାକୁ ହେବ ଓ କେଉଁ କେଉଁ ନଗରରେ ଉପସ୍ଥିତ ହେବାକୁ ହେବ, ତହିଁର ସମ୍ଵାଦ ଆମ୍ଭମାନଙ୍କ ନିକଟକୁ ଆଣନ୍ତୁ ।

ଦିତୀୟ ବିବରଣ ଅଧ୍ୟାୟ 1

23 ତେବେ ଆମ୍ଭେ ଏହି କଥାରେ ସନ୍ତୁଷ୍ଟ ହେଲୁ; ପୁଣି ଆମ୍ଭେ ତୁମ୍ଭମାନଙ୍କର ପ୍ରତ୍ୟେକ ବଂଶ ନିମନ୍ତେ ଜଣେ ଲେଖାଏଁ ବାର ଜଣ ନେଲୁ ।

24 ତହୁଁ ସେମାନେ ଗମନ କରି ପର୍ବତ ପାର ହୋଇ ଇଷ୍କୋଲ ଉପତ୍ୟକାରେ ପହଞ୍ଚି ଦେଶ ଅନୁସନ୍ଧାନ କଲେ ।

25 ଆଉ ସେମାନେ ହସ୍ତରେ ସେହି ଦେଶର କିଛି କିଛି ଫଳ ଘେନି ଆମ୍ଭମାନଙ୍କ ନିକଟକୁ ଆଣିଲେ ଓ ଆମ୍ଭମାନଙ୍କୁ ସମ୍ଵାଦ ଦେଇ କହିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତାହା ଉତ୍ତମ ଦେଶ ।

ଦିତୀୟ ବିବରଣ ଅଧ୍ୟାୟ 1

26 ତଥାପି ତୁମ୍ଭେମାନେ ଯିବାକୁ ସମ୍ମତ ହେଲ ନାହିଁ, ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ଆଜ୍ଞାର ବିଦ୍ରୋହାଚରଣ କଲ ।

27 ପୁଣି ତୁମ୍ଭେମାନେ ଆପଣା ଆପଣା ତମ୍ଵୁରେ ବଚସା କରି କହିଲ, ସଦାପ୍ରଭୁ ଆମ୍ଭମାନଙ୍କୁ ଘୃଣା କରିବା ହେତୁରୁ ଇମୋରୀୟମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବା ନିମନ୍ତେ ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଅଛନ୍ତି ।

28 ଆମ୍ଭେମାନେ କେଉଁଠାକୁ ଯାଉଅଛୁ? ସେହି ଲୋକମାନେ ଆମ୍ଭମାନଙ୍କ ଅପେକ୍ଷା ଅଧିକ ବଳବାନ ଓ ଦୀର୍ଘକାୟ; ନଗରମାନ ବୃହତ୍ ଓ ଗଗନସ୍ପର୍ଶୀ ପ୍ରାଚୀର-ବେଷ୍ଟିତ; ଆହୁରି ସେସ୍ଥାନରେ ଆମ୍ଭେମାନେ ଅନାକୀୟ-ମାନଙ୍କସନ୍ତାନଗଣକୁ ଦେଖିଅଛୁ, ଏହି କଥା କହି ଆମ୍ଭମାନଙ୍କ ଭ୍ରାତୃଗଣ ଆମ୍ଭମାନଙ୍କର ମନୋଭଙ୍ଗ କରିଅଛନ୍ତି।

ଦିତୀୟ ବିବରଣ ଅଧ୍ୟାୟ 1

29 ତେବେ ମୁଁ ତୁମ୍ଭମାନଙ୍କୁ କହିଲି, ତ୍ରାସଯୁକ୍ତ ହୁଅ ନାହିଁ, କି ସେମାନଙ୍କ ସକାଶୁ ଭୟ କର ନାହିଁ ।

30 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର, ଯେ ତୁମ୍ଭମାନଙ୍କ ଆଗେ ଆଗେ ଗମନ କରୁଅଛନ୍ତି, ସେ ମିସରରେ ଓ ପ୍ରାନ୍ତରରେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ତୁମ୍ଭମାନଙ୍କ ନିମନ୍ତେ ଯେସମସ୍ତ କାର୍ଯ୍ୟ କଲେ, ତଦନୁସାରେ ସେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ;

31 ଯେହେତୁ ପ୍ରାନ୍ତରରେ ତୁମ୍ଭେ ଦେଖିଅଛ ଯେ, ମନୁଷ୍ୟ ଆପଣା ପୁତ୍ରକୁ ବହିବା ପରି ସଦାପ୍ରଭୁ ତୁମ୍ଭମାନଙ୍କୁ ତୁମ୍ଭର ପରମେଶ୍ଵର ଏହି ସ୍ଥାନରେ ପହୁଞ୍ଚିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଗମନର ସମସ୍ତ ପଥରେ ତୁମ୍ଭକୁ କିପରି ବହିଅଛନ୍ତି ।

ଦିତୀୟ ବିବରଣ ଅଧ୍ୟାୟ 1

32 ତଥାପି ଏହି ବିଷୟ ସକାଶେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କଠାରେ ବିଶ୍ଵାସ କଲ ନାହି;

33 ସେ ତୁମ୍ଭମାନଙ୍କ ଛାଉଣି ସ୍ଥାପନ କରିବାର ସ୍ଥାନ ଅନ୍ଵେଷଣ କରିବା ପାଇଁ ରାତ୍ରିରେ ଅଗ୍ନି ଦ୍ଵାରା ଓ ଦିବସରେ ମେଘ ଦ୍ଵାରା ତୁମ୍ଭମାନଙ୍କର ଗନ୍ତବ୍ୟ ପଥ ଦେଖାଇବାକୁ ପଥରେ ତୁମ୍ଭମାନଙ୍କ ଆଗେ ଆଗେ ଗମନ କଲେ ।

34 ପୁଣି ସଦାପ୍ରଭୁ ତୁମ୍ଭମାନଙ୍କ ବାକ୍ୟର ରବ ଶୁଣି କ୍ରୋଧ କଲେ ଓ ଶପଥ କରି କହିଲେ,

ଦିତୀୟ ବିବରଣ ଅଧ୍ୟାୟ 1

35 ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେବାକୁ ଶପଥ କରିଅଛୁ, ନିଶ୍ଚୟ ଏହି ଦୁଷ୍ଟ ବଂଶୀୟ ମନୁଷ୍ୟମାନଙ୍କ ମଧ୍ୟରୁ କୌଣସି ଲୋକ ସେହି ଉତ୍ତମ ଦେଶ ଦେଖି ପାରିବ ନାହିଁ,

36 କେବଳ ଯିଫୁନ୍ନିର ପୁତ୍ର କାଲେବ ତାହା ଦେଖିବ; ପୁଣି ସେ ଯେଉଁ ଭୂମିରେ ପଦାର୍ପଣ କରିଅଛି, ସେହି ଭୂମି ଆମ୍ଭେ ତାହାକୁ ଓ ତାହାର ସନ୍ତାନଗଣକୁ ଦେବା; କାରଣ ସେ ସଦାପ୍ରଭୁଙ୍କର ସମ୍ପୂର୍ଣ୍ଣ ଅନୁଗତ ଲୋକ ।

37 ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ସକାଶୁ ମୋʼ ପ୍ରତି କ୍ରୋଧ କରି କହିଲେ, ତୁମ୍ଭେ ମଧ୍ୟ ସେସ୍ଥାନରେ ପ୍ରବେଶ କରିବ ନାହିଁ;

ଦିତୀୟ ବିବରଣ ଅଧ୍ୟାୟ 1

38 ତୁମ୍ଭର ପରିଚାରକ ନୂନର ପୁତ୍ର ଯିହୋଶୂୟ ସେହି ସ୍ଥାନରେ ପ୍ରବେଶ କରିବ; ତୁମ୍ଭେ ତାହାକୁ ସାହସ ଦିଅ; ଯେହେତୁ ସେ ଇସ୍ରାଏଲକୁ ତାହା ଅଧିକାର କରାଇବ ।

39 ଆହୁରି ତୁମ୍ଭମାନଙ୍କର ବାଳକମାନେ, ଯେଉଁମାନେ ଲୁଟିତ ହେବେ ବୋଲି ତୁମ୍ଭେମାନେ କହିଥିଲ ଓ ତୁମ୍ଭମାନଙ୍କର ସନ୍ତାନମାନେ, ଯେଉଁମାନେ ଅଦ୍ୟାପି ଭଲ ମନ୍ଦର ଜ୍ଞାନ ପାଇ ନାହାନ୍ତି, ସେମାନେ ସେହି ସ୍ଥାନରେ ପ୍ରବେଶ କରିବେ; ପୁଣି ଆମ୍ଭେ ସେମାନଙ୍କୁ ସେହି ଦେଶ ଦେବା ଓ ସେମାନେ ତାହା ଅଧିକାର କରିବେ ।

ଦିତୀୟ ବିବରଣ ଅଧ୍ୟାୟ 1

40 ମାତ୍ର ତୁମ୍ଭେମାନେ ବାହୁଡ଼ି ସୂଫ ସମୁଦ୍ର ପଥ ଦେଇ ପ୍ରାନ୍ତରକୁ ଯାତ୍ରା କର ।

41 ଏଥିରେ ତୁମ୍ଭେମାନେ ଉତ୍ତର କରି ମୋତେ କହିଲ, ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କୁ ଯେସମସ୍ତ ଆଜ୍ଞା ଦେଇଅଛନ୍ତି, ଆମ୍ଭେମାନେ ତଦନୁସାରେ ଉଠି ଯାଇ ଯୁଦ୍ଧ କରିବୁ । ପୁଣି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଯୁଦ୍ଧାସ୍ତ୍ର ବାନ୍ଧି ପର୍ବତ ଆରୋହଣ କରିବାକୁ ବ୍ୟଗ୍ର ହେଲ ।

ଦିତୀୟ ବିବରଣ ଅଧ୍ୟାୟ 1

42 ସେତେବେଳେ ସଦାପ୍ରଭୁ ମୋତେ କହିଲେ, ସେମାନଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟବର୍ତ୍ତୀ ନାହୁଁ, ଏଣୁ ତୁମ୍ଭେମାନେ ଆରୋହଣ କର ନାହିଁ, କିଅବା ଯୁଦ୍ଧ କର ନାହିଁ; କଲେ ଶତ୍ରୁମାନଙ୍କ ସମ୍ମୁଖରେ ଆହତ ହେବ।

43 ତହୁଁ ମୁଁ ତୁମ୍ଭମାନଙ୍କୁ ସେହି କଥା କହିଲି, ପୁଣି ତୁମ୍ଭେମାନେ ଶୁଣିଲ ନାହିଁ; ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ କଲ ଓ ଦୁଃସାହସୀ ହେଲ, ଆଉ ପର୍ବତ ଉପରକୁ ଚଢ଼ିଗଲ ।

44 ଏନିମନ୍ତେ ସେହି ପର୍ବତବାସୀ ଇମୋରୀୟ ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ବାହାର ହୋଇ ମହୁମାଛି ପରି ତୁମ୍ଭମାନଙ୍କୁ ତଡ଼ି ଦେଲେ ଓ ସେୟୀରରେ ହର୍ମା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ପରାସ୍ତ କଲେ ।

ଦିତୀୟ ବିବରଣ ଅଧ୍ୟାୟ 1

45 ତେବେ ତୁମ୍ଭେମାନେ ଫେରି ଆସି ସଦାପ୍ରଭୁଙ୍କ ଛାମୁରେ ରୋଦନ କଲ; ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ରବରେ ମନୋଯୋଗ କଲେ ନାହିଁ, କିଅବା ତୁମ୍ଭମାନଙ୍କ ପ୍ରତି କର୍ଣ୍ଣପାତ କଲେ ନାହିଁ ।

46 ତହିଁରେ ତୁମ୍ଭେମାନେ କାଦେଶରେ ବାସ କରି ସେହି ସ୍ଥାନରେ ବହୁ କାଳ ରହିଲ ।