Oriya ବାଇବଲ |
ଉପଦେଶକ total 12 ଅଧ୍ୟାୟଗୁଡ଼ିକ
ଉପଦେଶକ ଅଧ୍ୟାୟ 3
ସମସ୍ତ ବିଷୟର ନିରୂପିତ ସମୟ 1
2 ସବୁ ବିଷୟର ଉଚିତ୍ ସମୟ ଅଛି ଓ ଆକାଶ ତଳେ ସବୁ ଉଦ୍ଦେଶ୍ୟର ଉଚିତ୍ ସମୟ ଅଛି; ଜନ୍ମ ହେବାର ସମୟ ଓ ମରିବାର ସମୟ; ରୋପିବାର ସମୟ, ଯାହା ରୋପିତ ହେଲା, ତାହା ଉପାଡ଼ିବାର ସମୟ;
3 ବଧ କରିବାର ସମୟ ଓ ସୁସ୍ଥ କରିବାର ସମୟ; ଭାଙ୍ଗିବାର ସମୟ ଓ ନିର୍ମାଣ କରିବାର ସମୟ,
ଉପଦେଶକ ଅଧ୍ୟାୟ 3
4 ରୋଦନ କରିବାର ସମୟ ଓ ହସିବାର ସମୟ; ବିଳାପ କରିବାର ସମୟ ଓ ନୃତ୍ୟ କରିବାର ସମୟ;
5 ପ୍ରସ୍ତର ପକାଇବାର ସମୟ ଓ ପ୍ରସ୍ତର ସଂଗ୍ରହ କରିବାର ସମୟ; ଆଲିଙ୍ଗନ କରିବାର ସମୟ ଓ ଆଲିଙ୍ଗନରୁ ନିବୃତ୍ତ ହେବାର ସମୟ,
6 ଅନ୍ଵେଷଣ କରିବାର ସମୟ ଓ ହଜାଇବାର ସମୟ; ରଖିବାର ସମୟ ଓ ପକାଇ ଦେବାର ସମୟ;
ଉପଦେଶକ ଅଧ୍ୟାୟ 3
7 ଚିରିବାର ସମୟ ଓ ସିଲେଇ କରିବାର ସମୟ; ନୀରବ ରହିବାର ସମୟ ଓ କଥା କହିବାର ସମୟ;
8 ପ୍ରେମ କରିବାର ସମୟ ଓ ଘୃଣା କରିବାର ସମୟ; ଯୁଦ୍ଧର ସମୟ ଓ ଶାନ୍ତିର ସମୟ ଅଛି।
ଈଶ୍ୱର ଦତ୍ତ କାର୍ଯ୍ୟ 9 କର୍ମକାରୀ ବ୍ୟକ୍ତିର ଆପଣା ପରିଶ୍ରମରେ କି ଲାଭ ?
10 ପରମେଶ୍ୱର ମନୁଷ୍ୟ ସନ୍ତାନଗଣକୁ ବ୍ୟସ୍ତ ହେବା ପାଇଁ ଯେଉଁ କାର୍ଯ୍ୟ ଦେଇଅଛନ୍ତି, ତାହା ମୁଁ ଦେଖିଅଛି।
ଉପଦେଶକ ଅଧ୍ୟାୟ 3
11 ସେ ପ୍ରତ୍ୟେକ ବିଷୟକୁ ତାହାର ସମୟରେ ଶୋଭିତ କରିଅଛନ୍ତି; ମଧ୍ୟ ସେ ସେମାନଙ୍କ ହୃଦୟରେ ଅନନ୍ତ କାଳ ରଖିଅଛନ୍ତି; ତଥାପି ପରମେଶ୍ୱର ପ୍ରଥମଠାରୁ ଶେଷ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟ କରିଅଛନ୍ତି, ମନୁଷ୍ୟ ତହିଁର ତତ୍ତ୍ୱ ପାଇ ପାରେ ନାହିଁ।
12 ମୁଁ ଜାଣେ ଯେ, ଯାବଜ୍ଜୀବନ ଆନନ୍ଦ ଓ ସୁକର୍ମ କରିବା ଅପେକ୍ଷା ସେମାନଙ୍କର ଆଉ କୌଣସି ମଙ୍ଗଳ ବିଷୟ ନାହିଁ।
13 ଆହୁରି, ପ୍ରତ୍ୟେକ ମନୁଷ୍ୟ ଭୋଜନ ପାନ କରି ଆପଣା ସକଳ ପରିଶ୍ରମରେ ସୁଖଭୋଗ କରିବ, ଏହା ପରମେଶ୍ୱରଙ୍କ ଦାନ।
ଉପଦେଶକ ଅଧ୍ୟାୟ 3
14 ମୁଁ ଜାଣେ ଯେ, ପରମେଶ୍ୱର ଯାହା କିଛି କରନ୍ତି, ତାହା ଅନନ୍ତକାଳସ୍ଥାୟୀ; ତାହା ବଢ଼ାଯାଇ ନ ପାରେ, କିଅବା ତାହା ଊଣା କରାଯାଇ ନ ପାରେ; ଆଉ ମନୁଷ୍ୟମାନେ ପରମେଶ୍ୱରଙ୍କ ସମ୍ମୁଖରେ ଭୀତ ହେବା ପାଇଁ ସେ ତାହା କରିଅଛନ୍ତି।
15 ଯାହା ଅଛି, ତାହା ଥିଲା; ପୁଣି, ଯାହା ହେବ, ତାହା ହିଁ ଥିଲା; ଆଉ, ଯାହା ଗତ ହୋଇଅଛି, ପରମେଶ୍ୱର ତାହା ପୁନର୍ବାର ଅନ୍ଵେଷଣ କରନ୍ତି।
ଉପଦେଶକ ଅଧ୍ୟାୟ 3
ଶେଷ ଦଶା 16 ଆହୁରି, ମୁଁ ସୂର୍ଯ୍ୟ ତଳେ ବିଚାର ସ୍ଥାନରେ ଦେଖିଲି, ସେଠାରେ ଦୁଷ୍ଟତା ଅଛି, ପୁଣି ଧର୍ମସ୍ଥାନରେ ଦେଖିଲି, ସେଠାରେ ହେଁ ଦୁଷ୍ଟତା ଅଛି।
17 ମୁଁ ମନେ ମନେ କହିଲି, “ପରମେଶ୍ୱର ଧାର୍ମିକ ଓ ଦୁଷ୍ଟର ବିଚାର କରିବେ; କାରଣ ପ୍ରତ୍ୟେକ ମନସ୍କାମନା ଓ ପ୍ରତ୍ୟେକ କାର୍ଯ୍ୟ ପାଇଁ ସମୟ ଅଛି।”
18 ମୁଁ ମନେ ମନେ କହିଲି, “ପରମେଶ୍ୱର ଯେପରି ମନୁଷ୍ୟ ସନ୍ତାନମାନଙ୍କୁ ପରୀକ୍ଷା କରିବେ ଓ ସେମାନେ ନିଜେ ଯେ କେବଳ ପଶୁ ତୁଲ୍ୟ, ଏହା ଯେପରି ସେମାନେ ଦେଖିବେ, ଏଥିପାଇଁ ସେମାନଙ୍କ ସକାଶୁ ଏହା ହେଉଅଛି।”
ଉପଦେଶକ ଅଧ୍ୟାୟ 3
19 କାରଣ ମନୁଷ୍ୟ ସନ୍ତାନଗଣ ପ୍ରତି ଯାହା ଘଟେ, ପଶୁମାନଙ୍କ ପ୍ରତି ତାହା ଘଟେ; ସମସ୍ତଙ୍କ ପ୍ରତି ହିଁ ଏକରୂପ ଘଟଣା ଘଟେ; ଏ ଯେପରି ମରେ, ସେ ସେପରି ମରେ; ପୁଣି, ସମସ୍ତଙ୍କ ପ୍ରାଣ ବାୟୁ ଏକ; ଆଉ, ପଶୁଠାରୁ ମନୁଷ୍ୟର କୌଣସି ପ୍ରାଧାନ୍ୟ ନାହିଁ; କାରଣ ସବୁ ଅସାର।
20 ସମସ୍ତେ ଏକ ସ୍ଥାନକୁ ଯାଆନ୍ତି; ସମସ୍ତେ ଧୂଳିରୁ ଉତ୍ପନ୍ନ ଓ ସମସ୍ତେ ପୁନର୍ବାର ଧୂଳିରେ ଲୀନ ହୁଅନ୍ତି।
21 ମନୁଷ୍ୟର ଆତ୍ମା ଉର୍ଦ୍ଧ୍ୱଗାମୀ ଓ ପଶୁର ଆତ୍ମା ପୃଥିବୀର ଅଧୋଗାମୀ ହୁଏ ବୋଲି କିଏ ଜାଣେ ?
ଉପଦେଶକ ଅଧ୍ୟାୟ 3
22 ଏହେତୁ ମନୁଷ୍ୟ ସ୍ୱକର୍ମରେ ଆନନ୍ଦ କରିବା ଅପେକ୍ଷା ଆଉ ତାହାର କିଛି ଅଧିକ ମଙ୍ଗଳ ନାହିଁ ବୋଲି ମୁଁ ଦେଖିଲି; କାରଣ ଏହା ହିଁ ତାହାର ଅଧିକାର; ଆଉ, ତାହା ପରେ ଯାହା ଘଟିବ, ତାହା ଦେଖିବା ପାଇଁ କିଏ ତାହାକୁ ଫେରାଇ ଆଣି ପାରେ ?